ବିଶ୍ୱବ୍ୟାପୀ ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ବ୍ୟାବସାୟିକ ଉନ୍ନତି ଚଳଚ଼ିତ୍ର ଶିଳ୍ପର ପୁନଋଦ୍ଧାର ଆଶା ସଞ୍ଚାର କରିଛି । ମହାମାରୀ-ପୂର୍ବାବସ୍ଥା ତୁଳନାରେ ଫ୍ରାନ୍ସରେ ୮୮ ପ୍ରତିଶତ, ବ୍ରିଟେନରେ ୮୨ ପ୍ରତିଶତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୭୬ ପ୍ରତିଶତରେ ଚଳଚ଼ିତ୍ର ପ୍ରଦର୍ଶନ ଆୟ ପହଞ୍ଚିଥିବା ଜଣାଯାଏ । ଭାରତରେ ହିନ୍ଦି ଚଳଚ଼ିତ୍ର ବଜାରରେ ପ୍ରେକ୍ଷାଳୟ ଟିକଟ ବିକ୍ରୀ ୫୦ରୁ ୬୦ ପ୍ରତିଶତରେ ସୀମିତ ରହିଥିବା ସ୍ଥଳେ ଦକ୍ଷିଣ ଭାରତୀୟ ଭାଷାର ଚଳଚ଼ିତ୍ର ବଜାରରେ ୮୦ରୁ ୯୦ ପ୍ରତିଶତ ହିସାବ କରାଯାଉଛି । ଅବଶ୍ୟ ଆମ ଦେଶରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରେକ୍ଷାଳୟ ଟିକଟ ଦର କ୍ରମାଗତ ବୃଦ୍ଧି ପାଇଥିବା ହେତୁ ଆୟର ପରିମାଣ ଉଚ୍ଚରେ ପହଞ୍ଚିପାରିଛି । ଭାରତରେ ୨୦୧୯ରେ ୧୯,୧୦୦ କୋଟି ଟଙ୍କା ଚଳଚ଼ିତ୍ର ପ୍ରଦର୍ଶନରୁ ଆୟ ହୋଇଥିବା ସ୍ଥଳେ ୨୦୨୦ରେ ୭,୨୦୦ କୋଟି ଏବଂ ୨୦୨୨ରେ ୧୭,୨୦୦ କୋଟି ଟଙ୍କା ଆୟ ହୋଇଥିଲା । ଅର୍ଥାତ, ମହାମାରୀ-ପୂର୍ବ ଚଳଚ଼ିତ୍ର ପ୍ରଦର୍ଶନ ଆୟର ୮୦ ପ୍ରତିଶତ ଗତବର୍ଷ ସୁଦ୍ଧା ଭରଣା ହୋଇପାରିଥିଲା ।
ମହାମାରୀ-ପର ଅବସ୍ଥାରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ଶିଳ୍ପର ଅଭିବୃଦ୍ଧି ଅନେକଙ୍କୁ ବିସ୍ମିତ କରିଥାଏ । ‘କନଫେଡ଼େରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ’ ପକ୍ଷରୁ ଏପ୍ରିଲ ୨୦୨୩ରେ ପ୍ରକାଶିତ ‘ସାଉଥ ଇଣ୍ଡିଆ : ସେଟିଙ୍ଗ ବେଞ୍ଚମାର୍କ ଫର ଦି ନେସନ’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ରେ ଭାରତୀୟ ଚଳଚ଼ିତ୍ର ଶିଳ୍ପର ସାମଗ୍ରିକ ହିସାବରେ ତେଲୁଗୁ, ତାମିଲ, କନ୍ନଡ଼ ଓ ମାଳାୟଳମ ଚାରିଗୋଟି ଭାଷାରେ ୫୪ ପ୍ରତିଶତ ଚଳଚ଼ିତ୍ର ନିର୍ମିତ ହୋଇଥିଲା ଏବଂ ମୋଟ ଆୟର ୫୨ ପ୍ରତିଶତ ଦାବୀ କରିଥିଲା । ଦେଶରେ ୨୦୨୨ରେ ୧୪ ଗୋଟି ମୁଖ୍ୟ ଆଞ୍ଚଳିକ ଭାଷାରେ ୧,୬୯୧ ଗୋଟି ଚଳଚ଼ିତ୍ର ମୁକ୍ତିଲାଭ କରିଥିଲା । ସେଥିମଧ୍ୟରେ ଦକ୍ଷିଣ ଭାରତୀୟ ଚାରିଗୋଟି ଭାଷାରେ ୯୧୬ ଗୋଟି ଚଳଚ଼ିତ୍ର ଅନ୍ତର୍ଭୁକ୍ତ ।
ରିପୋର୍ଟରେ କୁହାଯାଇଛି ଯେ ସମକାଳରେ ଦକ୍ଷିଣ ଭାରତରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ଆୟ ୨୭ ପ୍ରତିଶତରେ ସୀମିତ ରହୁଥିବା ବେଳେ ଓଭର-ଦି-ଟପ ‘ଓଟିଟି’ ଷ୍ଟ୍ରୀମିଂରୁ ୨୪ ପ୍ରତିଶତ ଏବଂ ଟେଲିଭିଜନ ପ୍ରଦର୍ଶନରୁ ୧୭ ପ୍ରତିଶତ ହିସାବ କରାଯାଇଥାଏ । ସେହି ତାଲିକାରେ ଦକ୍ଷିଣ ଭାରତୀୟ ଭାଷାରୁ ହିନ୍ଦି ଡ଼ବିଂ କ୍ଷେତ୍ରରେ ୧୪ ପ୍ରତିଶତ, ଦକ୍ଷିଣ ଭାରତ ଭିନ୍ନ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରେକ୍ଷାଳୟ ପ୍ରଦର୍ଶନ ବାବଦରେ ୯ ପ୍ରତିଶତ, ବିଦେଶ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୭ ପ୍ରତିଶତ ଏବଂ ସଙ୍ଗୀତ ସତ୍ତ୍ୱ ବିକ୍ରୀ ସୂତ୍ରରୁ ୨ ପ୍ରତିଶତ ଆଦାୟ ହୋଇଥାଏ । ମହାମାରୀ ପୂର୍ବରୁ ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକ ମୋଟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୬୦ ପ୍ରତିଶତ ଓ ଅଣ-ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୦ ପ୍ରତିଶତ ଆୟ ରହିଥିଲା । ମହାମାରୀ-ପର ଅବସ୍ଥାରେ ୨୦୨୨ରେ ମୋଟ ପ୍ରେକ୍ଷାଳୟ ପ୍ରଦର୍ଶନରୁ ୪୩ ପ୍ରତିଶତକୁ ହ୍ରାସ ପାଇଥିବା ସ୍ଥଳେ ଅଣ-ପ୍ରେକ୍ଷାଳୟ ପ୍ରଦର୍ଶନରୁ ଆୟ ୫୭ ପ୍ରତିଶତକୁ ବୃଦ୍ଧି ପାଇଛି ।
ଚଳଚ଼ିତ୍ର ପ୍ରେକ୍ଷାଳୟ କ୍ଷେତ୍ରରେ ମଧ୍ୟ ସର୍ବଭାରତୀୟସ୍ତରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଅଗ୍ରଣୀ । ଦେଶରେ ୨୦୨୨ରେ ୮,୭୦୦ ଚଳଚ଼ିତ୍ର ପ୍ରେକ୍ଷାଳୟ ଚାଲୁ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ୪,୨୧୬ ବା ୪୮ ପ୍ରତିଶତ ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ । ପୂର୍ବାନୁମାନରେ ୨୦୨୩ରେ ତାମିଲ ଚଳଚ଼ିତ୍ର ବାର୍ଷିକଭିତ୍ତିରେ ୧୫ ପ୍ରତିଶତ, ତେଲୁଗୁ ଚଳଚ଼ିତ୍ର ୫ ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଇଛି । ମାଳାୟଳମ ଚଳଚ଼ିତ୍ରରେ ସ୍ଥିତାବସ୍ଥା ବଜାୟ ରହିବା ସ୍ଥଳେ କନ୍ନଡ଼ ଚଳଚ଼ିତ୍ରରେ ସାମାନ୍ୟ ଅବନତି ସମ୍ଭବ ବୋଲି କୁହାଯାଇଛି ।
ମହାମାରୀ-ପର ଅବସ୍ଥାରେ ବଲିଉଡ଼ ତୁଳନାରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକର ସଫଳତାର ବିଭିନ୍ନ କାରଣ ବିଶ୍ଳେଷଣ କରାଯାଇଥାଏ । ପ୍ରଥମତଃ, ଓଟିଟି ଯୋଗୁଁ ବଲିଉଡ଼ ଚଳଚ଼ିତ୍ର ଦର୍ଶକଙ୍କ ସଂଖ୍ୟା କମୁଛି । ସାମଗ୍ରିକଭାବେ ଚଳଚ଼ିତ୍ର ଶିଳ୍ପ ପ୍ରତି ଓଟିଟି ଏକ ବଡ଼ ପ୍ରତିଯୋଗୀ । ସର୍ବଭାରତୀୟସ୍ତରରେ ବଲିଉଡ଼ ଚଳଚ଼ିତ୍ରର ବିକଳ୍ପ ଭାବେ ଓଟିଟି ଗଢ଼ି ଉଠୁଛି । ଅର୍ଥାତ, ସମନ୍ତରାଳ ଭାବେ ପ୍ରସ୍ତୁତ ଧାରାବାହିକଗୁଡ଼ିକ ଦର୍ଶକଙ୍କୁ ରୂପେଲି ପରଦାରୁ ଦୂରେଇ ରଖିବାରେ ସଫଳ ହେଉଛି । ଦକ୍ଷିଣ ଭାରତରେ ଓଟିଟିର ପ୍ରଭାବ ବଳବତ୍ତର ରହିଥିଲେ ହେଁ, ଚଳଚ଼ିତ୍ରଗୁଡ଼ିକ ହିଁ ଓଟିଟି ମଞ୍ଚରେ ପ୍ରଦର୍ଶିତ ହେଉଛି । ଫଳରେ ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପାରମ୍ପରିକ ପ୍ରେକ୍ଷାଳୟ ଓ ଓଟିଟି ଉଭୟ କ୍ଷେତ୍ରରେ ପ୍ରଦର୍ଶନରୁ ଲାଭବାନ ହୋଇପାରୁଛି । ଏହି ସୁବିଧା ବଲିଉଡ଼ରେ ନାହିଁ । ସର୍ବଭାରତୀୟସ୍ତରରେ ବିଭିନ୍ନ ବର୍ଗର ଦର୍ଶକଙ୍କୁ ସୁହାଇଲା ଭଳି ତଥା ଉଭୟ ମଞ୍ଚରେ ଲୋକପ୍ରିୟତା ହାସଲ କଲାଭଳି ଚଳଚ଼ିତ୍ର ନିର୍ମାଣ ହୁଏତ ସମ୍ଭବ ନହୋଇପାରେ ।
ଦ୍ୱିତୀୟତଃ, ବଲିଉଡ଼ ଚଳଚ଼ିତ୍ରର ପ୍ରେକ୍ଷାଳୟ ପ୍ରଦର୍ଶନ ମଲଟିପ୍ଳେକ୍ସ ପରିବେଶରେ ଆଶା ଅନୁରୂପ ବ୍ୟବସାୟ କରିପାରୁ ନାହିଁ । ବଡ଼ ବଜେଟର ବଲିଉଡ଼ ଚଳଚ଼ିତ୍ର ଭିନ୍ନ ମଧ୍ୟମ ଓ କ୍ଷୁଦ୍ର ବଜେଟର ଚଳଚ଼ିତ୍ର ମଲଟିପ୍ଳେକ୍ସରେ ପ୍ରଦର୍ଶନ ଲାଭଜନକ ନୁହେଁ । ଅପରପକ୍ଷେ ପାଞ୍ଚଗୋଟି ଦକ୍ଷିଣ ଭାରତୀୟ ରାଜ୍ୟରେ ମଲଟିପ୍ଳେକ୍ସ ତୁଳନାରେ ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟ ସଂଖ୍ୟା ଅଧିକ । ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ନିର୍ମାତାମାନେ ପ୍ରେକ୍ଷାଳୟ ବ୍ୟବସାୟ ସହ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ରହୁଥିବା ହେତୁ ଚଳଚ଼ିତ୍ର ପ୍ରଦର୍ଶନଗତ ଆୟ ବୃଦ୍ଧି ନିମନ୍ତେ ସମସ୍ତ ଅନୁକୂଳ ପଦକ୍ଷେପ ଗ୍ରହଣ କରିପାରୁଛନ୍ତି । ଏହା ଅନ୍ୟତ୍ର ବିରଳ ।
ତୃତୀୟତଃ, ନିକଟ ଅତୀତରେ ସର୍ବଭାରତୀୟସ୍ତରରେ ସଫଳତା ଲାଭ କରିଥିବା ଦକ୍ଷିଣ ଭାରତୀୟ ଚଳଚ଼ିତ୍ରଗୁଡ଼ିକରେ ମୌଳିକତା ଓ ବୈଷୟିକ ଚାତୁର୍ଯ୍ୟ ଉଚ୍ଚଧରଣର ଥିବା କୁହାଯାଏ । ଉଦାହରଣରେ ‘ବାହୁବଳୀ’ ୧ମ ଓ ୨ୟ, ‘ଆରଆରଆର’ ଓ ‘ପୁଷ୍ପା’ ଚଳଚ଼ିତ୍ରଗୁଡ଼ିକୁ ଆକର୍ଷଣୀୟ କରିବାଲାଗି ବହୁ ଅର୍ଥ ବ୍ୟୟ ହୋଇଥିଲା । ବଲିଉଡ଼ରେ ଅଭିନେତା ଅଭିନେତ୍ରୀଙ୍କ ମୂଳରେ ବଡ଼ ଭାଗ ଅର୍ଥ ବ୍ୟୟ ହେଉଥିବା ହେତୁ ଚଳଚ଼ିତ୍ରର ଉପାଦାନର ଉତ୍କର୍ଷ ସାଧନ ପ୍ରତି ଅର୍ଥ ଅଭାବ ଦେଖାଦେଇଥାଏ । କିନ୍ତୁ ତେଲୁଗୁ ଚଳଚ଼ିତ୍ର ଶିଳ୍ପରେ ଅଭିନେତାଙ୍କ ବାବଦରେ ୫୦ ପ୍ରତିଶତ ଖର୍ଚ୍ଚ କରାଯାଉଥିବା ସ୍ଥଳେ ଉପାଦାନ ପ୍ରସ୍ତୁତି ନିମନ୍ତେ ୫୦ ପ୍ରତିଶତ ଖର୍ଚ୍ଚ କରାଯାଉଛି । ତେଲୁଗୁ ଚଳଚ଼ିତ୍ର ତାରକାମାନେ ଚଳଚ଼ିତ୍ର ନିର୍ମାଣ ଆରମ୍ଭରେ ମାତ୍ର ୧୦ ରୁ ୨୦ ପ୍ରତିଶତ ପାରିଶ୍ରମିକ ନେଇ ବଳକା ଶୁଭମୁକ୍ତି ସମୟରେ ଗ୍ରହଣ କରିଥାନ୍ତି । ଫଳରେ ଚଳଚ଼ିତ୍ର ନିର୍ମାଣରେ ଅଧିକ ଅର୍ଥ ବିନିଯୋଗ କରିବା ନିମନ୍ତେ ପ୍ରଯୋଜକ ସୁଯୋଗ ପାଇଥାନ୍ତି ।
ମହାମାରୀ-ପର ପରିବେଶରେ ସଫଳତା ହାସଲ କରିଥିବା ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ପ୍ରବାହ ସହ ଓଡ଼ିଆ ଚଳଚ଼ିତ୍ରର ସ୍ଥିତାବସ୍ଥା ତୁଳନା କଲେ କେତେକ କ୍ରମବିକଶିତ ଦିଗ ଚର୍ଚ୍ଚାର ପରିସରକୁ ଆସିଥାଏ । ସିଆଇଆଇ ପକ୍ଷରୁ ମହାମାରୀ-ପର ଦକ୍ଷିଣ ଭାରତୀୟ ଚଳଚ଼ିତ୍ର ଶିଳ୍ପର ଆୟ ତର୍ଜମା କରି ସୂଚାଇ ଦିଆଯାଇଛି ଯେ ନିଜ ରାଜ୍ୟରେ ପ୍ରେକ୍ଷାଳୟ ପ୍ରଦର୍ଶନ ବାବଦରୁ ୨୭ ପ୍ରତିଶତ ଆୟ ହେଉଥିବା ସ୍ଥଳେ ଓଟିଟି ମଞ୍ଚରେ ପ୍ରଦର୍ଶନରୁ ୨୪ ପ୍ରତିଶତ ଆଦାୟ ହେଉଛି । ଉପଭୋକ୍ତା ଆଚ଼ରଣ ପରିବର୍ତ୍ତନ ଓ ସମ୍ଭାବ୍ୟ ଭବିଷ୍ୟତର ଡ଼ିଜିଟାଲ ରୂପାନ୍ତିକରଣ ତଥ୍ୟାବଳୀକୁ ବିଚାରକୁ ନେଲେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ହୁଏତ ଭବିଷ୍ୟତରେ ଓଡ଼ିଶା ଚଳଚ଼ିତ୍ର ଶିଳ୍ପର ସମୃଦ୍ଧି ଓଟିଟି ମଞ୍ଚରେ ପ୍ରଦର୍ଶନ ଉପରେ ନିର୍ଭରଶୀଳ ହେବ । ପାରମ୍ପରିକ ଢ଼ାଞ୍ଚାରେ ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ଅଭାବ ଓ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ୨୫-୩୦ ଲକ୍ଷରୁ କମ ବଜେଟରେ ଚଳଚ଼ିତ୍ର ନିର୍ମାଣ ହେତୁ ଓଡ଼ିଆ ଚଳଚ଼ିତ୍ର ଶିଳ୍ପର ଅଧୋଗତି ଘଟୁଥିବା ଅଭିଯୋଗ ବଦଳରେ ଓଡ଼ିଆ ଚଳଚ଼ିତ୍ର କିପରି ଓଟିଟି ମଞ୍ଚରେ ପ୍ରତିଷ୍ଠିତ ହୋଇପାରିବ, ସେଦିଗରେ ବିଚାରବିମର୍ଷ ଯୁଗଉପଯୋଗୀ ମନେହୁଏ ।
ଓଡ଼ିଶାର ଗ୍ରାମାଞ୍ଚଳରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ନିର୍ମାଣରେ ନିବେଶ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ନୁହେଁ ଏବଂ ଏଦିଗରେ ସରକାରୀ ସହାୟତା ଆଶା ବୃଥା । କିନ୍ତୁ ସବୁ କଥାରେ ଓଡ଼ିଶାବାସୀ ସରକାରୀ କୃପା ଆଶାୟୀ ଥିବା ଅବସରରେ ‘ଓଡ଼ିଶା ଚଳଚ଼ିତ୍ର ଉନ୍ନୟନ ନିଗମ’ ଭଳି ସରକାରୀ ନିୟନ୍ତ୍ରଣାଧୀନ ପ୍ରତିଷ୍ଠାନ ଓଟିଟି ମଞ୍ଚରେ ଓଡ଼ିଆ ଚଳଚ଼ିତ୍ର ପ୍ରଦର୍ଶନକୁ ଉତ୍ସାହିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିପାରିବେ । ଜାତୀୟ ଚଳଚ଼ିତ୍ର ଉନ୍ନୟନ ନିଗମ ପକ୍ଷରୁ ଏକ ଓଟିଟି ମଞ୍ଚ ପ୍ରସ୍ତୁତ ହେଉଥିବା କେନ୍ଦ୍ର ସୂଚ଼ନା ଓ ପ୍ରସାରଣ ବିଭାଗ ସଚ଼ିବ ମେ’ ୨୦୨୩ରେ ମୁମ୍ୱାଇଠାରେ ଆୟୋଜିତ ‘ଫେମ’ ଉତ୍ସବରେ ସୂଚ଼ନା ଦେଇଥିଲେ । ଚଳଚ଼ିତ୍ର ପ୍ରଦର୍ଶନ କ୍ଷେତ୍ରରେ ଡ଼ିଜିଟାଲ ରୂପାନ୍ତିକରଣରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଅନୁରୂପ ଉଦ୍ୟମ ସ୍ୱାଗତଯୋଗ୍ୟ । ଓଡ଼ିଆ ଚଳଚ଼ିତ୍ର ଉପଭୋଗ ମାନସିକତା ସୃଷ୍ଟି ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ବହୁବିଧ ରଣନୀତି ଆବଶ୍ୟକ । ଉଚ୍ଚମାନର ପୁରାତନ ଚଳଚ଼ିତ୍ର ମାଗଣାରେ ପ୍ରଦର୍ଶିତ ହେଲେ ନୂଆ ଚଳଚ଼ିତ୍ର ଆହରଣ ନିମନ୍ତେ ଦର୍ଶକଙ୍କ ଆଗ୍ରହ ବଢ଼ିବା ଆଶା କରାଯାଇପାରେ ।
ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଚଳଚ଼ିତ୍ର ଶିଳ୍ପ ପ୍ରେକ୍ଷାଳୟ ପ୍ରଦର୍ଶନକୁ ପ୍ରତ୍ୟାବର୍ତ୍ତନର ପ୍ରମାଣ ମିଳୁଥିଲେହେଁ ଓଡ଼ିଶା ଚଳଚ଼ିତ୍ର ନିମନ୍ତେ ପ୍ରେକ୍ଷାଳୟ ସହ ଡିଜିଟାଲ ମଞ୍ଚର ବିକାଶ ଜରୁରୀ । କାରଣ ସବୁ ଚଳଚ଼ିତ୍ର ପ୍ରେକ୍ଷାଳୟରେ ସଫଳତା ହାସଲ କରିପାରିବ ନାହିଁ ଏବଂ କେବଳ ପ୍ରେକ୍ଷାଳୟରେ ସଫଳତା ହାସଲ ଲକ୍ଷ୍ୟରେ ଚଳଚ଼ିତ୍ର ନିର୍ମାଣ କରାଯାଇପାରିବ ନାହିଁ । ମନୋରଞ୍ଜନ କ୍ଷେତ୍ରରେ ଆମେ ଆଦର୍ଶରେ ବାନ୍ଧି ହୋଇନରହି, କ’ଣ ହେବା ଉଚ଼ିତରେ ବିଚାର ଶେଷ ନକରି, ବାସ୍ତବକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର କିପରି ସମାଧାନ କରାଯାଇପାରିବ ସେ ଦିଗରେ ମନୋନିବେଶ କରିବା ବିଜ୍ଞତାର ପରିଚୟ । ‘ଦମନ’ ଓ ‘ପ୍ରତୀକ୍ଷା’ ପରେ ଓଡ଼ିଶାରେ ଛଅ ମାସରେ ଅନ୍ତତଃପକ୍ଷେ ସାତ ଆଠଗୋଟି ଚଳଚ଼ିତ୍ର ମୁକ୍ତିଲାଭ କରିଛି । ଏହି ଚଳଚ଼ିତ୍ରଗୁଡ଼ିକର ପ୍ରେକ୍ଷାଳୟ ପ୍ରଦର୍ଶନରେ ଦୁର୍ଦ୍ଦଶାକୁ ସଜାଡ଼ିବାକୁ ଉଦ୍ୟମ କରିବା ସମୟର ଆହ୍ୱାନ ।
