ଆଜିର ଖାସ ଖବର
Mon. Jul 27th, 2026

ଇଣ୍ଟରନେଟ ମଞ୍ଚରେ ଶିଶୁ, କିଶୋର ଓ ମହିଳା

By Dainikasha Jul11,2024

ଭାରତରେ ଇଣ୍ଟରନେଟ ମଞ୍ଚରେ ୨୦୧୭ ରୁ ୨୦୨୨ ପାଞ୍ଚବର୍ଷ ମଧ୍ୟରେ ୫୦ କୋଟି ନୂତନ ଉପଭୋକ୍ତାଙ୍କ ପ୍ରବେଶ ଆକଳନ କରାଯାଏ । ବୈଦେଶିକନିବେଶକ‘ଓମିଡ଼େରନେଟୱାର୍କ ଇଣ୍ଡିଆ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପ୍ରଥମ ୫୦ କୋଟି ଉପଭୋକ୍ତାଙ୍କ ତୁଳନାରେ ପରବର୍ତ୍ତୀ ୫୦ କୋଟି ଉପଭୋକ୍ତାଙ୍କ ସ୍ଵରୂପ ଭିନ୍ନ ରହିବ । ନୂତନ ଉପଭୋକ୍ତାଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା ସାମିଲ ହେବା, ବଡ଼ସହରଗୁଡ଼ିକ ତୁଳନାରେ ଛୋଟ ସହର ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଯୋଗଦାନ ତଥା ପ୍ରଥମ ବର୍ଗର ଉପଭୋକ୍ତାଙ୍କ ତୁଳନାରେ ଭିନ୍ନ ରୁଚ଼ିସମ୍ପନ୍ନ ହେବା ଆଶା କରାଯାଏ ।

ପାରମ୍ପରିକଭାବେ ଆମ ଦେଶରେ ଇଣ୍ଟରନେଟ ମଞ୍ଚରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସଂଖ୍ୟା କମ । ଏହାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ମହିଳାମାନଙ୍କଠାରେ ଇଣ୍ଟରନେଟ ଆହରଣ କରିବାଲାଗିସ୍ମାର୍ଟଫୋନ, ଟେବଲେଟ, ଲ୍ୟାପଟପ ବା ଡ଼େସ୍କଟପ ତଥା ଡ଼ାଟା କ୍ରୟ ଶକ୍ତି ଅଭାବସାଙ୍ଗକୁ ବ୍ୟକ୍ତିଗତ ସୁରକ୍ଷା କାରଣରୁ ଅତ୍ୟାଧୁନିକ ମାଧ୍ୟମ ବ୍ୟବହାରରୁ ଦୂରେଇ ରହି ଆସିଛନ୍ତି । କିନ୍ତୁ ଏହି ସବୁ ପ୍ରତିବନ୍ଧକ କ୍ରମଶଃ ଦୂର ହେଉଥିବା ଲକ୍ଷ୍ୟ କରାଯାଏ ।

ଭାରତରେ ଇଣ୍ଟରନେଟ ମଞ୍ଚରେ ପହଞ୍ଚିଥିବାଲାଗି ମୁଖ୍ୟତଃ ସ୍ମାର୍ଟଫୋନ ବ୍ୟବହୃତ ହୋଇଥାଏ । ୨୦୧୯ ଶେଷ ସୁଦ୍ଧା ଦେଶରେ ୩୭ ରୁ ୩୮ କୋଟି ସ୍ମାର୍ଟଫୋନ ବ୍ୟବହୃତ ହେଉଥିବା ସ୍ଥଳେ ବାର୍ଷିକଭିତ୍ତିରେ ଅଭିବୃଦ୍ଧି ବିଚାରକୁ ନେଲେ ୨୦୨୨ ସୁଦ୍ଧା ୪୫ କୋଟିରେ ପହଞ୍ଚିବା ହିସାବ କରାଯାଏ । ସ୍ମାର୍ଟଫୋନ ବ୍ୟବହାର ସଂଖ୍ୟା ବୃଦ୍ଧିରେ ମହିଳାମାନେ ସାମିଲ ହେଲେ ସ୍ୱତଃପ୍ରବୃତ୍ତଭାବେସେମାନେ ଇଣ୍ଟରନେଟ ଉପଭୋକ୍ତାରେ ପରିଣତ ହେବେ । ସାମାଜିକ, ଅର୍ଥନୀତିକ, ଶିକ୍ଷାଗତ, ସାଂସ୍କୃତିକ ଓ ରାଜନୀତିକସ୍ତରରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବା ହେତୁ ସମାଜର ବିଭିନ୍ନ ବର୍ଗ ସହ ମହିଳାମାନଙ୍କ ମଧ୍ୟରେ ଏଥିପ୍ରତି ଶଙ୍କା ଦୂର ହେବା ନିଶ୍ଚିତ ।

ପ୍ରଚଳିତ ଧାରାରେ ଇଣ୍ଟରନେଟ ମଞ୍ଚରେ ନବାଗତମାନେ ପ୍ରଥମେ ‘ହ୍ୱାଟସଆପ’ ଓ ‘ୟୁଟ୍ୟୁବ’ ବ୍ୟବହାର କରିଥାନ୍ତି । କ୍ରମଶଃ ସମ୍ୱାଦ, ବିଭିନ୍ନ ବିଷୟରେ ସୂଚନା ଓ ବିନାମୂଲ୍ୟରେ ବିତରିତ ବିଷୟଅନଲାଇନରେ ଆହରଣ କରନ୍ତି । ପରବର୍ତ୍ତୀ ଅବସ୍ଥାରେ ସୋସିଆଲ ମିଡ଼ିଆ, ଇକମର୍ସ, ବ୍ୟାଙ୍କିଙ୍ଗ, ପର୍ଯ୍ୟଟନ, ଶିକ୍ଷା ସଂବନ୍ଧୀୟ ମଞ୍ଚଗୁଡ଼ିକରେ ପ୍ରବେଶ କରିଥାନ୍ତି । ୨୦୧୯ ଶେଷ ସୁଦ୍ଧା ବଡ଼ସହରଗୁଡ଼ିକରେ ପ୍ରାୟ ଚାରିରୁ ପାଞ୍ଚ କୋଟି ଉପଭୋକ୍ତା ଇଂଲିଶ ଭାଷା ମାଧ୍ୟମରେ ଇଣ୍ଟରନେଟ ସର୍ବସ୍ୱ ଜୀବନଯାତ୍ରାରେ ସାମିଲ ହୋଇ ସାରିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଛୋଟ ସହର ଓ ଗ୍ରାମାଞ୍ଚଳରେ ଉପଭୋକ୍ତା ସାମିଲ ହେବେ । ଏହି କାରଣରୁ ଇଂଲିଶ ଭିନ୍ନ ହିନ୍ଦି ସମେତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ଇଣ୍ଟରନେଟ ମଞ୍ଚରେ ବହୁଳ ବ୍ୟବହୃତ ହେବ । ଭାଷାଗତ ପ୍ରତିବନ୍ଧକ ହଟିଲେ ଅଧିକ ସଂଖ୍ୟକ ମହିଳା ଇଣ୍ଟରନେଟ ଉପଭୋକ୍ତା ହେବା ସହଜପ୍ରଦ ହେବ ବୋଲି କୁହାଯାଇପାରେ ।

ଭାରତରେ ଇଣ୍ଟରନେଟ ମଞ୍ଚରେ ମହିଳାମାନଙ୍କ ସାଙ୍ଗକୁ ଶିଶୁ ଓ କିଶୋରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଇଣ୍ଟରନେଟରେ ଏହି ତିନି ବର୍ଗର ଉପଭୋକ୍ତା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ ମଧ୍ୟ ବୃଦ୍ଧିପ୍ରାପ୍ତ ହୋଇଛି । ବିଭିନ୍ନ ସୂତ୍ରରେ ହିସାବ ଅନୁଯାୟୀ ୨୦୧୯ ଶେଷ ସୁଦ୍ଧା ଭାରତୀୟ ଇଣ୍ଟରନେଟ ଉପଭୋକ୍ତାମାନେ ହାରାହାରି ପ୍ରାୟ ତିନିଘଣ୍ଟା ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏହି ସମୟସୀମା ମଧ୍ୟରେ କଥୋପକଥନ, ସମ୍ୱାଦ, ସୂଚନା, ସୋସିଆଲ ମିଡ଼ିଆ ଓ ମନୋରଞ୍ଜନ ଅନ୍ତର୍ଭୁକ୍ତ । ମହିଳା ଉପଭୋକ୍ତାମାନଙ୍କଠାରେ ଏହି ସମୟ ସୀମା ସାମାନ୍ୟ ଅଧିକ ହୋଇଥିବା ସ୍ଥଳେ କିଶୋର ବର୍ଗରେ ଢ଼େର ଅଧିକ ।

ଇଣ୍ଟରନେଟ ଗବେଷଣା ସଂସ୍ଥା ‘ମ୍ୟାକ-ଏ-ଫି’ ପକ୍ଷରୁ ୨୦୧୪ରେ ଭାରତର ଦଶ ଗୋଟି ବଡ଼ ସହରରେ ୪ ବର୍ଷରୁ ୧୨ ବର୍ଷ ବୟସ୍କ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ସଂପର୍କରେ ଏକ ସର୍ବେକ୍ଷଣ ଆୟୋଜିତ ହୋଇଥିଲା । ସେଥିରୁ ଜଣାଯାଇଥିଲା ଯେ ୬୨ ପ୍ରତିଶତଙ୍କନିଜସ୍ୱ ଇ-ମେଲ ଠିକଣା ଥିଲା, ୭୧ ପ୍ରତିଶତ ଅପରିଚିତ ବ୍ୟକ୍ତିବିଶେଷଙ୍କ ସହ ଅନଲାଇନରେ ଯୋଗାଯୋଗ ସ୍ଥାପନ କରିଥିଲେ ଏବଂ ୬୪ ପ୍ରତିଶତ ନିଜ ଅସଲି ପରିଚୟ ଲୁଚାଇ ନକଲି ପ୍ରୋଫାଇଲରେଅନଲାଇନ ମଞ୍ଚଗୁଡ଼ିକରେ ଅବତୀର୍ଣ୍ଣ ହେଉଥିଲେ । ସେଥିମଧ୍ୟରୁ ୪୬ ପ୍ରତିଶତ ମଧ୍ୟ ସ୍ୱୀକାର କରିଥିଲେ ଯେ ସେମାନଙ୍କ ଅନଲାଇନ ସଂପୃକ୍ତି ଭବିଷ୍ୟତରେ ସେମାନଙ୍କୁ ବିପଦର ସମ୍ମୁଖୀନ କରାଇପାରେ ।

ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ଏକ ବାସ୍ତବତାରେ ପରିଣତ ହୋଇଥିବା, ସେମାନେ ବୟସ୍କଙ୍କଠାରୁ ଅଧିକ ସମୟ ଅନଲାଇନରେ ଉପସ୍ଥିତ ରହୁଥିବା ଏବଂ ଆଗକୁ ଏହି ପ୍ରବାହ ବଢ଼ିବାସ୍ୱତଃସିଦ୍ଧ ଥିବା ସ୍ଥଳେ ଇଣ୍ଟରନେଟ ମଞ୍ଚରେ ସେମାନଙ୍କ ସୁରକ୍ଷା ଲାଗି ଅଭିଭାବକ କିମ୍ୱା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯଥୋଚ଼ିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଉଦବେଗର କାରଣ ପାଲଟିଛି । ସ୍ଥଳବିଶେଷରେ ଅଭିଭାବକଙ୍କ ପକ୍ଷରୁ ସନ୍ତାନସନ୍ତତିଙ୍କୁ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କ୍ଷେତ୍ରରେ ଏକ ପକ୍ଷରେ ପୂର୍ଣ୍ଣ ଆକଟ କରାଯାଉନଥିବା ସ୍ଥଳେ ଅପରପକ୍ଷରେ ମୋଟରୁ ବ୍ୟବହାରଲାଗି ଅନୁମତି ଦିଆଯାଉ ନଥିବା ଦେଖିବାକୁ ମିଳିଥାଏ । ଉଭୟ ପରିବେଶ ଦୋଷାବହ ।

ବିଶେଷଜ୍ଞମାନେ ଶିଶୁ ଓ କିଶୋରଙ୍କ ଇଣ୍ଟରନେଟ ଉପସ୍ଥିତି ସଂପର୍କରେ ସେମାନଙ୍କ ମଧ୍ୟରେ ସଚେତନତା ପ୍ରସାର ନିମନ୍ତେ ଗୁରୁତ୍ୱ ଆରୋପ କରିଥାନ୍ତି । ପାରିବାରିକସ୍ତରରେ ପିତାମାତା ବିଭିନ୍ନ ମଞ୍ଚ ବ୍ୟବହାର ସଂପର୍କରେ ସାବଧାନତା ଅବଲମ୍ୱନ ନିମନ୍ତେ ନିଜ ଦକ୍ଷତା ଅନୁଯାୟୀପରାମର୍ଶ ଦେବା ଉଚିତ । ବିଦ୍ୟାଳୟସ୍ତରରେ ବିଭିନ୍ନ ମଞ୍ଚ ବ୍ୟବହାରଲାଗିଉପଲବ୍ଧ ସୁରକ୍ଷା ବଳୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବିଧିବଦ୍ଧଭାବେ ପ୍ରଶିକ୍ଷିତ କରାଇବା ଆବଶ୍ୟକ । ସହଭାଗିତା ପଦ୍ଧତି ‘ପାର୍ଟିସେପଟରିମେଥଡ଼’ରେ ଛାତ୍ରଛାତ୍ରୀମାନେ ସାପ୍ତାହିକଭିତ୍ତିରେଏକତ୍ରୀତ ହୋଇ ଇଣ୍ଟରନେଟ ମଞ୍ଚଗୁଡ଼ିକରେ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିବା ତଥା ସୃଷ୍ଟ ସମସ୍ୟାର ସମାଧାନ ନିମନ୍ତେ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେରାସ୍ତା ଖୋଜି ବାହାର କରିବା ଭଳି କସରତ ଫଳପ୍ରଦ ହେବା କୁହାଯାଏ ।

ଅବାଞ୍ଛିତ ଟେଲିଫୋନ କଲ ‘ସ୍ପାମ’ କ୍ଷେତ୍ରରେ ଭାରତ ‘ଟ୍ରୁକଲରଇନସାଇଟ ରିପୋର୍ଟ’ ଅନୁଯାୟୀ ଆନ୍ତର୍ଜାତିକସ୍ତରରେ ୨୦୧୭ରେ ପ୍ରଥମ ସ୍ଥାନରେ ରହିଥିବା ସ୍ଥଳେ ୨୦୧୮ରେ ଦ୍ୱିତୀୟ ଏବଂ ୨୦୧୯ରେ ପଞ୍ଚମ ସ୍ଥାନକୁ ଖସିଛି । ଦେଶରେ ଟେଲିଫୋନ ବ୍ୟବହାର କରୁଥିବା ଏକ ତୃତୀୟାଂଶ ମହିଳା ଅବାଞ୍ଛିତ ଟେଲିଫୋନ କଲ ଗ୍ରହଣ କରିଥାନ୍ତି । ସେଥିମଧ୍ୟରୁ ହାରାହାରି ୫୨ ପ୍ରତିଶତ ମହିଳା ସପ୍ତାହକୁ ଅନ୍ତତଃ ଥରେଯୌନନିର୍ଯ୍ୟାତନାମୂଳକ ବାର୍ତ୍ତାଳାପର ଶୀକାର ହେଉଥିବା ଜଣାଯାଏ । ଏହି ପରିସଂଖ୍ୟାନ ଆଧାରରେ ଇଣ୍ଟରନେଟର ବିଭିନ୍ନ ମଞ୍ଚରେ ମହିଳାମାନଙ୍କ ନିର୍ଯ୍ୟାତନା ହାର ଆକଳନ କରିହୁଏ । ଶିଶୁ ଓ କିଶୋରବର୍ଗରେ ମଧ୍ୟ ସମଦଶା ପ୍ରତିଫଳିତ ହୋଇଥାଏ ।

ଇଣ୍ଟରନେଟରେ ଶିଶୁ, କିଶୋର ଓ ମହିଳାମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ‘ପାର୍ଲାମେଣ୍ଟରୀଷ୍ଟାଣ୍ଡିଂ କମିଟି’ ପକ୍ଷରୁ ୨୦୧୯ ଡ଼ିସେମ୍ୱର ପ୍ରଥମ ସପ୍ତାହରେ ‘ଫେସବୁକ’ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଥିବା ଏବଂ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ପ୍ରମୁଖ ମଞ୍ଚଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ଜଣାଯାଏ । ଏହି ଅବସରରେ ବିଭିନ୍ନ ସୋସିଆଲ ମିଡ଼ିଆ ମଞ୍ଚରେ ଗାଳିଗୁଲଜ, ମାନହାନୀ, ଅଶ୍ଳୀଳ, ହିଂସ୍ର, ତଥା ଆତଙ୍କ ଉଦ୍ରେକକାରୀ ପୋଷ୍ଟ ଗୁଡ଼ିକ ସାଧାରଣ ଜନତା କିମ୍ୱା ସରକାରଙ୍କ ଦ୍ୱାରା ଅନୁରୋଧ ଦରଜ ପରେ ତୁରନ୍ତ ଅପସାରଣ ଦିଗରେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦିଆଯାଇଛି ।

କମିଟି ପକ୍ଷରୁବିଶେଷ କରି ଅସଦାଚରଣ, ବଳାତ୍କାର ଭଳି ମହିଳା ବିରୋଧୀ ପୋଷ୍ଟଗୁଡ଼ିକ କିପରି ତୁରନ୍ତ ପ୍ରସାର ରୋକାଯାଇ ପାରିବ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଇଣ୍ଟରନେଟ ମଞ୍ଚଗୁଡ଼ିକରେ ଶିଶୁ ଓ କିଶୋରମାନଙ୍କ ସୁରକ୍ଷାଲାଗି ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକରେ ଏକାଉଣ୍ଟ ଖୋଲିବା ନିମନ୍ତେ ସର୍ବନିମ୍ନ ବୟସସୀମା ୧୩ ବର୍ଷରୁ ଅନ୍ତତଃ ପକ୍ଷେ ୧୫ ବର୍ଷକୁ ବୃଦ୍ଧି କରାଯିବା ନିମନ୍ତେ ବିଶେଷଜ୍ଞମାନେ ମତ ପ୍ରକାଶ କରିଥାନ୍ତି । ଏଥିସହ ସେମାନେ ଏକାଉଣ୍ଟ ଖୋଲିବା ସମୟରେ ଅଭିଭାବକମାନଙ୍କ ସମ୍ମତ୍ତିର ପ୍ରାବଧାନ ରଖିବା ନିମନ୍ତେ ଇଣ୍ଟରନେଟ ସୁରକ୍ଷା ସଂସ୍ଥା ‘ଲୋକାଲସର୍କଲସ’ ପକ୍ଷରୁ ଯୁକ୍ତି ବଢ଼ାଯାଇଥାଏ ।

‘ଫେସବୁକ’ ପକ୍ଷରୁ କୁହାଯାଉଛି ଯେ ସୋସିଆଲ ମିଡ଼ିଆ ମଞ୍ଚରେ ଶିଶୁ, କିଶୋର ଓ ମହିଳାଙ୍କ ସୁରକ୍ଷା ଲାଗି ଅନୁଚିତ ପାଠ୍ୟ, ଚିତ୍ର ଓ ଭିଡ଼ିଓ ପ୍ରସାରଣ ରୋକିବା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲଇଣ୍ଟଲିଜେନ୍ସ’ ଓ ନିୟାମକ କର୍ମଚାରୀ ‘ମଡ଼ରେଟର’ମାନଙ୍କୁ ନିଯୁକ୍ତ କରାଯାଉଛି । ପ୍ରାଥମିକସ୍ତରରେ ଯାନ୍ତ୍ରିକ ଜ୍ଞାନରେ ଅଭିଯୁକ୍ତ ପୋଷ୍ଟଗୁଡ଼ିକସ୍ୱୟଂକ୍ରିୟଭାବେ‘ଆଟୋମେଟିକ’ତନଖି କରିବା ପରେ ପରବର୍ତ୍ତୀସ୍ତରରେନିୟାମକମାନେ ସମୀକ୍ଷା କରିଥାନ୍ତି । ଅନ୍ୟତମ ସୋସିଆଲ ମିଡ଼ିଆ ମଞ୍ଚ ‘ଟିକଟକ’ ପକ୍ଷରୁ ୨୦୧୯ରେ ପୂର୍ବବର୍ଷ ତୁଳନାରେ ୪୦୦ ପ୍ରତିଶତ ଅଧିକ ନିୟାମକ ନିଯୁକ୍ତି ଦିଆଯାଇଥିବା ପ୍ରକାଶ ପାଇଛି । ସରକାରୀସ୍ତରରେ ଇଣ୍ଟରନେଟ ମଞ୍ଚରେ ଶିଶୁ, କିଶୋର ଓ ମହିଳାମାନଙ୍କ ସୁରକ୍ଷା ଲାଗି ଚାପ ବଢୁଥିବା ତଥା ନୂତନ ଆଇନ ପ୍ରଣୟନ ଚୁଡ଼ାନ୍ତ ହୋଇସାରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକ ପକ୍ଷରୁ ତତ୍ପରତା ସ୍ୱାଭାବିକ । ତେବେ ଭାରତର ବିବିଧତାପୂର୍ଣ୍ଣ ଆଭ୍ୟନ୍ତରୀଣ ଭୌଗଳିକ ପରିବେଶରେ ଅନଲାଇନଉପସ୍ଥିତି କିପରି ସୁରକ୍ଷିତ ହୋଇପାରିବ ତାହା ଏକ ବଡ଼ ପ୍ରଶ୍ନ । 

Related Post