ଭାରତରେ ୨୦୦୯ ଓ ୨୦୧୪ରେ ରାଜ୍ୟ ଓ ସାଧାରଣ ନିର୍ବାଚ଼ନ ଅବସରରେ ପ୍ରୟୋଜିତ ସମ୍ୱାଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା I ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ୟମରେ ମୁଦ୍ରିତ ସମ୍ୱାଦପତ୍ର ଓ ସମ୍ବାଦଭିତ୍ତିକ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରକାଶ୍ୟରେ ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣ କରିବା ନ୍ୟାୟସଙ୍ଗତ I ତେବେ ଗୋପନରେ ଅର୍ଥ ବିନିମୟରେ ସମ୍ବାଦ ଆଙ୍ଗୀକରେ ପକ୍ଷପାତିତାରେ ନିର୍ଦ୍ଦିଷ୍ଚ ପ୍ରାର୍ଥୀଙ୍କ ସପକ୍ଷରେ ଅତିରଂଜିତ ସମ୍ବାଦ ପ୍ରକାଶନ ଗଣତାନ୍ତ୍ରିକ ନିର୍ବାଚ଼ନ ପ୍ରକ୍ରିୟାର ବିରୁଦ୍ଧାଚ଼ରଣ କରିଥାଏ I
ଦେଶର ନିର୍ବାଚ଼ନ ଆୟୋଗ ନିର୍ବାଚ଼ନରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ପ୍ରଚ଼ାର ଖର୍ଚ୍ଚ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ପ୍ରାର୍ଥୀଙ୍କ ସ୍ୱୀକାରୋକ୍ତିରେ ଖର୍ଚ୍ଚ ତାଲିକା ସଂଗ୍ରହ କରିଥାନ୍ତି I ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ନିମନ୍ତେ ବ୍ୟୟ ପ୍ରଚ଼ାର ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହେଉ ନଥିବା ହେତୁ ସେଭଳି ଘଟଣାର ସନ୍ଧାନରେ ଖର୍ଚ୍ଚ ତାଲିକା ତ୍ରୁଟିପୂର୍ଣ୍ଣ ବିଚ଼ାର କରିବା ଆୟୋଗଙ୍କ କ୍ଷମତା ପରିସରଭୁକ୍ତ I ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ସଂପର୍କରେ ନିର୍ଦ୍ଦିଷ୍ଚ ପ୍ରାର୍ଥୀଙ୍କ କ୍ଷେତ୍ରରେ ଅଭିଯୋଗ ତଥା ଆୟୋଗଙ୍କ ହୃଦବୋଧ ଅବସରରେ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥାଏ I ବିଚ଼ାରକଙ୍କ ବିବରଣୀ ଆଧାରରେ ଆୟୋଗ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି I
ମଧ୍ୟପ୍ରଦେଶର କ୍ୟାବିନେଟସ୍ତରୀୟ ଲୋକସମ୍ପର୍କ, ଜଳସମ୍ପଦ ଓ ପାର୍ଲାମେଣ୍ଟରୀ ବ୍ୟାପାର ମନ୍ତ୍ରୀ ନରୋତ୍ତମ ମିଶ୍ର ୨୦୦୮ରେ ନିର୍ବାଚ଼ନ ପ୍ରଚ଼ାର ଅବସରରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନରେ ବ୍ୟୟ ନିଜ ନିର୍ବାଚ଼ନ ଖର୍ଚ୍ଚରେ ସାମିଲ କରିନଥିବା ଆରୋପରେ ଜୁନ ୨୦୧୭ରେ ନିର୍ବାଚ଼ନ ଆୟୋଗ ତାଙ୍କୁ ନିର୍ବାଚ଼ିତ ପ୍ରତିନିଧି ମାନ୍ୟତାରୁ ତିନିବର୍ଷ ନିମନ୍ତେ ଅଯୋଗ୍ୟ ଘୋଷଣା କରିଥିଲେ I ଏହି ଆଦେଶ ବିରୁଦ୍ଧରେ ନରୋତ୍ତମ ମିଶ୍ରଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଅପିଲ ଦାୟର ହୋଇଥିଲାI ଉଚ୍ଚ ନ୍ୟାୟାଳୟ ନିର୍ବାଚ଼ନ ଆୟୋଗଙ୍କ ଆଦେଶକୁ ମେ ୨୦୧୮ରେ ରଦ୍ଦ ଘୋଷଣା କରିଥିଲେ I ଦିଲ୍ଲୀ ହାଇକୋର୍ଟର ରାୟ ବିରୁଦ୍ଧରେ ନିର୍ବାଚ଼ନ ଆୟୋଗ ସୁପ୍ରିମ କୋର୍ଟ ଯାଇଛନ୍ତି I ସେପ୍ଟେମ୍ବର ୨୦୧୮ରେ ବିଚ଼ରଣା ଅବସରରେ ନିର୍ବାଚ଼ନ ଆୟୋଗଙ୍କ ପକ୍ଷରୁ ପ୍ରାୟୋଜିତ ସମ୍ୱାଦର ସଂଜ୍ଞା ନିରୂପଣ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ଯୁକ୍ତି ଉପସ୍ଥାପନ କରାଯାଇଛି I ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରୁଥିବା ଗଣମାଧ୍ୟମ ସମୀକ୍ଷକଙ୍କ ନିମନ୍ତେ ଆଲୋଚ଼୍ୟ ଘଟଣାକ୍ରମ ଗୁରୁତ୍ୱପୂର୍ଣ୍ଣ I
ନିର୍ବାଚ଼ନ ଆୟୋଗଙ୍କ ଦୃଷ୍ଟିକୋଣ ଅଧିବକ୍ତା ଅମିତ ଶର୍ମା ବର୍ଣ୍ଣନା କରି ସୁପ୍ରିମ କୋର୍ଟର ଖଣ୍ଡପୀଠ ସମ୍ମୁଖରେ କହିଛନ୍ତି ଯେ ନିର୍ବାଚ଼ନ ଅବସରରେ ରାଜନୀତିକ ପ୍ରାର୍ଥୀମାନଙ୍କ ସପକ୍ଷରେ ସେମାନଙ୍କ କୃତିତ୍ୱ ଓ ସାମର୍ଥ୍ୟ ସଂପର୍କରେ ଅତିରଞ୍ଜିତ ସମ୍ବାଦ ପ୍ରକାଶନ ତଥା ଭୋଟ ଦେବା ନିମନ୍ତେ ନିବେଦନକୁ ପ୍ରାୟୋଜିତ ସମ୍ୱାଦ ପର୍ଯ୍ୟାୟଭୁକ୍ତ କରିବା ଯୁକ୍ତିଯୁକ୍ତ I ଏଭଳି ସମ୍ୱାଦ ପ୍ରକାଶନ ନିମନ୍ତେ ଅର୍ଥ ଦେଣନେଣ ସଂପର୍କୀତ ନଥିପତ୍ର ଉପଲବ୍ଧ ନଥିଲେ ହେଁ ସମ୍ୱାଦପତ୍ରର ପକ୍ଷପାତିତା ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ବିଚ଼ାରକୁ ନେଇ ସିଦ୍ଧାନ୍ତ ଗ୍ରହଣୀୟ I
ପ୍ରଶ୍ନ ଉଠେ ସମ୍ୱାଦ ପ୍ରକାଶନକୁ ଉଭୟ ପକ୍ଷର ସମର୍ଥନ ବିନା ତୃତୀୟପକ୍ଷ ପ୍ରାୟୋଜିତ ସମ୍ୱାଦ ରୂପେ ଚ଼ିହ୍ନଟ କରିବା କେତେଦୂର ସମୀଚ଼ୀନ ? ଦ୍ୱିତୀୟତଃ ବିଧିବଦ୍ଧ ପ୍ରମାଣ ଅଭାବରେ କୌଣସି ପକ୍ଷକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ କି ? ତୃତୀୟତଃ ନିୟାମକ ନିରଙ୍କୁଶ କ୍ଷମତା ଉପଯୋଗ କଲେ ତାହା ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବ ନାହିଁ କି ? ନିର୍ବାଚ଼ନ ଆୟୋଗ ପକ୍ଷରୁ ନରୋତ୍ତମ ମିଶ୍ରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲେ ହେଁ ମଧ୍ୟପ୍ରଦେଶର ଶାସକ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ମନ୍ତ୍ରୀ ପଦରୁ ଅପସାରିତ କରିନଥିଲେ I ଆୟୋଗଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହେବା ନିମନ୍ତେ ସୁଯୋଗ ପ୍ରଦାନ କରିଥିଲେ I
ଭାରତୀୟ ସମ୍ୱାଦ ଶିଳ୍ପରେ ପ୍ରାୟୋଜିତ ସମ୍ୱାଦ ପ୍ରକାଶନ ଧାରା ଦୀର୍ଘ କାଳରୁ ପ୍ରଚ଼ଳିତ ଥିଲେ ହେଁ ‘ଟାଇମ୍ସ ଅଫ ଇଣ୍ଡିଆ’ର ପ୍ରକାଶକ ବେନେଟ କୋଲମେନ ଲିମିଟେଡ଼ଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ପ୍ରକାଶ୍ୟରେ ସ୍ୱୀକାର କରିନଥାନ୍ତି I ବେନଟ କୋଲମେନଙ୍କ ପକ୍ଷରୁ ‘ଏଡ଼ଭୋଟୋରିଆଲ’ ଓ ‘ପ୍ରମୋଶନାଲ ଫିଚ଼ର’ ଚ଼ିହ୍ନିତ କ୍ରୋଡ଼ପତ୍ରମାନ ମୁଖ୍ୟ ସମ୍ୱାଦପତ୍ର ସଂସ୍କରଣଗୁଡ଼ିକ ସହ ବିତରିତ ହୋଇଥାଏ I ଅନୁସନ୍ଧାନମୂଳକ ୱେବ ସମ୍ୱାଦ ସଂସ୍ଥା ‘କୋବ୍ରାପୋଷ୍ଟ’ ୨୦୧୭ ଓ ୨୦୧୮ରେ ଦେଶର ବଡ଼ ସମ୍ବାଦପତ୍ରଗୁଡ଼ିକ ପ୍ରାୟୋଜିତ ସମ୍ୱାଦ ପ୍ରକାଶନକୁ ଉତ୍ସାହିତ କରୁଥିବା ପ୍ରମାଣ ଷ୍ଟିଙ୍ଗ ଅପରେସନ ଜରିଆରେ ଭିଡ଼ିଓ ଚ଼ିତ୍ରିତ କରି ସର୍ବସାଧାରଣରେ ପ୍ରକାଶ କରିଥିଲେ I‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ଆନୁକୂଲ୍ୟରେ ୨୦୧୦ରେ ପ୍ରାୟୋଜିତ ସମ୍ୱାଦର ସ୍ଥିତି ସଂପର୍କରେ ଏକ ବିବରଣୀ ପ୍ରକାଶିତ ହୋଇଥିଲା I ତେବେ ସଂପୃକ୍ତ ପକ୍ଷଗୁଡ଼ିକର ସ୍ୱୀକାରୋକ୍ତି ବିନା ପ୍ରାୟୋଜିତ ସମ୍ବାଦ ପ୍ରମାଣଯୋଗ୍ୟ ହୋଇପାରୁ ନାହିଁ I
ସମ୍ୱାଦ ଶିଳ୍ପର ଇତିହାସକୁ ତର୍ଜମା କଲେ ମୁଦ୍ରଣ କଳାକୌଶଳର ପ୍ରସାର ଅବସରରେ ସମ୍ବାଦପତ୍ରର ଜନ୍ମକାଳରୁ ବିତ୍ତଶାଳୀମାନେ ସାମ୍ୱାଦିକଙ୍କୁ ପ୍ରଭାବିତ କରି ପ୍ରାୟୋଜିତ ସମ୍ୱାଦ ପ୍ରକାଶନର ଉଦାହରଣ ଦେଖିବାକୁ ମିଳିଥାଏ I ଭାରତରେ ଜରୁରୀ ପରିସ୍ଥିତି ପରବର୍ତ୍ତୀ ଅବସ୍ଥାରେ ଗତ ଶତାଦ୍ଦୀର ଅଷ୍ଟମ ଦଶକରୁ ରାଜନେତା ଓ ବିତ୍ତୀୟ ସଂଗଠନଗୁଡ଼ିକର ଅଧିକାରୀମାନେ ନିଜର ପରିଚ଼ିତି ଓ ଲୋକପ୍ରିୟତା ବୃଦ୍ଧି ନିମନ୍ତେ ସମ୍ୱାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକୁ ଉପଯୋଗ କରିବା ଧାରା ବୃଦ୍ଧିପ୍ରାପ୍ତ ହୋଇଥିଲା Iଏହି ଅବସରରେ ଲୋକସଂପର୍କ ଶିଳ୍ପ ଏଭଳି ଦାୟିତ୍ୱ ସମ୍ପାଦନ ନିମନ୍ତେ ମଧ୍ୟସ୍ଥିରୂପେ ଆତ୍ମପ୍ରକାଶ କରିଥିଲା I
ନରୋତ୍ତମ ମିଶ୍ରଙ୍କ କ୍ଷେତ୍ରରେ ନିର୍ବାଚ଼ନ ଆୟୋଗଙ୍କ ଦ୍ୱାରା ଗଠିତ ଜାତୀୟସ୍ତରର ପ୍ରାୟୋଜିତ ସମ୍ୱାଦ କମିଟି ୨୦୦୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚ଼ନ ଅବସରରେ ପାଞ୍ଚଗୋଟି ବହୁଳ ପ୍ରସାରିତ ସମ୍ବାଦପତ୍ରରେ ତାଙ୍କରି ସପକ୍ଷରେ ୪୨ ଗୋଟି ପ୍ରଶଂସା ସମ୍ୱଳିତ ସମ୍ୱାଦ ପ୍ରକାଶନ ଚ଼ିହ୍ନଟ କରିଥିଲେ I ଏଗୁଡ଼ିକୁ ପ୍ରାୟୋଜିତ ସମ୍ୱାଦ ପର୍ଯ୍ୟାୟଭୁକ୍ତ କରାଯାଇ ଏଥିରେ ହୋଇଥିବା ବ୍ୟୟ ଆୟୋଗଙ୍କ ନିକଟରେ ପ୍ରାର୍ଥୀଙ୍କ ପକ୍ଷରୁ ଉପସ୍ଥାପିତ ଖର୍ଚ୍ଚ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନଥିବା ଅଭିଯୋଗ କରାଯାଇଥିଲା I ତେବେ ଦିଲ୍ଲୀ ହାଇକୋର୍ଟରେ ବିଚ଼ରଣା ଅବସରରେ ଏହି ସବୁ ସମ୍ୱାଦ ପ୍ରକାଶନ ନିମନ୍ତେ କୌଣସି ଅର୍ଥ ଦେଣନେଣ ହୋଇ ନଥିବା ସାକ୍ଷୀମାନେ କହିଥିଲେ I
ପ୍ରାୟୋଜିତ ସମ୍ୱାଦକୁ ପ୍ରମାଣଯୋଗ୍ୟ ସାବ୍ୟସ୍ତ କରାଇବା ଅସଂଭବ ମନେ ହୁଏ I ଅର୍ଥ ଦେଣନେଣ ହିସାବ ବର୍ହିଭୂତ ହୋଇଥିବା ହେତୁ ଉଭୟପକ୍ଷ ଅରାଜି ହେବା ସ୍ୱାଭାବିକ I‘କୋବ୍ରାପୋଷ୍ଟ’ର ଷ୍ଟିଙ୍ଗ ଅପରେସନ ଭିଡ଼ିଓରେ ଜାତୀୟସ୍ତରର ସମ୍ୱାଦପତ୍ରଗୁଡ଼ିକ ଏଭଳି ଆର୍ଥିକ କାରବାର କିପରି ବୈଧାନିକ ଉପାୟରେ ସମ୍ଭବର ସେ ସଂପର୍କରେ ମଧ୍ୟ ଟୀପ୍ପଣି ଦେଇଥିବା ପ୍ରମାଣ ମିଳେ I ଭାରତରେ ସଂଖ୍ୟାଧିକ ମୁଦ୍ରିତ ସମ୍ୱାଦପତ୍ର ବିଜ୍ଞାପନ ଓ ପ୍ରସାରଣ ରାଜସ୍ୱ ଆୟ କ୍ଷେତ୍ରରେ ପଛୁଆ ରହିଥିଲେ ହେଁ ପ୍ରାୟୋଜିତ ସମ୍ୱାଦକୁ ପାଥେୟ କରି ବ୍ୟବସାୟ ଉଜ୍ଜୀବିତ ରଖିଥିବାର ଉଦାହରଣର ଅଭାବ ନାହିଁ I
ସାଧାରଣତଃ ନିର୍ବାଚ଼ନ ଅବସରରେ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପ୍ରାୟୋଜିତ ସମ୍ୱାଦ ପ୍ରକାଶନରୁ ବେଶ ମୁନାଫା ଉଠାଇଥାନ୍ତି I ତେବେ ୨୦୧୯ ନିର୍ବାଚ଼ନରେ ମୁଦ୍ରିତ ସମ୍ୱାଦପତ୍ର ଓ ସମ୍ୱାଦଭିତ୍ତିକ ଟେଲିଭିଜନ ଚ଼୍ୟାନେଲ ତୁଳନାରେ ସୋସିଆଲ ମିଡ଼ିଆରେ ପ୍ରଚ଼ାରର ଗୁରୁତ୍ୱ ବୃଦ୍ଧିପାଇବା ଆଶା କରାଯାଉଥିବା ଅବସରରେ ପ୍ରାୟୋଜିତ ସମ୍ୱାଦର ଗୁରୁତ୍ୱ ଅପେକ୍ଷାକୃତଭାବେ କମି ଆସିବା ଆଶା କରାଯାଇପାରେ I ସୋସିଆଲ ମିଡ଼ିଆରେ ପ୍ରସାରଣ ମୌଳିକଭାବେ ପ୍ରାୟୋଜିତ ଥିବା ସ୍ଥଳେ ଏହି କ୍ଷେତ୍ରରେ ନୈତିକତା ଉଲଂଘନର ପ୍ରଶ୍ନ ହିଁ ଉଠିବ ନାହିଁ I
