ଆଜିର ଖାସ ଖବର
Sun. May 31st, 2026

ପରିବର୍ତ୍ତନ ଦ୍ୱାରଦେଶରେ ଓଡ଼ିଆ ଚଳଚ଼ିତ୍ର

By Dainikasha Jul11,2024

ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ବ୍ୟାପକ ପରିବର୍ତ୍ତନ ଦ୍ୱାରଦେଶରେ ଉପନୀତ । ଆନ୍ତର୍ଜାତିକସ୍ତରରେ ଚଳଚ଼ିତ୍ରର ସଂଜ୍ଞା ବଦଳି ଚାଲିଥିବା ଅବସରରେ ଓଡ଼ିଆ କାହିଁକି କୌଣସି ଆଞ୍ଚଳିକ ଭାଷାର ଚଳଚ଼ିତ୍ର ଶିଳ୍ପ ସେହି ପ୍ରକ୍ରିୟାରୁ ନିବୃତ୍ତ ରହି ପାରମ୍ପରିକ ଆଙ୍ଗିକ ବଜାୟ ରଖିବା ଆଶା ଅମୂଳକ ।

ବିଂଶ ଶତାଦ୍ଦୀ ଆରମ୍ଭରୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ପ୍ରଦର୍ଶନ-କେନ୍ଦ୍ରୀକ ଶିଳ୍ପରୂପେ ବିକଶିତ ହୋଇଥିଲା । ବିକଶିତ ରାଷ୍ଟ୍ରଗୁଡ଼ିକରେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଏବଂ ଭାରତରେ ଶେଷ ଦୁଇ ଦଶକରେ ଟେଲିଭିଜନ ପ୍ରସାର ପରେ ମଧ୍ୟ ଚଳଚ଼ିତ୍ର ପ୍ରଦର୍ଶନର ବିକଳ୍ପ ମଞ୍ଚ ପ୍ରଚଳନରେ ପ୍ରେକ୍ଷାଳୟ ପ୍ରଦର୍ଶନ ବିଶେଷ କ୍ଷତିଗ୍ରସ୍ତ ହେବା ଆକଳନ କରାଯାଇପାରୁନଥିଲା । ତେବେ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନର ମୌଳିକ ଢ଼ାଞ୍ଚା ନୀରବରେ ବଦଳି ଚାଲିଥିଲା ।

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଇଣ୍ଟରନେଟ ମଞ୍ଚର ପ୍ରସାର ଦ୍ୱିତୀୟ ଦଶକରେ ସ୍ମାର୍ଟଫୋନ ବ୍ୟବହାର ସହ ଓଭର-ଦି-ଟପ ପ୍ରସାରଣର ଲୋକପ୍ରିୟତା ଭାରତୀୟ ଚଳଚ଼ିତ୍ର ଶିଳ୍ପ ବ୍ୟବସାୟକୁ ଦୋହଲାଇ ଦେଇଥିଲା । ‘କୋଭିଡ଼-୧୯’ ମହାମାରୀ ପୂର୍ବରୁ ଯେଉଁ ପରିବର୍ତ୍ତନ ନିମନ୍ତେ ପୂର୍ବ-ପ୍ରସ୍ତୁତି ଚାଲିଥିଲା ତାହା ମହାମାରୀ କାଳରେ ଦୀର୍ଘ ଦୁଇବର୍ଷ ଧରି ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ବନ୍ଦ ଫଳରେ ଉଭୟ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ବ୍ୟବସ୍ଥାକୁ ଓଲଟପାଲଟ କରିପକାଇଲା । ମହାମାରୀ-ପର ପରିବର୍ତ୍ତିତ ପରିବେଶ ‘ନିଉ-ନରମାଲ’ରେ ଚଳଚ଼ିତ୍ର ଶିଳ୍ପକୁ ନୂତନ ଆଙ୍ଗିକରେ ନିଜକୁ ସଜାଡ଼ିବା ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି କହିବାକୁ ହେବ ।

ଓଡ଼ିଶାରେ ୧୯୨୮ରୁ ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନର ୯୪ ବର୍ଷ, ୧୯୩୬ରୁ ଓଡ଼ିଆ ଚଳଚ଼ିତ୍ର ନିର୍ମାଣର ୮୬ ବର୍ଷର ଇତିହାସ ରହିଥିଲେ ହେଁ ୧୯୭୬ରେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ନବଜାଗରଣପରଠୁ ୪୬ ବର୍ଷ ଧରି ଉଲ୍ଲେଖନୀୟ ଅଗ୍ରଗତି ଲକ୍ଷ୍ୟ କରାଯାଇପାରେ । ମହାମାରୀ କାଳରେ ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜନା ଓ ପ୍ରଦର୍ଶନ ଦୁଇ ବର୍ଷ ଧରି କ୍ଷତିଗ୍ରସ୍ତ ହେବା ପରେ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ କେତୋଟି ମୌଳିକ ପରିବର୍ତ୍ତନ ବିତର୍କର ବିଷୟବସ୍ତୁ ପାଲଟିଥିଲା ।

ପ୍ରଥମତଃ, ପ୍ରେକ୍ଷାଳୟ ପ୍ରଦର୍ଶନ ଦୀର୍ଘଦିନ ବନ୍ଦ ରହିଥିବା, ବ୍ୟବସାୟରେ କ୍ରମାଗତ ମନ୍ଦାବସ୍ଥା ଫଲରେ ପ୍ରେକ୍ଷାଳୟ ସଂଖ୍ୟା କମି ଆସୁଥିବା କାରଣରୁ ଓଡ଼ିଆ ଚଳଚ଼ିତ୍ର ୨୦୨୨ ସୁଦ୍ଧା ଟେଲିଭିଜନ ଓ ମୋବାଇଲ ପରଦା କେନ୍ଦ୍ରୀକ ପ୍ରଦର୍ଶନ ଆଶ୍ରିତ ମଡ଼େଲରେ ବିକଶିତ ହେବାରେ ଲାଗିଛି । ଫଳରେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ସଂଖ୍ୟାଧିକ ଓଡ଼ିଆ ଚଳଚ଼ିତ୍ରର ପ୍ରଯୋଜକ । ପ୍ରେକ୍ଷାଳୟ ପ୍ରଦର୍ଶିତ ଓ ଟେଲିଭିଜନ ପ୍ରଦର୍ଶିତ ଚଳଚ଼ିତ୍ର ପ୍ରଯୋଜନା ମଡ଼େଲ ଭିନ୍ନ ରହିବା ସ୍ୱାଭାବିକ । ଟେଲିଭିଜନ ପ୍ରଦର୍ଶନର ଆୟକୁ ଭିତ୍ତିକରି ପ୍ରଯୋଜନା ବ୍ୟୟ ହିସାବ ଯୁକ୍ତିଯୁକ୍ତ ।

ଫଳରେ ମହାମାରୀ-ପର ପରିବେଶରେ ଓଡ଼ିଆ ଟେଲିଭିଜନ ବଜାରକୁ ଭିତ୍ତିକରି ଚଳଚ଼ିତ୍ର ପ୍ରଯୋଜନା ଖର୍ଚ୍ଚ ୧୫ ରୁ ୧୭ ଲକ୍ଷକୁ କମି ଆସିଛି । ଏହି ପରିବର୍ତ୍ତନରେ ଓଡ଼ିଆ ଚଳଚ଼ିତ୍ର ଶିଳ୍ପରେ ବୃତ୍ତିଗତଭାବେ ନିୟୋଜିତ ସୃଜନ ଓ ବୈଷୟିକ କର୍ମ୍ମୀ କ୍ଷୁବଧ । କିନ୍ତୁ ଅପରପକ୍ଷରୁ ବିଚାର କଲେ ଓଡ଼ିଶାରେ ଯଦି ପ୍ରେକ୍ଷାଳୟ ସଂଖ୍ୟା ୨୦୦୦ରେ ୨୦୦ରୁ ୨୦୧୫ରେ ୮୫ ଏବଂ ୨୦୨୨ରେ ୬୦କୁ କମି ଆସିଲାଣି ଏବଂ ଟେଲିଭିଜନ ପ୍ରସାରଣକୁ ଆଶ୍ରୟକରି ଆଗକୁ ବଢ଼ିବାକୁ ହେବ, ତେବେ ଟେଲିଭିଜନ ଆୟକୁ ଭିତ୍ତିକରି ବ୍ୟୟ ବ୍ୟତୀତ ଅନ୍ୟ କ’ଣ ଉପାୟ ଅଛି ?

ଦ୍ୱିତୀୟତଃ, ଅଭିଯୋଗ ଉଠେ ଏଣିକି ଦୁଇ ସପ୍ତାହରେ ଗୋଟିଏ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ସରୁଛି । ତିନି ଦିନରେ ଗୀତ ରେକଡ଼ିଂ ଓ ସାତ ଦିନରେ ସୁଟିଂ ସୀମିତ । ଟେଲିଭିଜନ ଚ୍ୟାନେଲ ନିମନ୍ତେ ଚଳଚିତ୍ର ନିର୍ମାଣ ପଦ୍ଧତି ପାରମ୍ପରିକ ଚଳଚ଼ିତ୍ର ନିର୍ମାଣ ଧାରାଠାରୁ ଭିନ୍ନ । ଭାରତ ସ୍ୱାଧୀନତା ଲାଭ କଲାବେଳକୁ ବଲିଉଡ଼ରେ ଦୈନନ୍ଦିନ ଚଳଚ଼ିତ୍ର ନିର୍ମାଣ କାର୍ଯ୍ୟ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୪ରୁ ଆରମ୍ଭ ହୋଇ ରାତି ୧୦ ରୁ ୧୧ ଯାଏଁ ଚାଲୁଥିଲା । ସୁଟିଂ ଫ୍ଲୋର କିମ୍ୱା ଏଡ଼ିଟିଂ ଟେବୁଲରେ ସ୍କ୍ରିପ୍ଟର ଗୁରୁତ୍ୱ ରହୁନଥିଲା । ନିର୍ଦ୍ଦେଶକ କିମ୍ୱା ଷ୍ଟାର ଚାହିଁଲେ ତତକ୍ଷଣାତ ଚଳଚ଼ିତ୍ରର ରୂପରେଖ ବଦଳି ଯାଉଥିଲା । କିନ୍ତୁ ‘ଜଂଜିର’, ‘ସୋଲେ’ ପରେ କେବଳ ସ୍କ୍ରିପ୍ଟର ଗୁରୁତ୍ୱ ବଢ଼ିଲାନି, ସ୍କ୍ରିନ-ପ୍ଳେ ଲେଖା ସରିବାପରେ ଅଧ-ଡ଼ଜନେ ସ୍କ୍ରିପ୍ଟ-ଟେଷ୍ଟର ସମୀକ୍ଷା କରିବା ଧାରା ଆରମ୍ଭ ହେଲା ।

ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବଲିଉଡ଼ରେ ସୁଟିଂ ଓ ଏଡ଼ିଟିଂ ପ୍ରାୟତଃ ୯ ରୁ ୫ କାର୍ଯ୍ୟନିର୍ଘଣ୍ଟକୁ ଆବୋରି ନେଇଛି । ଏଥିପାଇିଁ ବଲିଉଡ଼ ଚଳଚ଼ିତ୍ର ପ୍ରଯୋଜନାରେ ବୈଦେଶିକ ଆର୍ଥିକ ନିବେଶ, ଷ୍ଟୁଡ଼ିଓ ସଂସ୍କୃତିର ବିକାଶ ଓ ଟେଲିଭିଜନ ପ୍ରୋଡ଼େକସନର ପ୍ରଭାବକୁ ଦାୟୀ କରାଯାଇପାରେ ।

ତୃତୀୟତଃ, ଉଭୟ ଚଳଚ଼ିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମ ନିର୍ମାଣଲାଗି ବୈଷୟିକ କାରିଗରୀ କୌଶଳରେ ଅଗ୍ରଗତି ସମଗ୍ର ସୃଜନ ଓ ପ୍ରଦର୍ଶନ ପରିଧିରେ ବ୍ୟାପକ ପରିବର୍ତ୍ତନର ସୂତ୍ରଧର । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ବଲିଉଡ଼ରେ ଗୋଟିଏ ସଟ ନେବା ପାଇଁ ଅନ୍ୟୂନ ଦେଢ଼ରୁ ଦୁଇ ଘଣ୍ଟା ବିନିଯୋଗ ଏବଂ କ୍ୟାମରା ବୋହିବା ନିମନ୍ତେ ଟ୍ରଲି କିମ୍ୱା କ୍ରେନ ସହ ଦୁଇ ଚାରିଜଣ ସହଯୋଗୀ ଆବଶ୍ୟକ ପଡୁଥିଲା । ସେହିପରି ସାଧାରଣରେ ଦଶ ମିଟର ଫିଲ୍ମ ଏଡ଼ିଟିଂ ପାଇଁ ଦଶ ଘଣ୍ଟା ବଦଳରେ ବର୍ତ୍ତମାନ ଦଶ ମିନଟରେ ସଂଭବ ହୋଇପାରୁଛି । ବିନା ଲାଇଟରେ ସୁଟିଂଠାରୁ ଆରମ୍ଭ କରି ଟେମ୍ପଲେଟ ବ୍ୟବହାରରେ ଏଡ଼ିଟିଂ ଯାଏଁ ଚଳଚ଼ିତ୍ର ନିର୍ମାଣ ଲାଗି ବିବିଧ ସୁବିଧା ସୁଯୋଗ ଉପଲବ୍ଧ । ଓଡ଼ିଆ ଚଳଚ଼ିତ୍ର କ’ଣ ଏଗୁଡ଼ିକ ବ୍ୟବହାର କରିବନି ?

ପ୍ରଶ୍ନ ଉଠେ, ଏହି ପରିବର୍ତ୍ତିତ ପରିବେଶ ‘ନ୍ୟୂ-ନରମାଲ’ରେ ସୃଜନ ହଜି ଯାଉନି ତ ? ମୋଟରୁ ନୁହେଁ, ବରଂ ସୃଜନର ପରିସର ବ୍ୟାପ୍ତି ଲାଭ କରିଛି । ସପ୍ତାହକର ସୁଟିଂ ପାଇଁ ଆଲଫ୍ରେର୍ଡ ହିଚକକ୍, ସତ୍ୟଜିତ ରାୟ, ଶ୍ୟାମ ବେନେଗାଲ କେତେ ସମୟ ପୂର୍ବ ପ୍ରସ୍ତୁତିରେ ସମୟ ବିନିଯୋଗ କରିଥାନ୍ତି ? ସ୍କ୍ରିନ-ପ୍ଳେ ରାଇଟିଂରେ କେତେ ଥର ଡ୍ରାଫ୍ଟ ବଦଳାଯାଏ ? ଦୃଶ୍ୟାବଳୀର ସୁକ୍ଷ୍ମାତିସୁକ୍ଷ୍ମ ବିଶ୍ଳେଷଣ ପାଇଁ ପ୍ରପର୍ଟି ଖୋଜିବାରେ କେତେ ସ୍ଥାନରେ ଖୋଜନ୍ତି ? ଆଉ ଇକ୍ୟୁପମେଣ୍ଟ କଥା । ବିଗତ ପାଞ୍ଚ ବର୍ଷରେ ଏସଏଲଆର କ୍ୟାମେରାରେ ନିର୍ମିତ ‘ଭିଲେଜ ରକ ଷ୍ଟାର’, ‘ରାଇଟିଂ ଉଇଥ ଫାଏର’ ଭଳି ଭାରତୀୟ ଚଳଚ଼ିତ୍ର ଯଦି ଓସ୍କାର-ନୋମିନେସନସ୍ତରକୁ ଯାଇପାରିଲା ପ୍ରତିଭାଧାରୀଙ୍କ ପାଇଁ ଅସୁବିଧା ରହିଲା କେଉଁଠି ?

ପରିବର୍ତ୍ତନ ଦ୍ୱାରଦେଶରେ ଓଡ଼ିଆ ଚଳଚ଼ିତ୍ର ଉପନୀତ ଥିବା ସ୍ଥଳେ ଚଳଚ଼ିତ୍ର ନିର୍ମାଣଗତ ବିଭିନ୍ନ ଦିଗ ସଂପର୍କରେ ଆଲୋଚ଼ନା ସମୀଚ଼ୀନ । ତେବେ ଏଠାରେ ଏକ ମୌଳିକ ସମସ୍ୟାକୁ ବିଚାରକୁ ନିଆଯାଉ । ଚଳଚ଼ିତ୍ର ନିର୍ମାଣରେ ଉତ୍କର୍ଷ ଚଳଚ଼ିତ୍ର ପଟ୍ଟକଥା ‘ସ୍କ୍ରିନ-ପ୍ଳେ’ ଉପରେ ସର୍ବାଧିକ ନିର୍ଭରଶୀଳ । ପ୍ରଖ୍ୟାତ ହଲିଉଡ଼ ଚଳଚ଼ିତ୍ର ନିର୍ମାଣ-ନିର୍ଦ୍ଦେଶକ ହିଚକକ କହୁଥିଲେ ଚଳଚ଼ିତ୍ର ନିର୍ମାଣ ମାନେ “ପଟ୍ଟକଥା, ପଟ୍ଟକଥା ଏବଂ ପଟ୍ଟକଥା ।” ଦୃଶ୍ୟଶ୍ରାବ୍ୟ ଉପାଦାନ ‘ସ୍କ୍ରିନ ପ୍ଳେ’ ବା ଚଳଚ଼ିତ୍ର ନିର୍ମାଣ ଉପଯୋଗୀ ସୃଜନ ଚିଠା ‘ପଟ୍ଟ କଥା’ ଓଡ଼ିଆ ଚଳଚ଼ିତ୍ର ଓ ସାହିତ୍ୟରେ ଏକ ଅବହେଳିତ ଦିଗ । ଶବ୍ଦକୋଷ ବର୍ଣ୍ଣନାରେ ‘ପଟ’ ଥିଏଟର ସିନ ବା ପର୍ଦା, ଦୃଶ୍ୟପଟ, ଛବି ବା ଦୃଶ୍ୟପଟକୁ ବୁଝାଏ । ଏଣୁ ଇଂଲିଶ ଶବ୍ଦ ‘ସ୍କ୍ରିନ ପ୍ଳେ’ର ଓଡ଼ିଆ ଅନୁବାଦ ‘ପଟ୍ଟକଥା’ ଯୁକ୍ତିଯୁକ୍ତ ।

ଓଡ଼ିଆ ସାହିତ୍ୟରେ ବିଭିନ୍ନ ବିଭବ ସଂବଳିତ ମୁଦ୍ରିତ ପୁସ୍ତକ ପ୍ରକାଶିତ ହୋଇ ଆସୁଥିବା ସ୍ଥଳେ ପଟ୍ଟକଥାର ସଂଖ୍ୟା ଆଙ୍ଗୁଠି ଗଣତିରେ ସୀମିତ । ସମକାଳୀନ ସାହିତ୍ୟରେ ମୁଖ୍ୟତଃ କ୍ଷୁଦ୍ରଗଳ୍ପ, ଆତ୍ମଜୀବନୀ, ଉପନ୍ୟାସ, ଭ୍ରମଣ ଓ ସମାଲୋଚ଼ନା ସାହିତ୍ୟ ପାଞ୍ଚଗୋଟି ବିଭାଗରେ ମୁଦ୍ରିତ ପୁସ୍ତକ ସଂଖ୍ୟା ଅଧିକ । କବିତା ସଂକଳନ ପ୍ରକାଶନ ପୂର୍ବବର୍ଷଗୁଡ଼ିକ ତୁଳନାରେ କମି ଆସିଛି । ଗବେଷଣା ଓ ଅଧ୍ୟାପନା ଉପଯୋଗୀ ସମାଲୋଚ଼ନା ସାହିତ୍ୟଭିତ୍ତିକ ପୁସ୍ତକ ପ୍ରକାଶନ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାଏ । ଅତୀତରେ ନାଟ୍ୟ ସାହିତ୍ୟ ଉଲ୍ଲେଖନୀୟ ସ୍ଥିତିରେ ଥିବା ସ୍ଥଳେ ପ୍ରାୟ ଚାରି ଦଶନ୍ଧି ଧରି ଅବହେଳିତ । ମୋଟ ଉପରେ ପଟ୍ଟକଥା ରଚନା ଓଡ଼ିଆ ସାହିତ୍ୟ ପ୍ରକାଶନର ଏକ ଅଂଶ ଭାବେ ଖୋଜି ପାଇହୁଏନା ।

ଓଡ଼ିଆ ଭାଷାରେ ଚଳଚ଼ିତ୍ର ନିର୍ମାଣ ସଂଖ୍ୟା ସୀମିତ ରହି ଆସିଥିବା ଏବଂ ଉନ୍ମେଷକାଳରୁ ଲେଖକମାନଙ୍କୁ ଚଳଚ଼ିତ୍ର ନିର୍ମାଣ ପ୍ରକ୍ରିୟାରେ ସାମିଲ କରାଯାଉନଥିବା ହେତୁ ମୌଳିକ ପଟ୍ଟକଥା ପ୍ରାୟ ସମ୍ଭବ ହୋଇପାରି ନାହିଁ । ସ୍ୱାଧୀନୋତ୍ତର ଅବସ୍ଥାରେ ଗତ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦୁଇ ଦଶକରେ କେତେକ ଲୋକପ୍ରିୟ ଓଡ଼ିଆ ଉପନ୍ୟାସକୁ ଆଧାର କରି ଚଳଚ଼ିତ୍ର ନିର୍ମିତ ହୋଇଥିଲା । ଏହି କ୍ଷେତ୍ରରେ ପ୍ରକାଶିତ ଉପନ୍ୟାସକୁ ଆଧାରକରି ପଟ୍ଟଚ଼ିତ୍ର ପ୍ରସ୍ତୁତ କରାଯାଇଥିଲା । ମୌଳିକ ରଚନା ସଂଭବ ହୋଇପାରି ନଥିଲା ।

ପରବର୍ତ୍ତୀ ତିନି ଦଶକ ବିଂଶ ଶତାଦ୍ଦୀର ଅଷ୍ଟମ, ନବମ ଓ ଶେଷ-ଦଶକରେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ସୃଜନକୁ ଅଣଦେଖା କରି ବୈଷୟିକ କୌଶଳକୁ ଭିତ୍ତିକରି ଚଳଚ଼ିତ୍ର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଥିଲା । ଫଳତଃ ପ୍ରତିବେଶୀ ଭାଷାର ସଫଳ ଚଳଚ଼ିତ୍ରଗୁଡ଼ିକର ଅନୁକରଣ ଧାରା ଗୁରୁତ୍ୱ ଲାଭ କରିଥିଲା । ମହାମାରୀ-ପର ପରିବେଶରେ ଅନୁକରଣ ଧାରାକୁ ବିରୋଧ ସ୍ୱାଗତଯୋଗ୍ୟ । ତେବେ ଏହି ବିରୋଧ ୩୦-୩୫ ବର୍ଷ ତଳୁ ପ୍ରତିଧ୍ୱନିତ ହେବା ଆବଶ୍ୟକ ଥିଲା ।

ଚଳଚ଼ିତ୍ର ପଟ୍ଟକଥା ରଚନାରେ ସୃଜନ ସାଙ୍ଗକୁ ଚଳଚ଼ିତ୍ର ନିର୍ମାଣ କଳା-କୌଶଳ ସଂପର୍କରେ ଜ୍ଞାନ ଆବଶ୍ୟକ । ଚଳଚ଼ିତ୍ରର ବ୍ୟାକରଣ ସ୍ୱତନ୍ତ୍ର । ଦୃଶ୍ୟ ମାଧ୍ୟମରେ ସୃଜନ ନିମନ୍ତେ ଅତ୍ୟାଧୁନିକ କାରିଗରୀ କୌଶଳ ଉପଯୋଗ ଲାଗି ଧ୍ୟାନ ଦେବାକୁ ପଡିଥାଏ । ତେଣୁ ପଟ୍ଟକଥା ଲେଖକମାନେ ସାହିତ୍ୟ ଓ ଚଳଚ଼ିତ୍ର ଉଭୟ କ୍ଷେତ୍ରରେ ଦକ୍ଷତା ହାସଲ ଅନିର୍ବାଯ୍ୟ ।

ଓଡ଼ିଆ ଚଳଚ଼ିତ୍ର ପଟ୍ଟକଥା ରଚନାରେ ପଛୁଆ ପଡିଥିବାର ବିଭିନ୍ନ କାରଣ ମଧ୍ୟରେ ସାହିତ୍ୟ ଓ ଚଳଚ଼ିତ୍ର ଉଭୟ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରିଲା ନାହିଁ । ଓଡ଼ିଆ ଚଳଚ଼ିତ୍ର ନିର୍ଦ୍ଦେଶକମାନେ ନିଜସ୍ୱ ଦକ୍ଷତାରେ ବିଶ୍ୱାସ କାରଣରୁ ସାହିତ୍ୟିକମାନଙ୍କୁ ଅଣଦେଖା କଲେ । ଓଡ଼ିଆ ଚଳଚ଼ିତ୍ର ପ୍ରଯୋଜକମାନେ କାରିଗରୀ କୌଶଳ କିମ୍ୱା ବ୍ୟବସାୟ କୌଣସିଟି କ୍ଷେତ୍ରରେ ଦକ୍ଷ ନଥିବା ତଥା ଚଳଚ଼ିତ୍ରରେ ଉତ୍କର୍ଷ ବିକାଶ ନିମନ୍ତେ ଯତ୍ନବାନ ନଥିବା ହେତୁ ପଟ୍ଟକଥା ରଚନା ବିଭବଟି ଓଡ଼ିଆ ଚଳଚ଼ିତ୍ର କ୍ଷେତ୍ରରେ ନବଜାଗରଣର ଅର୍ଦ୍ଧ ଶତାଦ୍ଦୀର ଇତିହାସରେ ଅବହେଳିତ ହୋଇ ପଡିରହିଛି ।

ଚଳଚ଼ିତ୍ର ପଟ୍ଟକଥା ରଚ଼ନା ଏକ ସୃଜନ କଳା ଏବଂ ଏହାର ବିକାଶ ନିମନ୍ତେ ବ୍ୟକ୍ତିଗତ ଉଦ୍ୟମ ହିଁ ସର୍ବାପେକ୍ଷା ପ୍ରଭାବଶାଳୀ । ତେବେ ଯଦି ବର୍ତ୍ତମାନ ଟେଲିଭିଜନ ଚ୍ୟାନେଲମାନେ ଓଡ଼ିଆ ଚଳଚ଼ିତ୍ର ନିର୍ମାଣରେ ପାଦ ଥୋଉଛନ୍ତି, ତେବେ ଚଳଚ଼ିତ୍ର ପଟ୍ଟକଥା ଲେଖନକୁ ଉତ୍ସାହିତ କରିବା ନିମନ୍ତେ ସାମୟିକ ଭାବେ ଲେଖକ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରିପାରନ୍ତି । ଭଲ ପଟ୍ଟକଥା ଉପଲବ୍ଧ ହେଲେ ଚ୍ୟାନେଲମାନେ ଭଲ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କରିପାରିବେ ଏବଂ ବ୍ୟାବସାୟିକ ଦୃଷ୍ଟିରୁ ଲାଭବାନ ହେବେ । ଚଳଚ଼ିତ୍ର ଉନ୍ନୟନ ନିଗମ, ସାହିତ୍ୟ ଓ ସଂଗୀତ ନାଟକ ଏକାଡ଼େମୀ, ଭଷା ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟସ୍ତରର ସ୍ନାତକୋତ୍ତର ଗଣଯୋଗାଯୋଗ ଶିକ୍ଷାୟତନଗୁଡ଼ିକ ମଧ୍ୟ ଏଦିଗରେ ପଦକ୍ଷେପ ନେବା ସଂଭବ । ଓଡ଼ିଆ ଚଳଚ଼ିତ୍ରରେ ଗୁଣାତ୍ମକ ବିକାଶ ଓ ମୌଳିକତା ପରିସ୍ପୁଟନ ନିମନ୍ତେ ପଟ୍ଟକଥା ରଚନାକୁ ପ୍ରାଥମିକତା ଦେବା ସମୟର ଆହ୍ୱାନ । 

Related Post