ଆଜିର ଖାସ ଖବର
Wed. Apr 22nd, 2026

୫ମ ଅସ୍ମିତା ହକି ଜୁନିୟର ମହିଳା ଲିଗ୍‌: ନାଭାଲ ଟାଟା ହକି ଏଚପିସି କ୍ୟାଡେଟଙ୍କ ଚମତ୍କାର ପ୍ରଦର୍ଶନ ସହ ଓଡ଼ିଶା ଦଳ ଚାମ୍ପିୟନ

By Admin_Dainkasha Apr22,2026

ଭୁବନେଶ୍ୱର, ୨୨ ଅପ୍ରେଲ ୨୦୨୬: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନ୍‌ଟିଏଚ୍‌ପିସି) ର କ୍ୟାଡେଟଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୫ମ ଅସ୍ମିତା ହକି ଲିଗ୍ ଜୁନିୟର ମହିଳା ଓଡ଼ିଶା ଟିମ୍ ଚାମ୍ପିୟନ ହୋଇଛି। ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ଓଡ଼ିଶା ଦଳ ମଧ୍ୟପ୍ରଦେଶକୁ ପରାସ୍ତ କରି ଟାଇଟଲ ଜିତିଛି।

ଏହି ମୁକାବିଲାରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଦଳ ୧-୧ ଗୋଲରେ ସମାନ ସ୍ଥିତିରେ ରହିଥିଲେ। ଏହାପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଓଡ଼ିଶା ଟିମ୍ ୨-୧ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାତେଇଛି। 

ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ୟାଡେଟ ପବିତ୍ର ହୋଡମ୍ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ସୁଟ୍‌ଆଉଟ୍ ବେଳେ ୪ଟି ନିର୍ଣ୍ଣାୟକ ଗୋଲକୁ ଅଟକାଇବାରେ ସେ ସଫଳ ହୋଇଥିଲେ, ଯାହା ଓଡ଼ିଶା ଟିମ୍‌ର ବିଜୟକୁ ସହଜ କରିଥିଲା।

ଟିମ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସିର ୫ ଜଣ ବର୍ତ୍ତମାନର କ୍ୟାଡେଟ ପବିତ୍ର ହୋଡମ୍‌, ଜାହ୍ନବୀ ବାଡା, ଅମିଶା ଏକ୍କା, ଡୋଲି ବୋଇ ଏବଂ ଅହଲ୍ୟା ଲାକ୍ରା ସାମିଲ ଥିଲେ।

ଏହି ସଫଳତା ସହ ବିଏସଏଫ୍ (ସୀମା ସୁରକ୍ଷା ବଳ)ର ପ୍ରତିନିଧିତ୍ୱ କରୁଥିବା ଏହି କେନ୍ଦ୍ରର ପୁରାତନ ଛାତ୍ରୀ ପ୍ରେମଶିଳା ବାଗେ ଏବଂ ଅମିଶା କୁଲୁ ମଧ୍ୟ ଓଡ଼ିଶାର ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦଳର ସପୋର୍ଟ ଷ୍ଟାଫ୍ ଭାବରେ ସହକାରୀ କୋଚ୍ (ମହିଳା) ନେହା ସିଂ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ଥିଲେ।

ଏହି ବିଜୟ ପୁଣିଥରେ ପ୍ରତିପାଦିତ କରିଛି ଯେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଶ୍ରେଷ୍ଠ ହକି ପ୍ରତିଭା ଗଢ଼ିବାରେ ଏବଂ ରାଜ୍ୟରେ ମହିଳା ହକିର ଭବିଷ୍ୟତକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଉଛି।

ଏହି ସଫଳତା ପାଇଁ ଓଡ଼ିଶା ନାଭାଲ ଟାଟା ହକି ଏଚପିସି ପକ୍ଷରୁ ସମସ୍ତ ଖେଳାଳି, କୋଚ୍ ଏବଂ ସହଯୋଗୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଯାଇଛି। ଖେଳାଳିଙ୍କ ନିରନ୍ତର ପ୍ରଚେଷ୍ଟା, ଶୃଙ୍ଖଳା ଏବଂ ହକି କ୍ଷେତ୍ରରେ ଓଡ଼ିଶାର ବଢୁଥିବା ଦକ୍ଷତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି।

Related Post