ଭାରତରେ ଇଣ୍ଟରନେଟର ବ୍ୟାପ୍ତି ଓ ବ୍ୟବହାର କ୍ରମାଗତଭାବେ ବଢ଼ି ଚାଲିଥିବା ଅବସରରେତତ୍ସଂପର୍କୀତ ପରିସଂଖ୍ୟାନ ଇଣ୍ଟରନେଟଭିତ୍ତିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ଗତି ଓ ପ୍ରକୃତି ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଆଧୁନିକ ପରିବେଶରେ ଗଣମାଧ୍ୟମ ସୃଜନ ପ୍ରସ୍ତୁତିରେ ଉପଭୋକ୍ତାମାନଙ୍କ ରୁଚ଼ି ଓ ଆଗ୍ରହ ସାଙ୍ଗକୁ ଅର୍ଥନୀତିକ ଓ ସାମାଜିକ ପୃଷ୍ଠଭୂମି ଅଧ୍ୟୟନ ଗୁରୁତ୍ୱ ବହନ କରୁଥିବା ହେତୁ ଏଭଳି ପରିସଂଖ୍ୟାନ ଆବଶ୍ୟକ ପଡ଼ିଥାଏ । ଅପରପକ୍ଷେ ବିଜ୍ଞାପନ ଶିଳ୍ପରେ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ତଥ୍ୟ ଆଧାରରେ ବ୍ୟାବସାୟିକ ରଣନୀତି ପ୍ରସ୍ତୁତ କରାଯାଏ ।
୨୦୧୯ ମଧ୍ୟଭାଗରେ ପ୍ରକାଶିତ‘ଟେଲକମରେଗୁଲାଟରି ଅଥରିଟି ଅଫ ଇଣ୍ଡିଆ’ର ବାର୍ଷିକ ସମୀକ୍ଷା ବିବରଣୀ୨୦୧୮, ଇଣ୍ଟରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆର ‘ଇଣ୍ଡିଆ ଇଣ୍ଟରନେଟ ୨୦୧୯’ ତଥା ବ୍ୟବସାୟ ପରାମର୍ଶଦାତା ‘କେପିଏମଜି’ ଓ ଓଟିଟି ମଞ୍ଚ ‘ଏରସନାଓ’ ସର୍ବେକ୍ଷଣରେ ପ୍ରସ୍ତୁତ ‘ଅନରିଭିଲିଂ ଦି ଡିଜିଟାଲ ଭିଡ଼ଓକନଜ୍ୟୁମର:ଲୁକିଂ ଥ୍ରୁ ଭିଉଅରଲେନ୍ସ’ ଦେଶରେ ଇଣ୍ଟରନେଟ ବ୍ୟବହାରର ସମସାମୟିକ ସ୍ଥିତାବସ୍ଥା ସଂପର୍କରେ ସମ୍ୟକ ଦୃଷ୍ଟିପାତ କରିଥାଏ ।
ଆନ୍ତର୍ଜାତିକସ୍ତରରେ ଚୀନ ପରକୁ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟାଗଣତିରେଭାରତ ଦ୍ୱିତୀୟସ୍ଥାନ ଏବଂ ଉପଭୋକ୍ତା ପିଚ୍ଛାଡ଼ାଟା ବ୍ୟବହାରରେ ପ୍ରଥମସ୍ଥାନ ଅକ୍ତିଆର କରିଛି । ଦେଶରେ ୨୦୧୭ରେ ୪୨ କୋଟି ୪୦ ଲକ୍ଷ ୱାଇରଲେସଡ଼ାଟା ଗ୍ରାହକ ଥିବାସ୍ଥଳେ ତାହା ୩୬ ପ୍ରତିଶତ ବୃଦ୍ଧିପାଇ ୨୦୧୮ରେ ୫୭ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା । ୱାଇରଲେସ ଇଣ୍ଟରନେଟ ଉପଭୋକ୍ତାମାନେ ମାସିକ ହାରାହାରି ୮ ଗିଗାବାଇଟଡ଼ାଟା ବ୍ୟବହାର କରୁଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଉପଭୋକ୍ତା ପିଛା ମାସିକ ୪ ଜିବି, ଦକ୍ଷିଣ କୋରିଆରେ ୬ ଜିବି, ଜାପାନରେ ୪.୫ ଜିବି ଓ ସିଙ୍ଗାପୁରରେ ୩ ଜିବିଡ଼ାଟା ବ୍ୟବହୃତ ହୋଇଥାଏ। ଭାରତରେ ୨୦୧୬ରୁ ୨୦୧୮ ଦୁଇବର୍ଷ ମଧ୍ୟରେ ଡ଼ାଟା ବ୍ୟବହାର ୨୦୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୨୦୧୪ରୁ ୨୦୧୮ ଚାରି ବର୍ଷ ମଧ୍ୟରେ ଡ଼ାଟା ଦର ୯୬ ପ୍ରତିଶତ କମିଛି । ୨୦୧୮ରେ ଉପଭୋକ୍ତା ପିଛା ମାସିକ ଡ଼ାଟା ବାବଦରେ ଏୟରଟେଲର ଗ୍ରାହକ ଚାନ୍ଦା ୧୨୭ ଟଙ୍କା ଥିବା ସ୍ଥଳେ ଜିଓର ୧୨୨ ଟଙ୍କା ଏବଂ ଭୋଡ଼ାଫୋନର ୧୦୮ ଟଙ୍କା ଧାର୍ଯ୍ୟ ହୋଇଥିଲା ।
ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟ ସୁସ୍ୱଷ୍ଟ। ପୁରୁଷଙ୍କ ସଂଖ୍ୟା ହାରାହାରିଭାବେ ୬୭ ପ୍ରତିଶତ ହିସାବ କରାଯାଉଥିବାସ୍ଥଳେ ସହରାଞ୍ଚଳରେ ୬୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୭୨ ପ୍ରତିଶତ । ଉପଭୋକ୍ତାଙ୍କ ମଧ୍ୟରୁ ଦୁଇତୃତୀୟାଂଶ ୧୨ ରୁ ୨୯ ବର୍ଷ ମଧ୍ୟରେ ଯୁବଶ୍ରେଣୀ ଅନ୍ତର୍ଭୁକ୍ତ । ଦେଶରେ ୪୫ କୋଟି ୧୦ ଲକ୍ଷଙ୍କୁ ସକ୍ରିୟ ମାସିକ ଉପଭୋକ୍ତା ବା ‘ମନଥଲିଏକ୍ଟିଭୟୁଜର୍ସ’ ରୂପେ ଗଣିତ କରାଯାଉଥିବା ସ୍ଥଳେ ଦୁଇତୃତୀୟାଂଶ ପ୍ରତ୍ୟହ ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ସେହିପରି ଏକତୃତୀୟାଂଶ ସହରାଞ୍ଚଳରେ ଦୈନିକ ଏକଘଣ୍ଟା ବା ତତୁର୍ଦ୍ଧ୍ୱ ଇଣ୍ଟରନେଟ ବ୍ୟବହାର କରୁଥିବା ସ୍ଥଳେ ଅନ୍ୟ ଏକ ତୃତୀୟାଂଶ ଗ୍ରାମାଞ୍ଚଳରେ ଦୈନିକ ୧୫ ରୁ ୩୦ ମିନଟ ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।
ସହରାଞ୍ଚଳ ଉପଭୋକ୍ତାଙ୍କ ମଧ୍ୟରୁ ଏକତୃତୀୟାଂଶ ଇଣ୍ଟରନେଟ ଯାତ୍ରା ସମୟରେ ମଧ୍ୟ ବ୍ୟବହାର କରୁଥିବା ଜଣାଯାଏ । ନିବାସ କିମ୍ୱା କାର୍ଯ୍ୟାଳୟରେ କମ୍ପ୍ୟୁଟର ବଦଳରେମୋବାଇଲଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର କ୍ରମଶଃ ବୃଦ୍ଧିପାଇ ୮୭ ପ୍ରତିଶତରେ ପହଞ୍ଚିବା ହିସାବ କରାଯାଏ । କେପିଏମଜି ସର୍ବେକ୍ଷଣରୁ ଜଣାଯାଇଛି ଯେ ସହରାଞ୍ଚଳରେ ଇଣ୍ଟରନେଟ ଉପଭୋକ୍ତାମାନେ ଦୈନିକ ହାରାହାରି ୭୦ ମିନଟ ଭିଡ଼ିଓ ଦେଖିଥାନ୍ତି । ସେମାନେ ପ୍ରତ୍ୟହ ଅତିକମରେ ଥରେ ଏବଂ ସପ୍ତାହକୁ ୧୨.୫ ଥର ଭିଡ଼ିଓ ମଞ୍ଚଗୁଡ଼ିକରେ ଉପସ୍ଥିତ ହୋଇଥାନ୍ତି । କେପିଏମଜି ସର୍ବେକ୍ଷଣ ଦେଶର ୧୬ ଗୋଟି ସହରରେ ୧,୪୫୮ ଜଣ ଇଣ୍ଟରନେଟ ଭିଡ଼ିଓ ସେବା ଉପଭୋକ୍ତା ‘ଓଭର ଦି ଟପ’ ବା ‘ଓଟିଟି’ ଗ୍ରାହକଙ୍କ ଅନଲାଇନ ଅଭ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା ।
ଏହି ଅନୁଧ୍ୟାନରୁ ଆହୁରି ଜଣାଯାଇଛି ଯେ ୨୮ ପ୍ରତିଶତ ସହରାଞ୍ଚଳ ଉପଭୋକ୍ତା କାର୍ଯ୍ୟାଳୟ ସମୟ ଦିନ ୧୦ରୁ ୬ ଘଣ୍ଟା ‘ଅଫିସ ଆୱାର’ ମଧ୍ୟରେ ଇଣ୍ଟରନେଟ ବ୍ୟବହାର କରନ୍ତି । ଇଣ୍ଟରନେଟଭିତ୍ତିକ ଭିଡ଼ିଓ ପ୍ରସାରଣ ମଞ୍ଚଗୁଡ଼ିକରେ ଚଳଚ଼ିତ୍ର ମୁଖ୍ୟ ସ୍ଥାନ ଅଧିକାର କରିଆସିଛି । ତେବେ ପୂର୍ବ ପ୍ରଦର୍ଶିତଚଳଚ଼ିତ୍ର ବଦଳରେ ମୌଳିକ‘ଓରିଜିନାଲ’ଚଳଚ଼ିତ୍ର ଦେଖିବାକୁ ୧୦ ପ୍ରତିଶତ ଦର୍ଶକ ପସନ୍ଦ କରନ୍ତି । ଇଣ୍ଟରନେଟ ଆପ୍ଳିକେସନଗୁଡ଼ିକର ବ୍ୟବହାର ସଂପୃକ୍ତ ମଞ୍ଚରେ ସ୍ଥାନିତ ବିଷୟବସ୍ତୁ ‘କଣ୍ଟେଣ୍ଟ’ ଉପରେ ନିର୍ଭରଶୀଳ । କୌଣସି ଆପର ଗୁଣବତ୍ତା ସଂପର୍କରେ ଅସନ୍ତୁଷ୍ଟ ହେଲେ ୮୭ ପ୍ରତିଶତ ଉପଭୋକ୍ତା ଉକ୍ତ ଆପର ଅପସାରଣ ‘ଡ଼ିଲିଟ’ କରିଦେଇଥାନ୍ତି ।
ଇଣ୍ଟରନେଟରେ ଭାରତୀୟ ଭାଷାର ବ୍ୟବହାର କ୍ରମଶଃ ବଢ଼ି ଚାଲିଛି । ସର୍ବେକ୍ଷଣର ଅଂଶ ଗ୍ରହଣ କରିଥିବା ୩୦ ପ୍ରତିଶତ ଉପଭୋକ୍ତା ଇଂଲିଶ ବା ହିନ୍ଦିବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ଉପଭୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଏ । ଇଣ୍ଟରନେଟ ସଂଯୁକ୍ତି ସମଗ୍ର ଜନସଂଖ୍ୟାର ମାତ୍ର ୩୬ ପ୍ରତିଶତରେ ସୀମିତ ରହିଛି । ଦେଶର ମୋଟ ଜନସଂଖ୍ୟା ୧୩୦ କୋଟି ମଧ୍ୟରୁ ୫୦ ପ୍ରତିଶତରୁ କମ ୫୭ କୋଟି ୮୦ ଲକ୍ଷ ମୋବାଇଲ ଡ଼ାଟା ବ୍ୟବହାର କରିଥାନ୍ତି । ପ୍ରାଦେଶିକସ୍ତରରେ ଦିଲ୍ଲୀରେ ସର୍ବାଧିକ ଉପଭୋକ୍ତା ଦାବୀ କରୁଥିବା ସ୍ଥଳେ ତା’ପରକୁ କେରଳ, ହରିଆନା, ହିମାଚଳ ପ୍ରଦେଶ ଓ ପଞ୍ଜାବର ସ୍ଥାନ । ସେହିପରି ମେଟ୍ରୋ ନଗରୀଗୁଡ଼ିକ ମଧ୍ୟରେ ମୁମ୍ୱାଇରେ ଏକ କୋଟି ୧୭ ଲକ୍ଷ, ଦିଲ୍ଲୀରେ ଏକ କୋଟି ୧୨ ଲକ୍ଷ, ବାଙ୍ଗାଲୁରୁ ଓ କୋଲକତାରେ ପ୍ରତ୍ୟେକ ୬୧ଲକ୍ଷ ଏବଂ ଚ଼େନ୍ନାଇରେ ୫୪ ଲକ୍ଷ ଇଣ୍ଟରନେଟ ଉପଭୋକ୍ତା ହିସାବ କରାଯାଏ ।
ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତା ପରିସଂଖ୍ୟାନ ଅନୁଶୀଳନ କଲେ ନିକଟ ଭବିଷ୍ୟତରେ ଏହାର ବ୍ୟାପ୍ତି ଓ ବ୍ୟବହାର ବୃଦ୍ଧି ଆକଳନ କରାଯାଏ । ବାର୍ଷିକଭିତ୍ତିରେ ୩୬ ପ୍ରତିଶତ ଯାଏଁ ଉପଭୋକ୍ତା ଅଭିବୃଦ୍ଧି ଏବଂ ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଡ଼ାଟା ବ୍ୟବହାର ମାନ୍ୟତା ଇଣ୍ଟରନେଟ ମଞ୍ଚଗୁଡ଼ିକର ପ୍ରସାରରେ ଉଜ୍ଜଳ ଭବିଷ୍ୟତ ଆଶା କରାଯାଇପାରେ । ଡ଼ାଟା ଦର ବିଗତ ଚାରିବର୍ଷ ମଧ୍ୟରେ ୯୬ ପ୍ରତିଶତ ହ୍ରାସ ପାଇଥିବା ଏବଂ ବ୍ୟବହାର ବିଗତ ଦୁଇବର୍ଷ ମଧ୍ୟରେ ୨୦୦ ପ୍ରତିଶତ ବଢ଼ିଥିବା ଭାରତଭଳି ଏକ ବିକାଶୋନ୍ମୁଖୀ ରାଷ୍ଟ୍ରର ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା ତଥା ଗଣତାନ୍ତ୍ରିକ ଶାସନ ପଦ୍ଧତିକୁ ଗଭୀରଭାବେ ପ୍ରଭାବିତ କରିବା ନିଶ୍ଚିତ ।
ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରେ ଦୁଇତୃତୀୟାଂଶ ୧୨ ରୁ ୨୯ ବର୍ଷ ବୟସସୀମାରେ ଅନ୍ତର୍ଭୁକ୍ତ ଥିବା ଏବଂ ସମାନ ସଂଖ୍ୟକ ପ୍ରତ୍ୟେହ ଇଣ୍ଟରନେଟ ବ୍ୟବହାର କରୁଥିବା ପରିସଂଖ୍ୟାନ ସାଧାରଣସ୍ତରରେ ଇଣ୍ଟରନେଟ ଲୋକପ୍ରିୟତାର ପ୍ରମାଣ ଦିଏ । ଉପଭୋକ୍ତାମାନେ ଦୈନିକ ୭୦ ମିନଟ ଯାଏଁ ଭିଡ଼ିଓ ଦେଖୁଥିବା ହିସାବ ଭବିଷ୍ୟତରେ ଭିଡ଼ିଓ ପ୍ରସାରଣକୁ ମୁଖ୍ୟ ଗଣମାଧ୍ୟମ ମଞ୍ଚରୂପେଗଢ଼ି ତୋଳିବା ସମ୍ଭାବନାକୁ ଦୃଢ଼ୀଭୂତ କରିଥାଏ । ସେହିପରି ୩୦ ପ୍ରତିଶତ ଯାଏଁ ଉପଭୋକ୍ତା ଇଣ୍ଟରନେଟ ମଞ୍ଚରେ ଇଂଲିଶ ଓ ହିନ୍ଦି ବ୍ୟତୀତ ଅନ୍ୟ ଭାରତୀୟ ଭାଷାଗୁଡ଼ିକରେ କାର୍ଯ୍ୟକ୍ରମ ଆହରଣ ନିମନ୍ତେ ଆଗ୍ରହ ପ୍ରକାଶ ଓଡ଼ିଆ ଭଳି ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଓ ସଂସ୍କୃତିର ପ୍ରସାର ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ଆଶା କରାଯାଇପାରେ । ୨୦୨୦ ମଧ୍ୟଭାଗ ସୁଦ୍ଧା ୫ଜି କାରିଗରୀ କୌଶଳ ପ୍ରସାର ଇଣ୍ଟରନେଟ ସେବାରେ ବହୁ ଅତ୍ୟାଧୁନିକ ସେବା ପ୍ରଦାନର ପ୍ରତିଶୃତି ବହନ କରୁଥିବା ସ୍ଥଳେ ଇଣ୍ଟରନେଟ ପ୍ରଭାବରେ ୨୦୨୫ ବେଳକୁ ଦୈନନ୍ଦିନ ଜୀବନଯାତ୍ରାରେ ବ୍ୟାପକ ପରିବର୍ତ୍ତନ ନିଶ୍ଚିତ ।
