‘କୋଭିଡ଼-୧୯’ ମହାମାରୀକାଳରେ ଦୁରାବସ୍ଥାନ ନୀତି ପ୍ରଚଳନ ହେତୁ ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନଠାରୁ ଆରମ୍ଭକରି ମନୋରଞ୍ଜନ ଯାଏଁ ବିଭିନ୍ନ କ୍ଷେତ୍ରରେ ଇଣ୍ଟରନେଟଭିତ୍ତିକ କାର୍ଯ୍ୟଧାରା ଗୁରୁତ୍ୱବହନ କରିଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ମହାମାରୀ-ପୂର୍ବାବସ୍ଥାରୁ ଇଣ୍ଟରନେଟ ପ୍ରସାର ଓ ବ୍ୟବହାର ପ୍ରାୟତଃ ପୂର୍ଣ୍ଣବିକଶିତ ହୋଇସାରିଥିବା କାରଣରୁ ସେଠାକାର ଜନଜୀବନ ଅପେକ୍ଷାକୃତଭାବେ ସୁରୁଖୁରରେ ଚାଲିଥିଲା । ତେବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସଂକୁଚ଼ିତ ଇଣ୍ଟରନେଟ ସଂଯୁକ୍ତି ଏବଂ ବହୁ ସଂଖ୍ୟକ ନାଗରିକ ଇଣ୍ଟରନେଟ ବ୍ୟବହାରରେ ଅଭ୍ୟସ୍ତ ନଥିବା ହେତୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ବିଘଟନ ସୂତ୍ରପାତ ହୋଇଥିଲା । ଆମ ଦେଶରେ ମାତ୍ର ୩୦ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ ଯୋଗେ ସଂଯୁକ୍ତ ହୋଇଥିବା ଫଳରେ ପରିବର୍ତ୍ତିତ ପରିବେଶରେ ନିଜକୁ ଖାପ ଖୁଆଇପାରି ନଥିଲେ ।
ଭାରତରେ ଇଣ୍ଟରନେଟ ବିକାଶକ୍ଷେତ୍ରରେ ଗ୍ରାମାଞ୍ଚଳରେ ହାଇସ୍ପିଡ଼ ଅପ୍ଟିକାଲ ଫାଇବର ଯୋଗେ ଇଣ୍ଟରନେଟ ସଂଯୁକ୍ତି ପ୍ରାଥମିକତା ଦାବୀ କରିଥାଏ । ଦେଶର ଅଢ଼େଇ ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ନିମନ୍ତେ ୨୦୧୧ରେ ‘ନ୍ୟାସନାଲ ଅପ୍ଟିକ ଫାଇବର ନେଟୱାର୍କ’ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିଲା । ତାହା ଦୀର୍ଘ ଦଶବର୍ଷ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପୂର୍ବ ନିର୍ଦ୍ଧାରିତ ପ୍ରକଳ୍ପ କାର୍ଯ୍ୟଶେଷ ସମୟସୀମା ଇତି ମଧ୍ୟରେ ୨୦୨୧ ମଧ୍ୟଭାଗ ସୁଦ୍ଧା ୯୨ ମାସ ବିଳମ୍ୱ ହୋଇଥିବା ହିସାବ କରାଯାଏ ।
ଆମଦେଶରେ ପାରମ୍ପରିକଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରକଳ୍ପଗୁଡ଼ିକ ବିଭିନ୍ନ କାରଣରୁ ଧାର୍ଯ୍ୟ ସମୟସୀମାରେ ରୂପାୟନ ସଂଭବ ହୋଇପାରି ନଥାଏ । ଏହି ବିଳମ୍ୱକୁ ସରକାର କିମ୍ୱା ଜନସାଧାରଣ କେହି ଗୁରୁତ୍ୱ ପ୍ରଦାନ କରିନଥାନ୍ତି । ତେବେ ମହାମାରୀକାଳରେ ବିସ୍ତୃତ ଅଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଅଭାବ ହେତୁ ଜନସାଧାରଣଙ୍କ ମୌଳିକ ଜୀବନଧାରା ପରିଚାଳନାରେ ସମସ୍ୟା ଉପୁଜିଥିଲା । କେନ୍ଦ୍ର ସରକାରଙ୍କପକ୍ଷରୁ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତୁତ ହେଉଥିବା ସୂଚନା ମିଳେ ।
‘ନ୍ୟାସନାଲ ଅପ୍ଟିକ ଫାଇବର ନେଟୱାର୍କ’ ଆଶାନୁରୂପ କାର୍ଯ୍ୟଦକ୍ଷତା ପ୍ରମାଣିତ ନକରିପାରିବା ଫଳରେ ଏହି ପ୍ରକଳ୍ପକୁ ‘ଭାରତନେଟ’ ନାମିତ କରାଯାଇ ନୂତନ କାର୍ଯ୍ୟଧାରା ପ୍ରଚଳନ କରାଯାଇଥିଲା । ‘ଭାରତ ନେଟ’ର ପ୍ରଥମ ପର୍ଯ୍ୟାୟରେ ୨୦୧୯ ସୁଦ୍ଧା ଏକ ଲକ୍ଷ ଗ୍ରାମପଞ୍ଚାୟତ ଓ ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଢ଼ ଲକ୍ଷ ଗ୍ରାମପଞ୍ଚାୟତକୁ ହାଇସ୍ପିଡ଼ ଅପ୍ଟିକ ଫାଇବର ଯୋଗେ ଇଣ୍ଟରନେଟ ସଂଯୁକ୍ତି ପାଇଁ କାର୍ଯ୍ୟକ୍ରମ ପ୍ରଣୟନ କରାଗଲେ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚିବା ସଂଭବ ହୋଇପାରି ନଥିଲା । ମାର୍ଚ୍ଚ ୨୦୨୦ରେ ପ୍ରକଳ୍ପ ଶେଷ ସମୟ ସୀମାକୁ ଅଧିକା ୧୭ ମାସ, ଅଗଷ୍ଟ ୨୦୨୧ ଯାଏଁ ବଢ଼ାଇ ଦିଆଗଲା । ତେବେ ଏଥିରେ ମଧ୍ୟ ପୁନର୍ବାର ବିଫଳତା ସାମନା କରିବାକୁ ପଡ଼ିଲା ।
‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ସମ୍ୱାଦ ଅନୁଯାୟୀ ୨୫ ଜୁନ ୨୦୨୧ ସୁଦ୍ଧା ଦେଶର ଦୁଇ ଲକ୍ଷ ପଚାଶ ହଜାର ଗ୍ରାମପଞ୍ଚାୟତ ମଧ୍ୟରୁ ମାତ୍ର ଏକ ଲକ୍ଷ ପଚାଶ ହଜାର ଗ୍ରାମପଞ୍ଚାୟତରେ ଇଣ୍ଟରନେଟ ସଂଯୁକ୍ତି ସଂଭବ ହୋଇଥିଲା । ଏତଦ୍ ବ୍ୟତୀତ ଅଧିକା ୨୫ ହଜାର ଗ୍ରାମପଞ୍ଚାୟତରେ କେବୁଲ ବିଛାଇବା କାର୍ଯ୍ୟ ସରିଥିବା ସ୍ଥଳେ ବଳକା ୭୫ ହଜାର ଗ୍ରାମପଞ୍ଚାୟତରେ କେବୁଲ ବିଛାଇବା ସହ ଲକ୍ଷେ ଗ୍ରାମପଞ୍ଚାୟତ ପୂର୍ଣ୍ଣ-ଇଣ୍ଟରନେଟ ସଂଯୁକ୍ତି ଅପେକ୍ଷାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପରେ ଏହି କାର୍ଯ୍ୟ ଘରୋଇ ଠିକାଦାର ସହଯୋଗରେ ପବ୍ଳିକ-ପ୍ରାଇଭେଟ-ପାର୍ଟନର ‘ପିପିପି’ ମୋଡ଼ରେ ସାରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ୩୦ ଜୁନ ୨୦୨୧ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଥିଲା ।
ପ୍ରକାଶିତ ସମ୍ୱାଦରେ ଆହୁରି ଦର୍ଶାଯାଇଥିଲା ଯେ ‘ଭାରତନେଟ’ର ସମସ୍ତ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୁକ୍ତି ଲକ୍ଷ୍ୟରେ ବଳକା କାର୍ଯ୍ୟ ସାରିବା ନିମନ୍ତେ ପ୍ରାୟ ତିରିଶି ହଜାର କୋଟି ଟଙ୍କା ବ୍ୟୟ ହେବ । ଏହି କାର୍ଯ୍ୟଭାର ପ୍ରଦାନ ନିମନ୍ତେ ଆନ୍ତର୍ଜାତିକ ଟେଣ୍ଡର ପ୍ରକ୍ରିୟାର ଆଶ୍ରୟ ନିଆଯିବ । ଭାରତ ସରକାର ଡିଜିଟାଲ କାରିଗରୀ କୌଶଳ ବିକାଶକୁ ଅଗ୍ରାଧିକାର ଦେଉଥିବା ସ୍ଥଳେ ଦେଶର ଅଭ୍ୟନ୍ତରୀଣ ଅଞ୍ଚଳରେ ଇଣ୍ଟରନେଟ ସଂଯୁକ୍ତି ଅଭାବ ତଥା ସେଦିଗରେ ଉଦ୍ୟମର ବିଫଳତା ଉଦବେଗ ସୃଷ୍ଟି କରିବା ସ୍ୱାଭାବିକ । ଅପରପକ୍ଷେ ମହାମାରୀଜନିତ ପରିସ୍ଥିତିରେ ଇଣ୍ଟରନେଟ ସଂଯୁକ୍ତିର ସର୍ବାଧିକ ଗୁରୁତ୍ୱ ଅନୁଭୂତ ହେଉଥିଲେହେଁ ଏଦିଗରେ ସୁବିଧା ସୁଯୋଗର ଅଭାବ ଅସହାୟତା ପ୍ରମାଣିତ କରିଥାଏ । ପରିସ୍ଥିତି ସୁଧାରିବା ଉଦ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇକରଣ ନୀତି ପ୍ରଣୟନ କରିଥିବା ବିଚାର କରାଯାଏ ।
‘ଭାରତନେଟ’ର ପିପିପି ସୂତ୍ରରେ ହାଇସ୍ପିଡ଼ ଅପଟିକ ଫାଇବର ଯୋଗେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗ ୧୬ ଗୋଟି ରାଜ୍ୟରେ ଅବଶିଷ୍ଟ କାର୍ଯ୍ୟ ଆରମ୍ଭ କରାଯିବା ଅବସରରେ ଓଡ଼ିଶା ସେଥିରେ ସାମିଲ ହୋଇଥିଲା । ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ଓଡ଼ିଶା ପଛୁଆ ରହିଆସିଛି । ଜାନୁୟାରୀ ୨୦୨୧ ଦ୍ୱିତୀୟ ସପ୍ତାହରେ ‘ଭାରତନେଟ’ର ରାଜ୍ୟସ୍ତରୀୟ ବୈଠକରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୭୫ ବ୍ଳକ ଓ ୩୭୭୦ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ପହଞ୍ଚିସାରିଥିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୩୩ ବ୍ଳକ ଓ ୨୯୫୪ ଗ୍ରାମପଞ୍ଚାୟତାକୁ ଇଣ୍ଟରନେଟ ସଂଯୋଗ କାମ ହାତକୁ ନିଆଯାଇଥିବା ତଥ୍ୟ ଉପସ୍ଥାପିତ କରାଯାଇଥିଲା ।
ଓଡ଼ିଶାରେ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଆଗୁଆ ରହିଥିଲା । ତା’ପରକୁ ଭଦ୍ରକ, ଜଗତସିଂହପରୁ, ଯାଜପୁର, କେନ୍ଦ୍ରପଡ଼ା, ପୁରୀ, ଖୋର୍ଦ୍ଦା ଓ କଟକ ଜିଲ୍ଲାର ସ୍ଥାନ । ଅପରପକ୍ଷେ କନ୍ଧମାଳ ଜିଲ୍ଲା ସର୍ବାପେକ୍ଷା ପଛୁଆଥିବା ସ୍ଥଳେ କ୍ରମାନ୍ୱୟରେ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ୧୬୪୨, ୧୪୯୮ ଓ ୧୦୨୦ ଗ୍ରାମରେ ଇଣ୍ଟରନେଟ ବ୍ୟବସ୍ଥା ନଥିବା ଜଣାଯାଏ । ମହାମାରୀ ପୂର୍ବରୁ ୨୦୧୯ ଜୁଲାଇ ୨୪ ତାରିଖରେ ଲୋକସଭାରେ ପ୍ରଦତ୍ତ ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାର ୪୭,୬୭୭ ରାଜସ୍ୱ ଗ୍ରାମ ମଧ୍ୟରୁ ୯,୯୪୦ରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିଲା । ପରିବେଶ ପତ୍ରିକା ‘ଡ଼ାଉନ-ଟୁ-ଆର୍ଥ’ରେ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ରାଜ୍ୟର ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ସହରାଞ୍ଚଳରେ ୮୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ଅନ୍ତର୍ଭୁକ୍ତ । ଏପ୍ରିଲ ୨୦୨୧ ସୁଦ୍ଧା ଜାତୀୟସ୍ତରରେ ଟେଲି-ସାନ୍ଦ୍ରତା ୮୮.୭୭ ପ୍ରତିଶତ ଥିବା ସ୍ଥଳେ ଓଡ଼ିଶାରେ ଦଶ ପ୍ରତିଶତ କମ, ୭୮.୭୯ ପ୍ରତିଶତ ରହିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ରିପୋର୍ଟରୁ ଜଣାଯାଏ ।
ବିଳମ୍ୱିତ ହେଲେ ସୁଦ୍ଧା ଦେଶ ତଥା ରାଜ୍ୟର ଅଭ୍ୟନ୍ତରୀଣ ଅଞ୍ଚଳରେ ହାଇସ୍ପିଡ଼ ଅପଟିକ ଫାଇବର ଯୋଗେ ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ଇଣ୍ଟରନେଟ ସଂଯୁକ୍ତି ଗୁରୁତ୍ୱ ବହନ କରିଥାଏ । ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ବାଣିଜ୍ୟ-ବ୍ୟବସାୟ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରଶାସନରେ ଅନଲାଇନ ଉପସ୍ଥିତି ସାଧାରଣ ନାଗରିକଙ୍କ ପାଇଁ ଏକ ମୌଳିକ ଆବଶ୍ୟକତାରେ ପରିଣତ ହେବା ସୁସ୍ପଷ୍ଟ । ଘରୋଇ ଉଦ୍ୟୋଗରେ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଡ଼ାଟା ଦର ଆଶାତୀତ ହ୍ରାସ ଦେଶରେ ଦେଖାଯାଇଥିବା ଇଣ୍ଟରନେଟ ବ୍ୟବହାର ବୃଦ୍ଧି ଏବଂ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ସୁଲଭ ଦରରେ ସ୍ମାର୍ଟଫୋନ ଯୋଗାଣଭଳି ଆକର୍ଷଣୀୟ ସୁଯୋଗ ଉପଭୋକ୍ତାଙ୍କ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନର ସଙ୍କେତ ଦିଏ । ସର୍ବୋପରି ୫ଜି ଟେଲିଯୋଗାଯୋଗ ବୈଷୟିକ କୌଶଳ ଇଣ୍ଟରନେଟ ଉପଯୋଗରେ ଅଭୂତପୂର୍ବ ପରିବର୍ତ୍ତନର ସୂତ୍ରଧର ସାଜିବା ନିଶ୍ଚିତ । ଏହି ପରିପ୍ରେକ୍ଷୀରେ ‘ଭାରତନେଟ’ର ପଦକ୍ଷେପ ସମୟଉପଯୋଗୀ ବିଚାର କରାଯାଏ ।
