ଆଜିର ଖାସ ଖବର
Mon. Jul 27th, 2026

ଇଣ୍ଚରନେଟ ଉପଭୋକ୍ତା ପରିସଂଖ୍ୟାନ ୨୦୨୦

By Dainikasha Jul11,2024

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ଉପଭୋକ୍ତା ପରିସଂଖ୍ୟାନରେ ଚ଼ୀନ ପରକୁ ଭାରତ ସ୍ଥାନିତ । ୨୦୧୯ ଶେଷ ସୁଦ୍ଧା ଦେଶରେ ୫୬ କୋଟି ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଇଥିବା ସ୍ଥଳେ ୨୦୨୩ ସୁଦ୍ଧା ପ୍ରାୟ ୯୦ କୋଟିରେ ପହଞ୍ଚିବା ଆକଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ ପ୍ରାନ୍ତ ତୁଳନାରେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କଠାରେ ଭିନ୍ନ ଆଚ଼ରଣ ଦେଖିବାକୁ ମିଳେ । ଅନ୍ୟତ୍ର ଇଣ୍ଟରନେଟ ସଂଯୁକ୍ତି ନିମନ୍ତେ ବ୍ରଡ଼ବ୍ୟାଣ୍ଡ, ୱାଇ-ଫାଇ ସହ ପରସନାଲ କମ୍ପ୍ୟୁଟର, ଲାପଟପ ଇତ୍ୟାଦି ସାଧାରଣତଃ ବ୍ୟବହୃତ ହେଉଥିବା ସ୍ଥଳେ ଭାରତରେ ମୋବାଇଲ ସ୍ମାର୍ଟଫୋନ ଯୋଗେ ୯୯ ପ୍ରତିଶତ ଉପଭୋକ୍ତା ଇଣ୍ଟରନେଟ ମଞ୍ଚରେ ଅବତୀର୍ଣ୍ଣ ହୋଇଥାନ୍ତି ।

ଭାରତୀୟ ମୋବାଇଲ ମାର୍କେଟିଂ ଏସୋସିଏସନ ଓ ଗୃପ‘ଏମ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ସହରାଞ୍ଚଳରେ ୯୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ଉପଭୋକ୍ତା ନିଜ ବାସଗୃହରେ ଇଣ୍ଟରନେଟ ବ୍ୟବହାର କରନ୍ତି । ଏହା ପରକୁ କାର୍ଯ୍ୟକ୍ଷେତ୍ରରେ ସହରାଞ୍ଚଳରେ ୩୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୪୫ ପ୍ରତିଶତ ତଥା ଯାତାୟତ କାଳରେ ସହରାଞ୍ଚଳରେ ୩୦ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୦ ପ୍ରତିଶତ ଉପଭୋକ୍ତା ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।

ଇଣ୍ଟରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟସ୍ତରରେ ସର୍ବାଧିକ ଇଣ୍ଟରନେଟ ସଂଯୁକ୍ତିରେ ଦିଲ୍ଲୀର ସ୍ଥାନ । ତା’ପରକୁ କେରଳ, ଜାମ୍ମୁ ଓ କାଶ୍ମୀର, ହରିଆନା, ହିମାଚଳ ପ୍ରଦେଶ ଓ ପଞ୍ଜାବର ପାଳି । ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଦୁଇ-ତୃତୀୟାଂଶ ୧୨ ରୁ ୧୯ ବୟସ ବର୍ଗରେ ଅନ୍ତର୍ଭୁକ୍ତ । ସ୍ମାର୍ଟଫୋନ ବ୍ୟବହାର କରୁଥିବା ତିନିଜଣ ମଧ୍ୟରେ ଦୁଇଜଣ କୌଣସି ଏକ ସୋସିଆଲ ମିଡ଼ିଆ ମଞ୍ଚରେ ସକ୍ରିୟ ଥିବା ଜଣାଯାଏ ।

ଭାରତୀୟମାନେ ହ୍ୱାଟସଆପ ସର୍ବାଧିକ ବ୍ୟବହାର କରୁଥିବା ସ୍ଥଳେ କ୍ରମାନ୍ୱୟରେ ଫେସବୁକ, ଟ୍ରୁ-କଲର, ଫେସବୁକ ମେସେଞ୍ଜର, ସେୟାର-ଇଟ, ଆମେଜନ, ଏମଏକ୍ସ-ଗୃପ, ଇନଷ୍ଟ୍ରାଗ୍ରମ, ପେ-ଟିମ ଓ ହଟଷ୍ଟାର ଆପ୍ଲିକେସନଗୁଡ଼ିକ ୨୦୧୯ ସୁଦ୍ଧା ଲୋକପ୍ରିୟତା ହାସଲ କରିଥିଲା ।

‘ଆପ-ଆନେ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଆମଦେଶରେ ବ୍ୟକ୍ତିପିଚ୍ଛା ହାରାହାରି ମୋବାଇଲ ଫୋନ ବ୍ୟବହାରସୀମା ତିନିଘଣ୍ଟା ଚାଳିଶି ମିନଟ ଯାଏଁ ପରିବ୍ୟାପ୍ତ । ଭାରତ ସମେତ ଫ୍ରାନ୍ସ ଓ କାନାଡ଼ାରେ ୨୦୧୭ ତୁଳନାରେ ମୋବାଇଲ ଫୋନ ବ୍ୟବହାର ୨୦୧୯ରେ ୨୫ ପ୍ରତିଶତ ବଢ଼ିଥିଲା । ସେହିପରି ଭାରତ ସମେତ ବ୍ରାଜିଲ ଓ ଇଣ୍ଡୋନେସିଆ ‘ମୋବାଇଲ-ଫାଷ୍ଟ’ ଅର୍ଥାତ ସମ୍ୱାଦ ସରବରାହ ନିମନ୍ତେ ମୋବାଇଲ ଫୋନକୁ ମୁଖ୍ୟ ସାଧନଭାବେ ବ୍ୟବହାର କରିଥାନ୍ତି ।

ଗଣମାଧ୍ୟମ ବ୍ୟବହାରରେ ଉପଭୋକ୍ତାଙ୍କ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱ ବହନ କରିଥାଏ । ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ଉପସ୍ଥାପିତ ତଥ୍ୟାବଳୀ ଅନୁଶୀଳନ କରି ଆବଶ୍ୟକତାମତେ ବ୍ୟକ୍ତିଗତ ତଥା ସାମୂହିକସ୍ତରରେ ଉପଯୋଗ କରିବା ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ପଡ଼ିଥାଏ । ଏକବିଂଶ ଶତାଦ୍ଦୀର ତୃତୀୟ ଦଶକ ଆରମ୍ଭରେ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପହଞ୍ଚିବା ନିମନ୍ତେ ବିଭିନ୍ନ ସାଜସରଞ୍ଜାମ ବ୍ୟବହୃତ ହେଉଥିବା ସ୍ଥଳେ ସେଗୁଡ଼ିକୁ ଚଳାଇବା ସାମର୍ଥ୍ୟ ମଧ୍ୟ ଅପରିହାର୍ଯ୍ୟ ।

ପରିବର୍ତ୍ତିତ ପରିବେଶରେ ଇଣ୍ଟରନେଟ ସଂଯୁକ୍ତି ବିଭିନ୍ନ ଗଣମାଧ୍ୟମ ବ୍ୟବହାରର ମୁଖ୍ୟ ସାଧନରୂପେ ମୁଣ୍ଡ ଟେକିଛି । ଜାତୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ୨୦୧୯ ଶେଷରେ ପ୍ରକାଶିତ ୭୫ତମ ପାରିବାରିକ ସାମାଜିକ ବ୍ୟବହାର ‘ହାଉସହୋଲଡ଼ ସୋସିଆଲ କନଜମ୍ପସନ’ ରିପୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଭାରତର ଗ୍ରାମାଞ୍ଚଳରେ ୧୪.୯ ପ୍ରତିଶତ ପରିବାର ଏବଂ ସହରାଞ୍ଚଳରେ ୪୨ ପ୍ରତିଶତ ପରିବାରଙ୍କ ବାସଗୃହରେ ଇଣ୍ଟରନେଟ ସଂଯୁକ୍ତି ଉପଲବ୍ଧ ରହିଥିଲା ।

ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ଗ୍ରାମାଞ୍ଚଳରେ ୧୩ ପ୍ରତିଶତ ଇଣ୍ଟରନେଟ ବ୍ୟବହାର କରୁଥିବା ସ୍ଥଳେ ସହରାଞ୍ଚଳରେ ୩୧.୧ ପ୍ରତିଶତ ଇଣ୍ଟରନେଟ ବ୍ୟବହାର କରୁଥିଲେ । ସର୍ବେକ୍ଷଣ ନିମନ୍ତେ ତଥ୍ୟ ସଂଗ୍ରହର ପୂର୍ବ-ମାସକ ମଧ୍ୟରେ ଗ୍ରାମାଞ୍ଚଳରେ ୧୦.୮ ପ୍ରତିଶତ ପରିବାର ଅତିକମରେ ଥରେ ଇଣ୍ଟରନେଟ ବ୍ୟବହାର କରିଥିବା ସ୍ଥଳେ ସହରାଞ୍ଚଳରେ ୩୩.୮ ପ୍ରତିଶତ ପରିବାର ଅତିକମରେ ଥରେ ଇଣ୍ଟରନେଟ ବ୍ୟବହାର କରିଥିଲେ ।

ସାତ ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ମୋଟ ୭୭.୭ ପ୍ରତିଶତ ଜନସଂଖ୍ୟା ସାକ୍ଷର ଥିବା ଜଣାଯାଇଥିଲା । ଏଥିମଧ୍ୟରେ ଗ୍ରାମାଞ୍ଚଳରେ ୭୩.୫ ପ୍ରତିଶତ ଏବଂ ସହରାଞ୍ଚଳରେ ୮୭.୭ ପ୍ରତିଶତ ଅନ୍ତର୍ଭୁକ୍ତ । ପନ୍ଦର ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମାରେ ଗ୍ରାମାଞ୍ଚଳରେ ୩୦.୬ ପ୍ରତିଶତ ଏବଂ ସହରାଞ୍ଚଳରେ ୫୭.୫ ପ୍ରତିଶତ ମାଧ୍ୟମିକ ଶିକ୍ଷା ସାରିଥିଲେ । ସେହିପରି ଦେଶରେ ମୋଟ ୧୦.୬ ପ୍ରତିଶତ ସ୍ନାତକ କିମ୍ୱା ତତୁର୍ଦ୍ଧ ଶିକ୍ଷା ପାଇଥିବା ସ୍ଥଳେ ଗ୍ରାମାଞ୍ଚଳରେ ୭ ପ୍ରତିଶତ ଏବଂ ସହରାଞ୍ଚଳରେ ୨୧.୭ ପ୍ରତିଶତ ହିସାବ କରାଯାଇଥିଲା ।

ଶିକ୍ଷା ପରକୁ ସାଜ-ସରଞ୍ଜାମ ବ୍ୟବହାର ଗଣମାଧ୍ୟମ ସଂପୃକ୍ତିରେ ଗୁରୁତ୍ୱବହନ କରିଥାଏ । ‘ଓଡ଼ିଶା ଅର୍ଥନୀତିକ ସର୍ବେକ୍ଷଣ ୨୦୧୯-୨୦’ରେ ପ୍ରଦତ୍ତ ହିସାବ ଅନୁଯାୟୀ ଜାତୀୟସ୍ତରରେ ଟେଲିସାନ୍ଧ୍ରତା ୯୩.୨୭ ପ୍ରତିଶତ ରହିଥିବା ସ୍ଥଳେ ଓଡ଼ିଶାରେ ୮୦.୨୮ ପ୍ରତିଶତରେ ସୀମିତ । ସେହିପରି ଜାତୀୟସ୍ତରରେ ଇଣ୍ଟରନେଟ ସଂଯୁକ୍ତି ୩୮.୦୨ ଗଣନା କରାଯାଉଥିବା ସ୍ଥଳେ ଓଡ଼ିଶାରେ ୨୮.୨୨ ପ୍ରତିଶତ ଉପଲବ୍ଧ । ରାଜ୍ୟରେ ଇଣ୍ଟରନେଟ ସେବାର ବ୍ୟାପ୍ତି ସହରାଞ୍ଚଳରେ ୮୩.୨୮ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୧୬.୦୪ ପ୍ରତିଶତ । ଏଠାକାର ମୋଟ ଟେଲିଫୋନ ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ୨୦୧୮ ସୁଦ୍ଧା ୩ କୋଟି ୪୬ ଲକ୍ଷ ରହିଥିଲା ।

୨୦୧୯ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୬,୫୪୯ ଗ୍ରାମରେ ମୋବାଇଲ ଟେଲିଫୋନ ସେବା ପହଞ୍ଚିପାରି ନଥିଲା । ସେହିପରି ରାଜ୍ୟ ସଭାରେ ଯୋଗାଯୋଗ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ବିବରଣୀ ଅନୁଯାୟୀ କନ୍ଧମାଳ ଜିଲ୍ଲାର ୧୩୨୯ଟି ଗ୍ରାମ, ରାୟଗଡ଼ ଜିଲ୍ଲାର ୧୨୦୭ଟି ଗ୍ରାମ, କୋରାପୁଟ ଜିଲ୍ଲାର ୭୨୫ ଗ୍ରାମ, ଗଜପତି ଜିଲ୍ଲାର ୬୫୫ଟି ଗ୍ରାମ, କଳାହାଣ୍ଡି ଜିଲ୍ଲାର ୫୮୭ଟି ଗ୍ରାମ, ମାଲକାନଗିରିର ୪୩୭ଟି ଗ୍ରାମ, ନୂଆପଡ଼ା ଜିଲ୍ଲାର ୪୫ଟି ଗ୍ରାମ, ନବରଙ୍ଗପୁର ଜିଲ୍ଲାର ୪୦ଟି ଗ୍ରାମ ବଲାଙ୍ଗୀର ଜିଲ୍ଲାର ୨୬ଟି ଗ୍ରାମ ଓ ଢ଼େଙ୍କାନାଳ ଜିଲ୍ଲାର ୧୭ଟି ଗ୍ରାମରେ ମୋବାଇଲ ଫୋନ ସେବା ଅପହଞ୍ଚ ।

ଓଡ଼ିଶାର ସମୁଦାୟ ୬୭୭୫ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୩୬୯୭ଟି ଗ୍ରାମପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ । ବ୍ରଡ଼ବ୍ୟାଣ୍ଡ କେବୁଲ ବିଛାଇବା କାର୍ଯ୍ୟ ୪୦୮୭ଟି ଗ୍ରାମାଞ୍ଚଳରେ ସରିଥିବା ସ୍ଥଳେ ୩୦୭୮ଟି ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସେବା ଆରମ୍ଭ ହୋଇପାରିନଥିବା ଜଣାଯାଇଥିଲା । ଏହିଭଳି ପରିସଂଖ୍ୟାନ ଆଧୁନିକ ଗଣମାଧ୍ୟମ ସଂପୃକ୍ତିରେ ରାଜ୍ୟରେ ସାମର୍ଥ୍ୟ ଅଭାବ ଦର୍ଶାଇଥାଏ ।

ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ସମୟରେ ଦର୍ଶକମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଚାରକୁ ନିଆଯାଇଥାଏ । ସର୍ବଭାରତୀୟ ପରିସଂଖ୍ୟାନ ଆଧାରରେ ଓଡ଼ିଶାରେ ଶିକ୍ଷିତ ଓ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ସମାନ କିମ୍ୱା ସାମାନ୍ୟ କମ ଧରି ନିଆଯାଇପାରେ । ଉଚ୍ଚ ଶିକ୍ଷିତ ଓ କମ ଶିକ୍ଷିତ ଉପଭୋକ୍ତାଙ୍କ ନିମନ୍ତେ ଗଣମାଧ୍ୟମ ଉପାଦାନ ‘କଣ୍ଟେଣ୍ଟ’ ପ୍ରସ୍ତୁତିରେ ତାରତମ୍ୟ ଲକ୍ଷ୍ୟ କରାଯାଏ । ସାଧାରଣତଃ ଅଳ୍ପ ଶିକ୍ଷିତଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପ୍ରଯୋଜକମାନେ ଚାଞ୍ଚଲ୍ୟକର ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଥାନ୍ତି । ଏହି କାରଣରୁ ଅସତ୍ୟ ଓ ଅତିରଞ୍ଜିତ ତଥ୍ୟାବଳୀ  ଆଧାରିତ ଉପାଦାନ ଗଣମାଧ୍ୟମରେ ବହୁଳଭାବେ ପ୍ରସାରିତ ।

ଏତାଦୃଶ୍ୟ ପରିବେଶ ବିଭ୍ରାନ୍ତିକର ଏବଂ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଦୀର୍ଘସୂତ୍ରରେ ଆତ୍ମଘାତୀ ପ୍ରମାଣିତ ହୋଇଥାଏ । ଚାଞ୍ଚଲ୍ୟକର ସମ୍ୱାଦ ପରିବେଷଣକୁ ଭିତ୍ତିକରି ଗଢ଼ି ଉଠୁଥିବା ଯେ କୌଣସି ସମ୍ୱାଦପତ୍ର କିମ୍ୱା ଟେଲିଭିଜନ ଚ୍ୟାନେଲର ଆୟୁଷ ସୀମିତ ରହିଥିବା ସାମ୍ୱାଦିକତାର ଇତିହାସ ପୃଷ୍ଠାରୁ ପ୍ରମାଣିତ । ଅଳ୍ପ ଶିକ୍ଷିତଙ୍କ ନିମନ୍ତେ ଉପାଦାନ ପ୍ରସ୍ତୁତିରେ ଗୁଣବତ୍ତା ବିକାଶ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଦୀର୍ଘସୂତ୍ରରେ ଶୁଭଙ୍କର ହେବା ବିଶ୍ୱାସ କରାଯାଇପାରେ ।

ଅପରପକ୍ଷରେ ଗଣମାଧ୍ୟମର ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ତଥ୍ୟ ପ୍ରସାର ଏବଂ ତଦ୍ ଜନିତ ସାମାଜିକ ବିକାଶରେ ଲକ୍ଷ୍ୟବଦ୍ଧ ଥିବା ସ୍ଥଳେ ଏହି ଧାରାରୁ ବିଚ୍ୟୁତି ଯେକୌଣସି ମଞ୍ଚ ନିମନ୍ତେ କ୍ଷଣିକ ଉନ୍ମାଦନା ଆଣିପାରେ, କିନ୍ତୁ ତାହା ଦୀର୍ଘକାଳ ବଳବତ୍ତର ରହିପାରେ ନାହିଁ । ପ୍ରତ୍ୟେକ ଗଣମାଧ୍ୟମ କର୍ମୀ ନିଜ ବ୍ୟକ୍ତିଗତ ଅଭିଜ୍ଞତାକୁ ଘଣ୍ଟାଏ ନିରୋଳାରେ ବସି ନିଜ ଓ ସହକର୍ମୀଙ୍କ ଦ୍ୱାରା ପ୍ରସାରିତ ସତ୍ୟ ଓ ଅସତ୍ୟ ତଥ୍ୟ ଓ ତଦ୍ ଜନିତ ପରିଣାମ ଅନ୍ତତଃପକ୍ଷେ ସପ୍ତାହରେ ଥରେ ବିଚାର କଲେ ସାମ୍ୱାଦିକତାରେ ଗୁଣାତ୍ମକ ବିକାଶ ନିମନ୍ତେ ପଥ ଉନ୍ମୁକ୍ତ ରହିବ । ଗବେଷଣାରୁ ଜଣାଯାଏ ଯେ ସୋସିଆଲ ମିଡ଼ିଆରେ ସତ୍ୟ ତୁଳନାରେ ଅସତ୍ୟ ମେସେଞ୍ଜର ଆପ୍ଲିକେସନଗୁଡ଼ିକରେ ସାତ ଗୁଣ ବେଗରେ ପ୍ରସାରିତ ହୋଇଥାଏ । କିନ୍ତୁ କେବେ କେହି ଉପଭୋକ୍ତା ଅସତ୍ୟକୁ ହୃଦୟର ଗଭୀରତମ ପ୍ରଦେଶରେ ସମର୍ଥନ କରିବା ନିମନ୍ତେ ରାଜି ହୋଇନଥାନ୍ତି ।

Related Post