ଆଜିର ଖାସ ଖବର
Tue. Jul 28th, 2026

ସମ୍ୱାଦପତ୍ର ପାଠକ ଗଣନା

By Dainikasha Jul11,2024

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ବା ‘ଆଇଆରଏସ’୨୦୧୭ ଅନୁଯାୟୀ ଦେଶର ୩୯ ପ୍ରତିଶତ ନାଗରିକ ମୁଦ୍ରିତ ସମ୍ୱାଦପତ୍ର ପଠନ କରିଥାନ୍ତି । ଜାନୁୟାରୀ ୨୦୧୮ରେ ପ୍ରକାଶିତ ଆଇଆରଏସ ସଂସ୍କରଣରେ ୨୦୧୪ ରୁ ୨୦୧୭ ଚ଼ାରିବର୍ଷ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା କ୍ରମାଗତଭାବେ ବଢ଼ିଥିବାକୁହାଯାଇଛି । ୨୦୧୪ରେ ଶେଷ ସଂସ୍କରଣ ପ୍ରକାଶନ ପରଠାରୁ ତିନି ବର୍ଷ ଧରି ପାଠକ ଗଣନା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲା ।

ଆଇଆରଏସ ୨୦୧୩ର ଗଣନାରେ ବିଭିନ୍ନ ବିଭ୍ରାଟକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା । ତେବେ ୨୦୧୭ରେ ସେ ସବୁକୁ ସୁଧାରିବା ଚ଼େଷ୍ଟାରେ ଅତ୍ୟାଧୁନିକ ପରିସଂଖ୍ୟାନ ସୂତ୍ରାବଳୀ ଉପଯୋଗରେ ପାଠକ ଗଣନା ଆୟୋଜିତହୋଇଥିଲା । ଏହି ସର୍ବେକ୍ଷଣରେ ୩ ଲକ୍ଷ ୨୦ ହଜାର ବାସଗୃହରୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମାସକୁ ଅନ୍ତତଃ ଥରେ ସମ୍ୱାଦପତ୍ର ପଢ଼ିଥିବା ବ୍ୟକ୍ତିବିଶେଷଙ୍କୁ ନମୂନା ରୂପେ ଗ୍ରହଣକରି ସେମାନଙ୍କଠାରୁ ସଂଗୃହୀତ ତଥ୍ୟ ତର୍ଜମା କରାଯାଇଥିଲା ।

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନାକୁ ବିଶ୍ୱର ସର୍ବବୃହତ ପାଠକ ଗଣନା ବୋଲି କୁହାଯାଉଛି । ଭୌଗଳିକ ବିସ୍ତୃତିରେ ସଂଖ୍ୟାଧିକ ନମୂନା ସାମିଲ କରି ତଥ୍ୟ ସଂଗ୍ରହ କରାଯାଇଥିବା ହେତୁ ଏହାର ବିଶ୍ୱାସନୀୟତାକୁ ଗୁରୁତ୍ୱ ଦିଆଯାଉଛି । ରିଡ଼ରସିପ ଷ୍ଟଡ଼ିଜ ରିସର୍ଚ୍ଚ କାଉନସିଲ ଅଫ ଇଣ୍ଡିଆ ଓ ମିଡ଼ିଆ ରିସର୍ଚ୍ଚ ୟୁଜର୍ସ କାଉନସିଲର ଯୁଗ୍ମ ତତ୍ତ୍ୱାବଧାନରେ ଏହି ପାଠକ ଗଣନା କାର୍ଯ୍ୟକ୍ରମ ପ୍ରଯୋଜନା କରାଯାଇଥାଏ ।

ଭାରତୀୟ ସମ୍ୱାଦପତ୍ର ପାଠକ ଗଣନା ୨୦୧୭ ଅନୁଯାୟୀ ଓଡ଼ିଆ ସମ୍ୱାଦପତ୍ର ପାଠକ ସଂଖ୍ୟା ଦେଶର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ତୁଳନାରେ ସର୍ବାଧିକ ବୃଦ୍ଧିପ୍ରାପ୍ତ ହୋଇଛି । ୨୦୧୪ରେ ଓଡ଼ିଆ ସମ୍ୱାଦପତ୍ର ପାଠକ ସଂଖ୍ୟା ୬୦ ଲକ୍ଷ ଗଣତି କରାଯାଇଥିବା ସ୍ଥଳେ ୨୦୧୭ରେ ତାହା କୋଟିଏ ଦଶଲକ୍ଷରେ ପହଞ୍ଚିଛି। ଏହି କ୍ଷେତ୍ରରେ ୮୩ ପ୍ରତିଶତ ବୃଦ୍ଧି ରେକର୍ଡ଼ କରାଯାଇଛି ।

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ସର୍ବାଧିକ ପାଠକ ଚ଼ିହ୍ନଟ କରାଯାଇଥିବା ପ୍ରମୁଖ ପାଞ୍ଚଗୋଟି ମଧ୍ୟରେ ‘ସମ୍ୱାଦ’ ୬୫ ଲକ୍ଷ ୯୪ ହଜାର, ‘ସମାଜ’ ୫୬ ଲକ୍ଷ ୩୦ ହଜାର, ‘ପ୍ରମେୟ’ ୩୬ ଲକ୍ଷ ୯୫ ହଜାର, ‘ଧରିତ୍ରୀ’ ୩୫ ଲକ୍ଷ ୪୨ ହଜାର ଓ ‘ସମୟ’ ୧୦ ଲକ୍ଷ ୯୭ ହଜାର ପାଠକ ଦାବୀ କରିଥାନ୍ତି ।

ହିନ୍ଦୀ ସମ୍ୱାଦପତ୍ର ପାଠକ ସଂଖ୍ୟା ୪୫ ପ୍ରତିଶତ, ବଙ୍ଗଳାରେ ୯ ପ୍ରତିଶତ ଓ ଇଂଲିଶରେ ୧୦ ପ୍ରତିଶତ ପାଠକ ବୃଦ୍ଧି ହୋଇଥିବା ଦର୍ଶାଯାଇଛି । ହିନ୍ଦୀରେ ‘ଦୈନିକ ଜାଗରଣ’ ସର୍ବାଧିକ ୭ କୋଟି ୩ ଲକ୍ଷ, ଅନ୍ୟ ଆଞ୍ଚଳିକ ଭାଷା ସମୂହରେ ତାମିଲ ‘ଡ଼େଲି ତନ୍ତୀ’ ୨ କୋଟି ୩୧ ଲକ୍ଷ ଓ ଇଂଲିଶରେ ‘ଦି ଟାଇମସ୍ ଅଫ ଇଣ୍ଡିଆ’ ଏକ କୋଟି ୩୦ ଲକ୍ଷ ପାଠକ ହିସାବ କରାଯାଇଛି।

ହିନ୍ଦୀ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ ବୃହତ ପାଠକ ଦୃଷ୍ଟିରୁ ପ୍ରଥମ ଦଶଟି ସ୍ଥାନ (୧) ଦୈନିକ ଜାଗରଣ, (୨) ହିନ୍ଦୁସ୍ତାନ, (୩) ଅମର ଉଜାଲା, (୪) ଦୈନିକ ଭାସ୍କର, (୫) ରାଜସ୍ଥାନ ପତ୍ରିକା, (୬) ପ୍ରଭାତ ଖବର, (୭) ପଞ୍ଜାବ କେଶରୀ, (୮) ପତ୍ରିକା, (୯) ନବଭାରତ ଟାଇମସ ଓ (୧୦) ନଇ ଦୁନିଆ ଅଧିକାର କରିଥାନ୍ତି ।

ସେହିପରି ଆଞ୍ଚଳିକ ଭାଷାରେ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ମଧ୍ୟରେ (୧) ଡ଼େଲି ତନ୍ତୀ, (୨) ଲୋକମତ, (୩) ମାଳାୟଳା ମନୋରମା, (୪) ଇନାଡୁ, (୫) ଆନନ୍ଦବଜାର ପତ୍ରିକା, (୬) ଦିନକରନ, (୭) ମାତୃଭୂମି, (୮) ଗୁଜରାଟ ସମାଚ଼ାର, (୯) ଦିନମଲ୍ଲାର ଓ (୧୦) ଡ଼େଲି ସାକ୍ଷୀର  ସ୍ଥାନ ରହିଛି ।

ଇଂଲିଶ ସମ୍ୱାଦପତ୍ର କ୍ଷେତ୍ରରେ (୧) ଦି ଟାଇମସ୍ ଅଫ ଇଣ୍ଡିଆ, (୨) ହିନ୍ଦୁସ୍ତାନ ଟାଇମସ୍, (୩) ଦି ହିନ୍ଦୁ, (୪) ଦି ଇକନୋମିକ ଟାଇମସ୍, (୫) ମୁମ୍ୱାଇ ମିରର, (୬) ଦି ଇଣ୍ଡିଆନ ଏକ୍ସପ୍ରେସ, (୭) ଦି ଟେଲିଗ୍ରାଫ, (୮) ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ, (୯) ଦି ଟ୍ରିବ୍ୟୁନ ଓ (୧୦) ଡ଼େକାନ କ୍ରୋନିକାଲ କ୍ରମାନ୍ୱୟରେ ସର୍ବାଧିକ ପାଠକ ଦାବୀ କରିଥାନ୍ତି ।

ସର୍ବଭାରତୀୟସ୍ତରରେ (୧) ଦୈନିକ ଜାଗରଣ ୭ କୋଟି ୩ ଲକ୍ଷ, (୨) ହିନ୍ଦୁସ୍ତାନ ୫ କୋଟି ୨୩ ଲକ୍ଷ, (୩) ଅମର ଉଜାଲା ୪ କୋଟି ୬୦ ଲକ୍ଷ, (୪) ଦୈନିକ ଭାସ୍କର ୪ କୋଟି ୫୧ ଲକ୍ଷ, (୫) ଡ଼େଲି ତନ୍ତୀ ୨ କୋଟି ୩୧ ଲକ୍ଷ, (୬) ଲୋକମତ ଏକ କୋଟି ୮୦ ଲକ୍ଷ, (୭) ରାଜସ୍ଥାନ ପତ୍ରିକା ଏକ କୋଟି ୬୩ ଲକ୍ଷ, (୮) ମାଳାୟଳା ମନୋରମା ଏକ କୋଟି ୫୯ ଲକ୍ଷ, (୯) ଇନାଡୁ ଏକ କୋଟି ୫୮ ଲକ୍ଷ ଓ (୧୦) ପ୍ରଭାତ ଖବର ଏକ କୋଟି ୩୪ ଲକ୍ଷ ପାଠକ ଗଣତି କରାଯାଇଛି ।

ଦେଶର ସର୍ବାଧିକ ପାଠକ ପର୍ଯ୍ୟାୟରେ ସାତ ଗୋଟି ହିନ୍ଦୀ ସମ୍ୱାଦପତ୍ର ଏବଂ ଗୋଟିଏ କରି ତାମିଲ, ମାଳାୟଳମ ଓ ତେଲୁଗୁ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ । ଇଂଲିଶ ‘ଦି ଟାଇମସ ଅଫ ଇଣ୍ଡିଆ’ ସମ୍ୱାଦପତ୍ର ସର୍ବଭାରତୀୟସ୍ତରରେ ଏକାଦଶ ସ୍ଥାନ ଅଧିକାର କରିଥାଏ । ବିଗତ କିଛି ଦଶନ୍ଧିଧରି ହିନ୍ଦୀ ସମ୍ୱାଦପତ୍ରର ପାଠକ ସଂଖ୍ୟା ଆଶାତୀତଭାବେ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି । ପୂର୍ବରୁ କେରଳର ମାଳାୟଳମ ମନୋରମା ଓ ପଶ୍ଚିମ ବଙ୍ଗଳାର ଆନନ୍ଦ ବଜାର ପତ୍ରିକା ଭଳି ସମ୍ୱାଦପତ୍ର ସର୍ବାଧିକ ପାଠକ ଦାବୀ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ମାଳାୟଳା ମନୋରମାର ସ୍ଥାନ ଅଷ୍ଟମ ଓ ଆନନ୍ଦ ବଜାର ପତ୍ରିକାର ସ୍ଥାନ ଦ୍ୱାଦଶ ସୋପାନକୁ ଖସି ଯାଇଛି ।

ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସମ୍ୱାଦପତ୍ର ପଠନ ଅଭ୍ୟାସରେ ତାରତମ୍ୟ ଦେଖିବାକୁ ମିଳିଥାଏ । ସହରାଞ୍ଚଳରେ ୫୩ ପ୍ରତିଶତ ସମ୍ୱାଦପତ୍ର ପାଠ କରୁଥିବା ସ୍ଥଳେ ଗ୍ରାମାଞ୍ଚଳରେ ୩୧ ପ୍ରତିଶତ ସମ୍ୱାଦପତ୍ର ପାଠ କରିଥାନ୍ତି । ଏହି କାରଣରୁ ଭାରତୀୟ ସମ୍ୱାଦପତ୍ରଗୁଡ଼ିକ ମୁଖ୍ୟତଃ ସହରୀ ସଭ୍ୟତା କେନ୍ଦ୍ରୀକ ହୋଇଥାଏ ।

ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ କିଶୋର ଓ ଯୁବବର୍ଗଙ୍କ ସଂଖ୍ୟା ଅଧିକ । ୧୬ ରୁ ୧୯ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ୫୦ ପ୍ରତିଶତ ସମ୍ୱାଦପତ୍ର ପାଠ କରୁଥିବା ସ୍ଥଳେ ୧୨ ରୁ ୧୫ ବର୍ଷ ବୟସ୍କ କିଶୋର ଓ ୨୦-୨୫ ବର୍ଷ ବୟସ୍କଙ୍କ ମଧ୍ୟରେ ୪୨ ପ୍ରତିଶତ ସମ୍ୱାଦପତ୍ର ପାଠକଙ୍କୁ ଚ଼ିହ୍ନଟ କରାଯାଇଥାଏ । ଭାରତର ଜନସଂଖ୍ୟାର ଅର୍ଦ୍ଧେକ କିଶୋର ଓ ଯୁବବର୍ଗରେ ସାମିଲ ଥିବା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ମୁଦ୍ରିତ ସମ୍ୱାଦପତ୍ର ପାଠ କରୁଥିବା ଅବକାଶରେ ସମ୍ୱାଦପତ୍ର ପ୍ରକାଶନ କ୍ଷେତ୍ରରେ ସମ୍ପାଦନା ନୀତିରେ ଦ୍ରୁତ ପରିବର୍ତ୍ତନ ଆଶା କରାଯାଇପାରେ । ଅଧିକରୁ ଅଧିକ ପଠନ ସାମଗ୍ରୀ ଯୁବକେନ୍ଦ୍ରୀକ ହେବା ନିଶ୍ଚିତ ।

ଯୁବବର୍ଗର ପାଠକଙ୍କୁ ସୁହାଇବାଭଳି ସମ୍ପାଦକୀୟ ନୀତି ପ୍ରଯୋଜନାରେ ଆଧୁନିକ ସାମାଜିକ ଓ ସାଂସ୍କୃତିକଧାରାକୁ ଗୁରୁତ୍ୱ ଦିଆଯିବା ବିଧେୟ । ଖାଦ୍ୟ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ମନୋବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭାଗମାନ ସମ୍ୱାଦପତ୍ର ପୃଷ୍ଠାରେ ରାଜନୀତି ଓ କ୍ରୀଡ଼ା ପୃଷ୍ଠାଗୁଡ଼ିକ ସହିତ ଯୋଡ଼ି ହେବା ସ୍ୱାଭାବିକ । ସର୍ବୋପରି ସମ୍ୱାଦ ଓ ଅଭିମତ ଉପସ୍ଥାପନର ଆକାର ଓ ଆଙ୍ଗୀକରେ ନୂତନତ୍ୱ ପରଖିବା ନିମନ୍ତେ ନିକଟ ଭବିଷ୍ୟତରେ ପରୀକ୍ଷା ନିରୀକ୍ଷା ଜାରୀ ରହିବା ଆଶା କରାଯାଇପାରେ। 

Related Post