କୁହାଯାଉଛି ଯେ ବିଗତ ତିନି ଦଶନ୍ଧିଧରି ପ୍ରଯୁକ୍ତି ବିଜ୍ଞାନକ୍ଷେତ୍ରରେ ଉଦ୍ଭାବନଗୁଡ଼ିକୁ ବିଶ୍ୱବ୍ୟାପୀ ସାଦରରେ ଗ୍ରହଣ କରାଯାଇ ଆସିଛି । ଠିକ୍ ଏହି ସମୟସୀମାରେ ପ୍ରବର୍ତ୍ତିତ ଜଗତୀକରଣ ଓ ଆର୍ଥିକ ଉଦାରୀକରଣ ନୀତିର ଅପକାରିତା ସଂପର୍କରେ ଚର୍ଚ୍ଚା ହୋଇଛି ସିନା, କମ୍ପ୍ୟୁଟିଂ ଆଶ୍ରିତ ବିବିଧ ଉତ୍ପାଦରବ୍ୟବହାର କିମ୍ୱା ଇଣ୍ଟରନେଟର ବିସ୍ତୃତି ନେଇ ପ୍ରାୟତଃ ବିରୋଧ ହୋଇନଥିଲା । ଅପରପକ୍ଷେ ନୂତନ ପ୍ରଯୁକ୍ତି ବିଜ୍ଞାନ ବା ନ୍ୟୂ ଟେକନୋଲଜି ମାନବ ସଭ୍ୟତାର ଯାବତୀୟ ସମସ୍ୟା ସମାଧାନରେ କିପରି ସହଯୋଗ କରିପାରିବ ସେ ଦିଗରେ ବୈଜ୍ଞାନିକଙ୍କ ସହ ସମାଜବିଜ୍ଞାନୀ, ଅର୍ଥନୀତିଜ୍ଞ ତଥା ରାଜନୀତିଜ୍ଞମାନେ ଦକ୍ଷତା ବିନିଯୋଗ କରିଆସିଛନ୍ତି ।
ପ୍ରଥମଥର ଲାଗି ୨୦୧୭ ଶେଷାର୍ଦ୍ଧରୁ ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟୂ ଟେକନୋଲଜି ସଂପୃକ୍ତ ବିଭିନ୍ନ ଉତ୍ପାଦର ନକାରାତ୍ମକ ଦିଗ ସଂପର୍କରେ ବୁଦ୍ଧିଜୀବୀ ମହଲରେ ସ୍ୱର ଉତ୍ତୋଳନ ଦେଖିବାକୁ ମିଳିଥିଲା । ସାମାଜିକ ଗଣମାଧ୍ୟମ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଏକଦା ପରାମର୍ଶଦାତା ଥିବା ରୋଗାର ମାକ-ନାମେ ‘ଟ୍ରୁଥ ଏବାଉଟ ଟେକ’ ନାମକ ଅଭିଯାନ ଆରମ୍ଭ କରି ଫେସବୁକଭଳି ମଞ୍ଚ ବ୍ୟବହାରଜନିତ ସାମାଜିକ ଅନିଷ୍ଟ ସଂପର୍କରେ ଜନସଚ଼େତନତା ସୃଷ୍ଟିଲାଗି ଉଦ୍ୟମ ସେଥି ମଧ୍ୟରୁ ଅନ୍ୟତମ । ତାଙ୍କରି ଅଭିଯୋଗ ୨୦୧୮ ମାର୍ଚ୍ଚରେ ଫେସବୁକ ଉପଭୋକ୍ତାଙ୍କ ତଥ୍ୟକୁ ନେଇ କେମ୍ୱ୍ରିଜ ଏନାଲିଟିକା ଜରିଆରେ ବିଭିନ୍ନ ରାଷ୍ଟ୍ରରେ ଗଣତାନ୍ତ୍ରିକ ନିର୍ବାଚ଼ନରେ ଭୋଟରଙ୍କୁ ପ୍ରଭାବିତ କରାଇବା ଉଦ୍ୟମର ପର୍ଦ୍ଦାଫାଶପରେ ପ୍ରମାଣିତ ହୋଇଛି ।
ଅଭିଯୋଗ ଉଠୁଛି ଯେ ଇଣ୍ଟରନେଟ, ସୋସିଆଲ ମିଡ଼ିଆ ଓ ଭାର୍ଚୁଆଲ ରିଅଲିଟି ଭଳି ଉତ୍ପାଦମାନ ପ୍ରକାଶ୍ୟରେ ଉପଭୋକ୍ତାମାନଙ୍କୁ ଦୈନନ୍ଦିନ କାର୍ଯ୍ୟସମାପନରେ ସାହାଯ୍ୟ କରୁଥିବା ଦାବୀ କରୁଥିଲେ ହେଁ ଗୋପନରେ ବିଭିନ୍ନସ୍ତରରେ ପ୍ରଭାବିତ କରି ବ୍ୟବସାୟିକ ଲାଭପ୍ରତି ଲକ୍ଷ୍ୟ ରହୁଛି । ଆନ୍ତର୍ଜାତିକସ୍ତରରେ ସ୍ମାର୍ଟଫୋନ ବ୍ୟବହାର ବଢ଼ି ଚ଼ାଲିଥିବାସ୍ଥଳେ ସ୍ମାର୍ଟଫୋନ ପରଦାରେ ଅତିବାହିତ ସମୟସୀମା ମଧ୍ୟ ଅଣଆୟତ୍ତଭାବେ ବୃଦ୍ଧିପ୍ରାପ୍ତ ହୋଇଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନର ଅବିଚ଼ାରିତ ବ୍ୟବହାର ନୂତନ ସମସ୍ୟାମାନ ଗଢ଼ି ତୋଳୁଛି ।
ଗବେଷକମାନେ କହିଲେଣି ଯେ ସ୍ମାର୍ଟଫୋନ ବ୍ୟବହାରଜନିତ ମାଦକତା ସାମାଜିକ ବ୍ୟବସ୍ଥା ସମେତ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟଲାଗି ମଧ୍ୟ ବିପଦପୂର୍ଣ୍ଣ । ସ୍ମାର୍ଟଫୋନରେ ବ୍ୟବହୃତ ବିଭିନ୍ନ ଆପ୍ଲିକେସନଜନିତ ଆଲର୍ଟ ଉପଭୋକ୍ତାଙ୍କ ଷ୍ଟ୍ରେସ ହରମୋନକୁ ଉତ୍ତେଜିତ କରି ହୃଦସ୍ପନ୍ଦନ ବୃଦ୍ଧି ସଙ୍ଗେ ଶ୍ୱାସକ୍ରିୟା ଓ ସ୍ନାୟୁକୋଷଗୁଡ଼ିକ ପ୍ରଭାବିତ କରିଥାଏ । ଏଭଳି ପ୍ରକ୍ରିୟା ବାରମ୍ୱାର ସାମନା କରିବା ଫଳରେ ଉପଭୋକ୍ତା ମାନସିକସ୍ତରରେ ଅବଶ ହୋଇପଡ଼େ । ସ୍ମାର୍ଟଫୋନଜନିତ କ୍ରମାଗତ ଉତ୍ତେଜନା ସ୍ଥଳବିଶେଷରେ ଅବସାଦର କାରଣ ହୋଇପାରେବୋଲି ମଧ୍ୟ ଚ଼େତାବନୀ ଦିଆଗଲାଣି ।
ମୁଦ୍ରିତ ପୁସ୍ତକ ବା ଲିଖିତ ଦସ୍ତାବିଜ ବଦଳରେ କମ୍ପ୍ୟୁଟର ବା ମୋବାଇଲ ପରଦାର ପଢ଼ା ବିଷୟବସ୍ତୁକୁ ସଠିକଭାବେ ବୁଝିବା ବା କମ୍ପ୍ରିହେନସନକ୍ଷେତ୍ରରେ ଅପେକ୍ଷାକୃତ ଶୀଥିଳ ବୋଲି ପ୍ରମାଣିତ ହୋଇଛି । ବିଶେଷକରି ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଅଧ୍ୟୟନ ଲାଗି ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଉଛି ।
ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୨୦୧୭ ଶେଷ ସୁଦ୍ଧା ୪୮ କୋଟିରେ ପହଞ୍ଚିଥିବା ବେଳେ ୮୯ ପ୍ରତିଶତ ସ୍ମାର୍ଟଫୋନଯୋଗେ ଇଣ୍ଟରନେଟ ମଞ୍ଚ ବ୍ୟବହାର କରିଥାନ୍ତି ବୋଲି ଡ଼ିଜିଟାଲ ବିଶ୍ଳେଷଣ ସଂସ୍ଥା ‘କମସ୍କୋର’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଆନ୍ତର୍ଜାତିକସ୍ତରରେ ଭାରତ ପରକୁ ଇଣ୍ଡୋନେସିଆରେ ୮୭ ପ୍ରତିଶତ, ମେକ୍ସିକୋରେ ୮୦ ପ୍ରତିଶତ ଓ ଆର୍ଜେଣ୍ଟିନାରେ ୭୭ ପ୍ରତିଶତ ଉପଭୋକ୍ତା ସ୍ମାର୍ଟଫୋନରେ ଇଣ୍ଟରନେଟ ବ୍ୟବହାର କରିଥାନ୍ତି ।
ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଭାରତ ଶୀର୍ଷସ୍ଥାନ ଅଧିକାର କରୁଥିବା ହେତୁ ଏଠାରେ ‘ମୋବାଇଲ ପାଂଷ୍ଟ’ ପରିବେଶ ସୃଷ୍ଟି ହୋଇଛି ବୋଲି କହିବାକୁ ପଡ଼ିବ । ଅର୍ଥାତ ଇଣ୍ଟରନେଟଭିତ୍ତିକ ଯେକୌଣସି ଉତ୍ପାଦ ଉପଭୋକ୍ତାଙ୍କ ନିକଟରେ ପହୁଞ୍ଚାଇବା ନିମନ୍ତେ ସ୍ମାର୍ଟଫୋନ ପରଦା ହିଁ ମୁଖ୍ୟ ବିବେଚ଼ିତ ହେବ । ଆମ ଦେଶ ଭଳି ବିକାଶୋନ୍ମମୁଖୀ ରାଷ୍ଟ୍ରଗୁଡ଼ିକରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧିର ଅନ୍ୟାନ୍ୟ କାରଣ ମଧ୍ୟରେ ଇଣ୍ଟରନେଟର ଭୌଗଳିକ ପରିବ୍ୟାପ୍ତି, ସ୍ମାର୍ଟଫୋନର ବିକ୍ରୟ ଦର ଓ ଡ଼ାଟା ଦର ହ୍ରାସ ପ୍ରଧାନ ।
ଭାରତରେ ସ୍ମାର୍ଟଫୋନ ବିକ୍ରୀ ବାର୍ଷିକ ୧୪ ରୁ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି । କିଛି ବର୍ଷ ପୂର୍ବେ ଏଠାରେ ଆନ୍ତର୍ଜାତିକମାନର ଏପଲ ଓ ସାମସଙ୍ଗଭଳି ବ୍ରାଣ୍ଡ ସହ ଆନ୍ତର୍ଜାତିକ ବ୍ରାଣ୍ଡର ସହଯୋଗିତାରେ ନିର୍ମିତ ସ୍ଥାନୀୟ ବ୍ରାଣ୍ଡ ପ୍ରତିଯୋଗିତା କରୁଥିଲା । ତେବେ ୨୦୧୪ରୁ ଆପୋ, ଭିଭୋ, ଲେ-ଏକୋ ଓ ଜିଓମି ଭଳି ଚ଼ୀନ ବ୍ରାଣ୍ଡର ପ୍ରବେଶ ପରେ ବଜାରରେ ତିନିଗୋଟି ବ୍ରାଣ୍ଡର ପ୍ରତିଯୋଗିତା ଚ଼ାଲିଛି । ୨୦୧୭ ସୁଦ୍ଧା ଗୋଟିଏ ସ୍ମାର୍ଟଫୋନର ହାରାହାରି ବିକ୍ରୀଦର ୧୨ ହଜାର ଟଙ୍କା ଥିବାବେଳେ ୨୦୧୮ ଶେଷ ସୁଦ୍ଧା ୧୫ ହଜାର ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଭାରତୀୟ ଉପଭୋକ୍ତାମାନେ ଅଧିକ ଦରରେ ଉନ୍ନତମାନର ନୂତନ ସ୍ମାର୍ଟଫୋନ କିଣିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
ସ୍ମାର୍ଟଫୋନରେ ଭାରତୀୟମାନେ ଗୀତ ଶୁଣିବା, ଭିଡ଼ିଓ ଦେଖିବା ସାଙ୍ଗକୁ ମେସେଜ ଦିଆନିଆ ଓ ସୋସିଆଲ ମିଡ଼ିଆରେ ଅଧିକ ସମୟ ଅତିବାହିତ କରିଥାନ୍ତି । ସୋସିଆଲ ମିଡ଼ିଆଗୁଡ଼ିକର ବ୍ୟବସାୟିକ ଢ଼ାଞ୍ଚା ବା ବିଜିନେସ ମଡ଼େଲ ଉପଭୋକ୍ତାଙ୍କୁ ବିନାମୂଲ୍ୟରେ ସେବା ଯୋଗାଇ ସେମାନେ କ’ଣ କରୁଛନ୍ତି, କ’ଣ ପସନ୍ଦ କରୁଛନ୍ତି ଓ କ’ଣ ଚ଼ାହୁଁଛନ୍ତି ଭଳି ତଥ୍ୟ ସଂଗ୍ରହକରି ତାହାରି ଆଧାରରେ ବ୍ୟକ୍ତିଗତସ୍ତରରେ ବିଜ୍ଞାପନ ପ୍ରସାରଣ କରି ଅର୍ଥ ଉପାର୍ଜନ କରିଥାନ୍ତି । ଏକ ବ୍ୟବସାୟିକ ସଂସ୍ଥା ପ୍ରତ୍ୟେକ ଉପଭୋକ୍ତାଙ୍କ ବ୍ୟକ୍ତିଗତ ବ୍ୟବହାର ସଂପର୍କରେ ତଥ୍ୟ ସଂଗ୍ରହ କରି ତାହା ବ୍ୟବସାୟରେ ନିୟୋଜିତ କରୁଥିବା ହେତୁ ଏଭଳି ପ୍ରଣାଳୀର ବିରୋଧ ଆରମ୍ଭ ହୋଇଛି ।
ଡ଼ିଜିଟାଲ ବିଶେଷଜ୍ଞମାନେ କହିଲେଣି ଯେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ମାଗଣାରେ ସେବା ପ୍ରଦାନ ବଦଳରେ ଗ୍ରାହକ ଚ଼ାନ୍ଦା ନିଅନ୍ତୁ, କିନ୍ତୁ ତଥ୍ୟ ବିକ୍ରୀ କରିବା ବନ୍ଦ କରନ୍ତୁ । ବ୍ୟକ୍ତିଗତ କ୍ଳାଉଡ଼ କମ୍ପ୍ୟୁଟିଂ ଉପଯୋଗରେ ଶସ୍ତା ସେରଭର କମ୍ପ୍ୟୁଟର ମାଧ୍ୟମରେ ଅନୁରୂପ ସେବା ପାଇବା ଯେତେବେଳେ ସଂଭବପର ସେଥିପ୍ରତି ଧ୍ୟାନ ଦିଆଯାଉ । ଚ଼ୀନରେ ଫେସବୁକର ବିକଳ୍ପ ଲୋକପ୍ରିୟ ଥିବାବେଳେ ବର୍ତ୍ତମାନ ଭାରତରେ ସେଭଳି ମଞ୍ଚ ନିର୍ମାଣ ପାଇଁ ଜଣେ ବଡ଼ ଶିଳ୍ପପତି ଆହ୍ୱାନ ଦେଇଛନ୍ତି ।
ସାମୂହିକ ଡ଼ିଜିଟାଲ ଜୀବନର ପ୍ରସାର ଅତ୍ୟନ୍ତ କ୍ଷୀପ୍ରଗତିରେ ସମ୍ପନ୍ନ ହୋଇଥିବା ହେତୁ ସ୍ମାର୍ଟଫୋନ ବ୍ୟବହାରରେ ମଦକତା ହେଉ କିମ୍ୱା ସୋସିଆଲ ମିଡ଼ିଆର ନକାରତ୍ମକ ଦିଗ କୌଣସିଟି ସଂପର୍କରେ ତତ୍କ୍ଷଣାତ ତର୍ଜମା ସଂଭବପର ହୋଇପାରି ନାହିଁ । ଗତ ଦଶନ୍ଧିରେ ସ୍ମାର୍ଟଫୋନର ଉଦ୍ଭାବନ ଏବଂ ବିଶ୍ୱବ୍ୟାପୀ ବ୍ୟବହାର ସାଧାରଣ ନାଗରିକଙ୍କ ଡ଼ିଜିଟାଲ ଜୀବନକୁ ପ୍ରଭାବିତ କରିଚ଼ାଲିଥିବା ଅବସରରେ ଏହାର ସାମୟିକ ଆତ୍ମନିରୀକ୍ଷଣ ଯୁକ୍ତିଯୁକ୍ତ ମନେହୁଏ ।
