ଆଜିର ଖାସ ଖବର
Mon. Jul 27th, 2026

ସଙ୍କୁଚ଼ିତ ଇଣ୍ଟରନେଟ ବ୍ୟବହାର

By Dainikasha Jul11,2024

ଭାରତରେ ଇଣ୍ଟରନେଟ ସଂଯୁକ୍ତି ସଂଖ୍ୟା ୨୦୧୮ ମଧ୍ୟଭାଗ ସୁଦ୍ଧା ସରକାରୀଭାବେ ୫୦ କୋଟି ଦାବୀ କରାଯାଉଥିବା ସ୍ଥଳେ ବେସରକାରୀ ସୂତ୍ରରେ ପ୍ରାୟ ୩୯ କୋଟି ଇଣ୍ଟରନେଟ ବ୍ୟବହାରକାରୀ ଥିବା କୁହାଯାଉଛି । ଇଣ୍ଟରନେଟ ମଞ୍ଚ ସଂପର୍କୀତ ଗବେଷଣାରେ ଖ୍ୟାତିଲାଭ କରିଥିବା ଗୁଗୁଲ, ଓମିଡ଼େର ନେଟୱାର୍କ ଓ ବେନ ଏଣ୍ଡ କମ୍ପାନୀ ମିଳିତ ଭାବେ ଏକ ରିପୋର୍ଟରେ ଭାରତୀୟମାନଙ୍କ ସଙ୍କୁଚ଼ିତ ଇଣ୍ଟରନେଟ ବ୍ୟବହାର ସଂପର୍କରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିଛନ୍ତି ।

ଆନ୍ତର୍ଜାତିକସ୍ତରରେ ଇଣ୍ଟରନେଟ ସକ୍ରିୟ ବ୍ୟବାହାରକାରୀ ‘ଆକ୍ଟିଭ ୟୁଜର୍ସ’ଙ୍କ ସଂଖ୍ୟା ବିଚ଼ାରକୁ ନେଲେ ଭାରତର ସ୍ଥାନ ଦ୍ୱିତୀୟ । ତେବେ ଦେଶର ଜନସଂଖ୍ୟା ତୁଳନାରେ ଇଣ୍ଟରନେଟ ସଂଯୁକ୍ତି ବାବଦରେ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ପଛରେ ପଡ଼ି ରହିଛି । ଭାରତରେ ଇଣ୍ଟରନେଟ ସଂଯୁକ୍ତି ୨୮ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ବ୍ରାଜିଲରେ ୬୪ ପ୍ରତିଶତ ତଥା ଚ଼ୀନରେ ୫୩ ପ୍ରତିଶତ ଜନସଂଖ୍ୟା ଇଣ୍ଟରନେଟ ସଂଯୁକ୍ତି ହାସଲ କରିଛନ୍ତି ।

ଅବଶ୍ୟ ଆମ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ି ଚ଼ାଲିଛି । ପ୍ରତିବର୍ଷ ପ୍ରାୟ ଚ଼ାରି କୋଟି ନୂତନ ବ୍ୟବହାରକାରୀ ସାମିଲ ହେଉଛନ୍ତି । କିନ୍ତୁ ଅନଲାଇନରେ ଆର୍ଥିକ କାରବାର କ୍ଷେତ୍ରରେ ଆଶା ଅନୁରୂପ ଅଗ୍ରଗତି ଦେଖିବାକୁ ମିଳୁ ନାହିଁ । ମାତ୍ର ୧୬ କୋଟି ଉପଭୋକ୍ତା ଅନଲାଇନ ଦେଣନେଣରେ ସଂପୃକ୍ତ ରହୁଛନ୍ତି ।

ଭାରତରେ ଇଣ୍ଟରନେଟ ଉପଭୋକ୍ତାମାନେ ମାସିକ ୮ ଜିବି ଡ଼ାଟା ବ୍ୟବହାର କରୁଥିବା ହିସାବ କରାଯାଉଛି । ଆନ୍ତର୍ଜାତିକସ୍ତରରେ ଅଗ୍ରଣୀ ରାଷ୍ଟ୍ରଗୁ଼ଡ଼ିକରେ ଡ଼ାଟା ବ୍ୟବହାର ସହ ଏହା ପ୍ରାୟ ସମକକ୍ଷ । ତେବେ ଆମ ଦେଶ ଗ୍ରାମବହୁଳ ହୋଇଥିବା ସ୍ଥଳେ ୮୦ ପ୍ରତିଶତ ଉପଭୋକ୍ତା ସହରାଞ୍ଚଳରେ ଆର୍ଥିକ ସ୍ୱଚ୍ଛଳ ପରିବାର ଅନ୍ତର୍ଭୁକ୍ତ ଥିବା ଇଣ୍ଟରନେଟ ବ୍ୟବହାରରେ ତାରତମ୍ୟ ସୂଚ଼ିତ କରିଥାଏ । ଇଣ୍ଟରନେଟ ସଂଯୁକ୍ତି ଓ ଉପଭୋକ୍ତା ବୃଦ୍ଧି ଦ୍ୱାରା ମାନବିକ ଓ ଆର୍ଥିକ ପ୍ରଗତି ଲକ୍ଷ୍ୟଧାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଭବିଷ୍ୟତରେ ଇଣ୍ଟରନେଟର ସମତୁଲ ବ୍ୟବହାର ଗୁରତ୍ୱପୂର୍ଣ୍ଣ ।

ଅପରପକ୍ଷେ ମାତ୍ର ୪୦ ପ୍ରତିଶତ ଇଣ୍ଟରନେଟ ଉପଭୋକ୍ତା ଅନଲାଇନ ଆର୍ଥିକ କାରବାର କରୁଥିବା ଏବଂ ଅନ୍ୟାନ୍ୟ ବିକାଶୋନ୍ମୁଖୀ ଅର୍ଥନୀତି ତୁଳନାରେ ଉଲ୍ଲେଖନୀୟ ଅଗ୍ରଗତି କରିପାରୁ ନଥିବା ଉଦବେଗର କାରଣ ପାଲଟିଛି । ସରକାରୀ ସ୍ତରରେ ଡ଼ିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ନିମନ୍ତେ ବିମୁଦ୍ରାକରଣ ପରବର୍ତ୍ତୀ ଅବସ୍ଥାରେ ପ୍ରଣୀତ ପଦକ୍ଷେପଗୁଡ଼ିକ ଫଳବତୀ ହୋଇପାରି ନାହିଁ ।

ବିଶେଷଜ୍ଞମାନଙ୍କ ମତରେ ଦେଶର ବ୍ୟାବସାୟିକ କାରବାରରେ ସ୍ୱଚ୍ଛତାର ଓ ଅନଲାଇନ ପରିବେଶ ସଂପର୍କରେ ସଚ଼େତନତା ଅଭାବ ଡ଼ିଜିଟାଲ ଅର୍ଥନୀତି ପ୍ରସାରରେ ଦୁଇ ମୁଖ୍ୟ ପ୍ରତିବନ୍ଧକ । ବ୍ୟାଙ୍କ ଅର୍ଥନୀତିରେ ଡ଼ିଜିଟାଲ କାରବାର ବିଶ୍ୱାସନୀୟତା ହାସଲ କରିପାରୁ ନାହିଁ । ଇ-କମର୍ସ ମଞ୍ଚରେ ପ୍ରଥମ ଅନଲାଇନ କ୍ରୟ ପରେ ଏକ ତୃତୀୟାଂଶ ଉପଭୋକ୍ତା ଅଟକି ଯାଉଛନ୍ତି । ଇଣ୍ଟରନେଟ ସଂସ୍କୃତି ପ୍ରସାରରେ ଏଭଳି ଉଦାହରଣମାନ ବାଧକ ସାଜିଛି ।

ସରକାରୀସ୍ତରରେ ‘ଭାରତନେଟ’ ମାଧ୍ୟମରେ ଦେଶର ସମସ୍ତ ଗ୍ରାମପଞ୍ଚାୟତକୁ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ସହ ସଂଯୁକ୍ତ କରାଇବା, ‘ଗୁଗୁଲ ସାଥି’ ଓ ‘ଭୋଡ଼ାଫୋନ ଫର ବିଜନେସ’ଭଳି ପ୍ରକଳ୍ପ ଜରିଆରେ ଦେଶର ସାଧାରଣ ଜନତାଙ୍କୁ ଇଣ୍ଟରନେଟ ମଞ୍ଚରେ ସାମିଲ କରାଇବା ନିମନ୍ତେ ଉଦ୍ୟମ ଜାରୀ ରହିଛି । କିନ୍ତୁ ଭାରତୀୟଙ୍କ ପାରମ୍ପରିକ ମାନସିକତା, ପ୍ରଶାସନିକ ଓ ବ୍ୟାବସାୟିକ କ୍ଷେତ୍ରରେ ବିଶ୍ୱାସନୀୟତାର ଅଭାବ ତଥା ଦୁର୍ନୀତିର ପ୍ରାବଲ୍ୟତା ଭଳି କାରଣଗୁଡ଼ିକ ସଂକୁଚ଼ିତ ଇଣ୍ଟରନେଟ ବ୍ୟବହାର ନିମନ୍ତେ ଦାୟୀ ବୋଲି କୁହାଯାଇପାରେ ।

ଗଣମାଧ୍ୟମର ବିବିଧ ମଞ୍ଚ ମୁଦ୍ରଣ, ରେଡ଼ିଓ, ଟେଲିଭିଜନ ତଥା ବିଜ୍ଞାପନ ଓ ଲୋକସଂପର୍କ କ୍ରମଶଃ ପ୍ରସାରଣ ନିମନ୍ତେ ଇଣ୍ଟରନେଟମୁଖୀ ହେଉଥିବା ଅବସରରେ ଅନଲାଇନ ପରିବେଶରେ ସ୍ୱଚ୍ଛତା, ବିଶ୍ୱାସନୀୟତା ଓ ଗ୍ରହଣୀୟତା ଗୁରୁତ୍ୱ ବହନ କରିଥାଏ ।ଡ଼ିଜିଟାଲ ମଞ୍ଚରେ ଆର୍ଥିକ ଦେଣନେଣ ବିକଶିତ ହୋଇପାରିଲେ ମୁକ୍ତ ଓ ସୃଜନଶୀଳ ଗଣମାଧ୍ୟମ ବିକାଶ ନିମନ୍ତେ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିପାରିବ ।

ଉଦାହରଣରେ ଓଡ଼ିଆରେ ଉପନ୍ୟାସ ପୁସ୍ତକ ପ୍ରକାଶନ ଓ ପ୍ରସାର କଥା ବିଚ଼ାରକୁ ନିଆଯାଉ । ସମକାଳରେ ଯଦି ୨୦୦ ପୃଷ୍ଠାର ଉପନ୍ୟାସ ପୁସ୍ତକ ଖଣ୍ଡେ ୩୦୦ ରୁ ୫୦୦ ଖଣ୍ଡ ମୁଦ୍ରିତ ହେଉଛି ଏବଂ ୧୨୦ ରୁ ୧୫୦ ଟଙ୍କା ମୂଲ୍ୟରେ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ବିକ୍ରୀ ହୋଇ ଦେଢ଼ ହଜାରରୁ ଅଢ଼େଇ ହଜାର ପାଠକଙ୍କ ମଧ୍ୟରେ ପ୍ରସାର ସୀମିତ ରହୁଛି, ତେବେ ଲେଖକ କିମ୍ୱା ପ୍ରକାଶକଙ୍କ ନିମନ୍ତେ ସୃଜନ ସନ୍ତୋଷ କିମ୍ୱା ଆର୍ଥିକ ତୃପ୍ତି ସାଧନ କରିପାରୁ ନାହିଁ ।କିନ୍ତୁ ସଂପୃକ୍ତ କୃତୀଟି ଇ-ବୁକ ଆକାରରେ ପ୍ରକାଶିତ ହୋଇ ଖଣ୍ଡ ପିଛା ୫୦ ଟଙ୍କା ଦରରେ ଅନ୍ୟୂନ ୧୦ ହଜାର ଖଣ୍ଡ ବିକ୍ରୀରେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟବସାୟ ସମ୍ଭବପର ।ଚ଼ାରି କୋଟି ଓଡ଼ିଆଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ ୪୦ ଲକ୍ଷ ଉପନ୍ୟାସ ପାଠକଯୋଗ୍ୟ ଜନସଂଖ୍ୟା ହିସାବକୁ ନେଲେ ସେମାନଙ୍କ ମଧ୍ୟରୁ ମାତ୍ର ୦.୨୫ ପ୍ରତିଶତ ୧୦ ହଜାର କ୍ରେତା ସୃଷ୍ଟି କରିବା ଡ଼ିଜିଟାଲ ପରିବେଶରେ ଆଧୁନିକ ବ୍ୟାବସାୟିକ କଳାକୌଶଳ ଉପଯୋଗରେ ଆୟତ୍ତଧୀନ ମନେ କରାଯାଇପାରେ ।

ଡ଼ିଜିଟାଲ ରୂପାନ୍ତିକରଣ ସୃଜନଶୀଳତାକୁ ବିକ୍ରୟଯୋଗ୍ୟ ‘ମନିଟାଇଜେସନ’ କରାଇବାରେ ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିପାରିବ । ପୁସ୍ତକ ପ୍ରକାଶନର ଉଦାହରଣ ପଡ଼କାଷ୍ଟ ଓ ଭିଡ଼ିଓ ଷ୍ଟ୍ରୀମିଂ ପାଇଁ ମଧ୍ୟ ପ୍ରଯୁଜ୍ୟ ।‘ନେଟଫ୍ଳେକ୍ସ’ର ବିଶ୍ୱବ୍ୟାପୀ ସଫଳତା ଡ଼ିଜିଟାଲ ପ୍ରସାରଣ ଓ ଆର୍ଥିକ କାରବାର ଯୋଗୁଁ ସମ୍ଭବପର ହୋଇପାରିଛି । ଏହି ପ୍ରବାହ ଓଡ଼ିଆ କାହିଁକି ଓଡ଼ିଶାରେ ପ୍ରଚଳିତ ବହୁ ଉପଭାଷାରେ ସୃଜନଶୀଳତା ବିକାଶରେ ସହାୟକ ହେବା ସମ୍ଭବପର । ଡ଼ିଜିଟାଲ ମଞ୍ଚ ସାଂସ୍କୃତିକ ବିସ୍ତୃତି କ୍ଷେତ୍ରରେ ଏକପକ୍ଷରେ ଉପନିବେଶବାଦକୁ ଉତ୍ସାହିତ କରୁଥିବା ସ୍ଥଳେ ସଂଖ୍ୟାଲଘୁଙ୍କ ନିମନ୍ତେ ମଧ୍ୟ ସମ୍ଭାବନା ଘେନି ପହଞ୍ଚିଛି ।

ଭାରତରେ ସଂକୁଚ଼ିତ ଇଣ୍ଟରନେଟ ବ୍ୟବହାର ବନ୍ଧନୀରୁ ମୁକ୍ତି ସମୟସାପେକ୍ଷ ମନେ ହୁଏ । ଦେଶର ପ୍ରଶସ୍ତି, ଜନସଂଖ୍ୟା, ବିବିଧତା ଓ ସର୍ବୋପରି ମାନସିକତା ସ୍ଥିତାବସ୍ଥାକୁ ବହୁକାଳ ବଜାୟ ରଖିପାରେ । ଏହି ସମୟସୀମାରେ ପ୍ରଯୁକ୍ତି ବିଜ୍ଞାନରେ ନୂତନ ବୈଷୟିକ କୌଶଳମାନ ଉଦ୍ଭାବନ ଭାରତୀୟମାନଙ୍କୁ ସର୍ବାଧୁନିକ ପ୍ରବାହ ‘ଟ୍ରେଣ୍ଡ’ଉପଯୋଗ ନିମନ୍ତେ ସୁଯୋଗ ସୃଷ୍ଟି କରିପାରେ । ଅତୀତରେ ଟେଲିଭିଜନ ଓ ମୋବାଇଲ ଫୋନ ବ୍ୟବହାର କ୍ଷେତ୍ରରେ ସୃଷ୍ଟ ପରିସ୍ଥିତିର ପୁନରାବୃତ୍ତି ଘଟିପାରେ । ଆତ୍ମସନ୍ତୋଷକଳ୍ପେ ଭାରତରେ ଡ଼ିଜିଟାଲ ପରିବେଶର ବିଳମ୍ୱିତ ବିକାଶ ଅନ୍ତତଃପକ୍ଷେ ଗଣମାଧ୍ୟମରେ ସୃଜନ କ୍ଷେତ୍ରରେ ପୂର୍ବ ପ୍ରସ୍ତୁତି ନିମନ୍ତେ ଦୀର୍ଘ ସମୟସୀମା ସୃଷ୍ଟିରେ ସହାୟକ ହୋଇପାରୁଛି ବୋଲି ବିଚ଼ାର କରାଯାଇପାରେ । 

Related Post