ଭାରତରେ ପ୍ରଥମ ଘରୋଇ ଟେଲିଭିଜନ ପ୍ରସାରକ ‘ଜୀ’ ମହାମାରୀ-ପର ଗଣମାଧ୍ୟମ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେବା ହେତୁ ଅନ୍ୟତମ ପ୍ରସାରକ ‘ସୋନୀ’ ସହ ମିଶ୍ରଣ ନିମନ୍ତେ ୨୨ ସେପ୍ଟେମ୍ୱର ୨୦୨୧ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଘଟଣାର ପୂର୍ବରୁ ଓ ପରେ ମାସକ ମଧ୍ୟରେ ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜର୍ସ ଲିମିଟେଡ଼’ର ପରିଚାଳନାକୁ କେନ୍ଦ୍ରକରି ବିବଦମାନ ପରିବେଶ ସୃଷ୍ଟି ହୋଇଥିଲା ।
୧୯୯୨ରୁ ଗଠିତ ‘ଜୀ’ର ପ୍ରତିଷ୍ଠାତା ଗଣମାଧ୍ୟମ ଉଦ୍ୟୋଗୀ ସୁଭାଷ ଚ଼ନ୍ଦ୍ରା ମହାମାରୀ-ପୂର୍ବାବସ୍ଥାରେ ବ୍ୟାବସାୟିକ ସଂକଟର ସମ୍ମୁଖୀନ ହେବା ଫଳରେ ୨୦୧୯ରେ ୧୩ ହଜାର କୋଟି ଟଙ୍କା ଋଣ ପରିଶୋଧ କରିବା ନିମନ୍ତେ ‘ଜୀ’ରେ ନିଜ ଅଂଶଧନ ବିକ୍ରୀ କରି ଓହରି ଯାଇଥିଲେ । କମ୍ପାନୀରେ ତାଙ୍କରି ଅଂଶଧନ ଚ଼ାରି ପ୍ରତିଶତକୁ ଖସି ଆସିଥିବା ସ୍ଥଳେ ମାର୍କିନ ନିବେଶକ ଇନଭେସ୍କୋ ଓ ଏହାର ସମର୍ଥକ ଓଏଫଆଇ ଗ୍ଳୋବାଲ ଚୀନ ଫଣ୍ଡ ୧୮ ପ୍ରତିଶତ ଅଂଶଧନ ଅଧିକାରୀ ହେଲେ । ‘ଜୀ’ ଓ ‘ସୋନୀ’ର ମିଶ୍ରଣକୁ ସେମାନେ ବିରୋଧ କରିବା ଫଳରେ ମାମଲା କମ୍ପାନୀ ନିୟାମକ ଓ ନ୍ୟାୟାଳୟ ସମୀକ୍ଷାକୁ ଯାଇଥିଲା ।
ଏହି ବିବାଦ ଉପୁଜିବା କେତେଗୋଟି କାରଣ ଉଲ୍ଲେଖନୀୟ । ପ୍ରଥମତଃ, ‘ଜୀ ବ୍ୟାବସାୟିକସ୍ତରରେ ନୈରାଶ୍ୟଜନକ ପରିସ୍ଥିତି ସାମ୍ନା କରିନଥିଲା । କିନ୍ତୁ ଏହାର ପ୍ରତିଷ୍ଠାତା ନିବେଶକ ସୁଭାଷ ଚନ୍ଦ୍ରାଙ୍କ ଅନ୍ୟାନ୍ୟ ବ୍ୟବସାୟରେ କ୍ଷତି ହେତୁ ‘ଜୀ’ର ଅଂଶଧନ ବନ୍ଧକ ରଖି ସଂଗ୍ରହ କରିଥିବା ଋଣ ଭାରରୁ ମୁକ୍ତି ପାଇବା ନିମନ୍ତେ ନିଜ ଅଂଶଧନ ବିକ୍ରୀ କରିବାକୁ ବାଧ୍ୟ ହୋଇଥିଲେ । ସୁଭାଷ ଚ଼ନ୍ଦ୍ରାଙ୍କ ‘ଏସେଲ ଗୃପ’ କୋଠାବାଡ଼ି ନିର୍ମାଣ, ଶିକ୍ଷା, ଅର୍ଥ ଓ କୃଇଜ ଲାଇନସ ଭଳି ବହୁମୁଖୀ ବ୍ୟବସାୟରେ ନିବେଶ କରିଥିଲା । କୁହାଯାଏ ଯେ ‘ଜୀ’ରେ ତାଙ୍କରି ଅଂଶଧନ ୪୦ ପ୍ରତିଶତରୁ ପାଞ୍ଚ ପ୍ରତିଶତରୁ କମ ସ୍ତରକୁ ଆସିଯାଇଥିଲା ।
ଦ୍ୱିତୀୟତଃ, ବ୍ୟାବସାୟିକ କ୍ଷତି ସମ୍ମୁଖୀନ ହୋଇ ପ୍ରତିଷ୍ଠାତା ସୁଭାଷ ଚ଼ନ୍ଦ୍ରା ଓହରି ଯାଇଥିଲେ ସୁଦ୍ଧା ତାଙ୍କରି ପୁତ୍ର ପୁନିତ ଗୋଏଙ୍କା ‘ଜୀ’ର ମୁଖ୍ୟ ପରିଚାଳକ ‘ସିଇଓ’ ଭାବେ ଅଧିଷ୍ଠିତ ରହି ଆସିଥିଲେ । ‘ଜୀ’ର ‘ସୋନୀ’ ସହ ମିଶ୍ରଣ ପରେ ମଧ୍ୟ ପ୍ରସ୍ତାବିତ ରାଜିନାମା ଅନୁଯାୟୀ ପୁନିତ ହିଁ ନୂତନ କମ୍ପାନୀର ମୁଖ୍ୟ ପରିଚାଳକ ପଦବୀରେ ରହିବା ସ୍ଥିରୀକୃତ ହୋଇଥିଲା ।
ତୃତୀୟତଃ, ଇନଭେସ୍କୋ ଓ ଚୀନ ଫଣ୍ଡ ମିଳିତ ଭାବେ ‘ଜୀ’ର ସର୍ବାଧିକ ଅଂଶଧନ ନିବେଶକଭାବେ କମ୍ପାନୀର ସୁପରିଚାଳନା ନିମନ୍ତେ ତିନିଜଣ ପରିଚାଳନା ପରିଷଦ ନିର୍ଦ୍ଦେଶକଙ୍କୁ ହଟାଇ ନୂତନ ଭାବେ ନିଜ ସମର୍ଥିତ ଛଅ ଜଣଙ୍କୁ ନିଯୁକ୍ତ କରିବା ଲାଗି ୧୧ ସେପ୍ଟେମ୍ୱର ୨୦୨୧ରେ ପତ୍ର ଲେଖିଥିଲେ । ଇନଭେସ୍କୋ ହଟାଇବାକୁ ଚାହୁଁଥିବା ତିନିଜଣଙ୍କ ମଧ୍ୟରେ ପୁନିତ ଗୋଏଙ୍କା ସାମିଲ ଥିଲେ । ଅର୍ଥାତ, ମାତ୍ର ଚାରି ପ୍ରତିଶତ ଅଂଶଧନ ଅଧିକାରୀ କମ୍ପାନୀର ପ୍ରତିଷ୍ଠାତା ପରିବାର ଓ ସମର୍ଥକଙ୍କୁ ପରିଚାଳନା ପରିଷଦରୁ ସଂପୂର୍ଣ୍ଣ ବାଦ ଦେବା ନିମନ୍ତେ ଦାବୀ ଜୋର ଧରିଥିଲା ।
ଇନଭେସ୍କୋର ପତ୍ର ପାଇବା ପରେ ୧୩ ସେପ୍ଟେମ୍ୱର ୨୦୨୧ରେ ପୁନିତ ଗୋଏଙ୍କାଙ୍କୁ ଛାଡ଼ି ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକ ଇସ୍ତଫା ଦେଇଥିଲେ । ସେମାନେ ‘ଜୀ’ ପରିଚାଳନା ସହ ଦୀର୍ଘ ଦିନରୁ ସମ୍ପୃକ୍ତ ଏବଂ ବିଭିନ୍ନ କାରଣ ଦର୍ଶାଯାଇ ସେମାନଙ୍କ ନିଯୁକ୍ତି କମ୍ପାନୀ ଆଇନ ଉଲଂଘନ ଅଭିଯୋଗ କରାଯାଇଥିଲା । ଅପରପକ୍ଷେ ପୁନିତ ଗୋଏଙ୍କା ପୂର୍ବବତ ମୁଖ୍ୟ ପରିଚାଳକ ପଦବୀରେ ରହିଲେ । ଅନ୍ୟାନ୍ୟ ଦୋଷାରୋପ ମଧ୍ୟରେ କମ୍ପାନୀର ବାର୍ଷିକ ସାଧାରଣ ପରିଷଦର ମଞ୍ଜୁରୀ ବିନା ତାଙ୍କରି ଦରମା ୪୬ ପ୍ରତିଶତ ବୃଦ୍ଧି କରାଯାଇଥିବା ଦର୍ଶାଯାଇଥିଲା । ଆର୍ଥିକ ବର୍ଷ ୨୦୨୦-୨୧ରେ ‘ଜୀ’ର କୌଣସି କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇନଥିଲା ।
ଚ଼ତୁର୍ଥତଃ, ଏହି ବିବଦମାନ ପରିବେଶରେ ୨୨ ସେପ୍ଟେମ୍ୱର ୨୦୨୧ରେ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ ‘ଜୀ’ ଓ ‘ସୋନୀ’ ସହ ମିଶ୍ରଣ ଘୋଷିତ ହୋଇଥିଲା । ପ୍ରସ୍ତାବିତ ମିଶ୍ରଣ ରାଜିନାମାରେ ‘ଜୀ’ ନୂଆ ବ୍ୟବସାୟରେ ୪୭ ପ୍ରତିଶତ ଏବଂ ‘ସୋନୀ’ ୫୩ ପ୍ରତିଶତ ଅଂଶଧନ ଅଧିକାର କରିବା ପ୍ରାବଧାନ ରହିଥିଲା ।
ନୂତନ କମ୍ପାନୀ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ନହେବା ସର୍ତ୍ତରେ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କ ପରିବାରକୁ ‘ସୋନୀ’ ପକ୍ଷରୁ ଦୁଇ ପ୍ରତିଶତ ଅଂଶଧନ ପ୍ରତ୍ୟାର୍ପଣ କରାଯିବା ସର୍ତ୍ତ ରହିଲା । ଫଳରେ ‘ସୋନୀ’ ୫୧ ପ୍ରତିଶତ ଓ ‘ଜୀ’ ୪୯ ପ୍ରତିଶତ ଅଂଶଧନ ଭାଗୀଦାର ହେବେ । ସୁଭାଷ ଚନ୍ଦ୍ରାଙ୍କ ପାରିବାରିକ ଅଂଶଧନ ଭବିଷ୍ୟତରେ ୨୦ ପ୍ରତିଶତରୁ ଉର୍ଦ୍ଧ୍ୱ ସୀମା ଅତିକ୍ରମ କରିବ ନାହିଁ ।
୧୧ ଅକ୍ଟୋବର ୨୦୨୧ରେ ଇନଭେସ୍କୋ ପକ୍ଷରୁ ‘ଜୀ’-‘ସୋନୀ’ ମିଶ୍ରଣ ରାଜିନାମା ସାଧାରଣ ନିବେଶକଙ୍କ ସ୍ୱାର୍ଥରେ ପରିପନ୍ଥୀ ଅଭିଯୋଗ କରାଯାଇ ପତ୍ର ଲେଖାଯାଇଥିଲା । ଇନଭେସ୍କୋ ପକ୍ଷରୁ ୧୧ ସେପ୍ଟେମ୍ୱର ୨୦୨୧ରେ ଜରୁରୀ ସାଧାରଣ ପରିଷଦ ବୈଠକ ଡ଼ାକିବା ଦାବୀକୁ ‘ଜୀ’ ପରିଚାଳନା ପରିଷଦ ଅକ୍ଟୋବର ପହିଲା ୨୦୨୧ରେ ଆଗ୍ରହ୍ୟ କରିଦେଇଥିଲେ । ଫଳରେ ମାମଲା ଜାତୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ ଓ ବମ୍ୱେ ହାଇକୋର୍ଟକୁ ଯାଇଥିଲା ।
ପଞ୍ଚମତଃ, ୧୨ ଓ ୧୩ ଅକ୍ଟୋବର ୨୦୨୧ରେ ଯଥାକ୍ରମେ ‘ଜୀ’ ଓ ‘ଇନଭେସ୍କୋ’ ପକ୍ଷରୁ ‘ଜୀ’ ସହ ‘ରିଲାଏନ୍ସ ଇଣ୍ଡାଷ୍ଟ୍ରୀଜ ଲିମିଟେଡ଼’ ମିଶ୍ରଣ ନିମନ୍ତେ ଆଲୋଚ଼ନା ହୋଇଥିବା ତଥା ‘ଇନଭେସ୍କୋ’ ଏହାର ସୂତ୍ରଧର ସାଜିଥିବା ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟର ବିଷୟ ଏହିଯେ ଏହି ପ୍ରସ୍ତାବ ସଂପର୍କରେ ଉଭୟ ସଂସ୍ଥା ପକ୍ଷରୁ ସର୍ବସାଧାରଣରେ କୌଣସି ସୂଚନା ଦିଆଯାଇନଥିଲା । ଏପରିକି ନିୟାମକ କିମ୍ୱା ଅଦାଲତରେ ଅପିଲରେ ମଧ୍ୟ ଏହି ପ୍ରସ୍ତାବର ଆଭାସ ନଥିଲା ।
ସାଧାରଣ ବିଚାରରେ ‘ଜୀ’ ଅନ୍ୟ ଏକ ପ୍ରତିଯୋଗୀ ଟେଲିଭିଜନ କମ୍ପାନୀ ସହ ମିଶ୍ରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଥିବା ଏବଂ ଏଥିନେଇ ବିବାଦ ଉପୁଜିଥିବା ଅବସରରେ ରିଲାଏନ୍ସ ସହ ଆଲୋଚନା ପ୍ରସଙ୍ଗ ବହୁ ପୂର୍ବରୁ ପ୍ରକାଶ କରାଯିବା ଉଚ଼ିତ ଥିଲା । ସେହିପରି ‘ଇନଭେସ୍କୋ’ ମିଶ୍ରଣରେ ନିବେଶକଙ୍କ ଲାଭକ୍ଷତି ନେଇ ପ୍ରଶ୍ନ ଉଠାଉଥିବା ବେଳେ ପୂର୍ବ ପ୍ରସ୍ତାବ ସଂପର୍କରେ ନୀରବ ରହିବା ସଦାଚାର ବିରୋଧୀ । କୁହାଯାଏ ଯେ କମ୍ପାନୀଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ସଂପର୍କରେ ପ୍ରଘଟ ହେଲେ ସେୟାର ମୂଲ୍ୟ ବଢ଼ିଥାଏ କିମ୍ୱା ଛିଣ୍ଡି ଥାଏ । ତେବେ ନିବେଶକ, ମୁଖତଃ ଛୋଟ ନିବେଶକଙ୍କୁ କମ୍ପାନୀ ପରିଚାଳନା ସଂପର୍କରେ ଅବଗତ ନକରାଇବା ସେମାନଙ୍କ ଅର୍ଥନୀତିକୁ ପ୍ରଭାବିତ କରିବା ସୁନିଶ୍ଚିତ । ‘ଜୀ’ରେ ମୁଉଚାଲ ଫଣ୍ଡ ଓ ଆନୁଷ୍ଠାନିକ ନିବେଶକଙ୍କ ଅଂଶଧନ ପ୍ରାୟ ୭୮ ପ୍ରତିଶତ ହିସାବ କରାଯାଏ ।
ଏହି ବିବାଦ ଘେରରେ ‘ରିଲାଏନସ ଇଣ୍ଡଷ୍ଟ୍ରୀଜ ଲିମିଟେଡ଼’ ମିଶ୍ରଣ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିବା ସ୍ୱଷ୍ଟୀକରଣ ଦେଇଥିଲା । କୌଣସି ବିବାଦ ମଧ୍ୟକୁ ରିଲାଏନ୍ସ ପ୍ରବେଶ କରିବାକୁ ଚାହେଁ ନାହିଁ ବୋଲି କହିଥିଲା । କିନ୍ତୁ ରିଲାଏନ୍ସର ନାମ ନନେଇ ମିଶ୍ରଣ ପ୍ରକ୍ରିୟାରେ ଏହା ଭୂମିକାକୁ ସମାଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ରିଲାଏନ୍ସ ଟେଲିଭିଜନ କମ୍ପାନୀ ‘ନେଟୱାର୍କ ୧୮’ ଓ ‘ଟିଭି ୧୮’ର ମାଲିକ ।
‘ଜୀ’ର କର୍ପୋରେଟ ସମସ୍ୟା ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ପ୍ରାରମ୍ଭରେ ଭାରତୀୟ ଗଣମାଧ୍ୟମ ପରିବେଶର ଏକ ସୂଚ଼କାଙ୍କଭାବେ ଗ୍ରହଣ କରାଯାଇପାରେ । ଏନ. ରାମ ଓ ଶେଖର ଗୁପ୍ତାଙ୍କ ଭଳି ଅଭିଜ୍ଞ ଗଣମାଧ୍ୟମ ବିଶ୍ଳେଷକମାନେ କହିଛନ୍ତି ଯେ ଦ୍ୱିତୀୟ ଦଶକ ଶେଷ ବେଳକୁ ସ୍ଥାନୀୟ ଗଣମାଧ୍ୟମ ଶିଳ୍ପ ଏକରକମ ଭୁଷୁଡ଼ିବା ଅବସ୍ଥାକୁ ଆସିଯାଇଥିଲା । ଶିଳ୍ପପତିମାନେ ଏହାକୁ କଳେ-ବଳେ-କୌଶଳେ ତାଳି ପକାଇ ବଞ୍ଚାଇବାକୁ ଅହରହ ସଂଗ୍ରାମ କରୁଥିବା ସ୍ଥଳେ ମହାମାରୀଜନିତ ପରିବେଶ ପରିସ୍ଥିତିକୁ ଗଭୀର ପ୍ରଭାବିତ କରିଥିଲା । ପ୍ରଶ୍ନ ଉଠେ ଗଣମାଧ୍ୟମ ଶିଳ୍ପ ପରିଚାଳନାରେ ସ୍ୱଚ୍ଛତା ଅବଲମ୍ୱନ ନକରାଗଲେ ନିବେଶକମାନେ ତ ଅର୍ଥନୀତିକ କ୍ଷତି ସହିବେ, ତେବେ ବଡ଼ ବଡ଼ ପ୍ରତିଷ୍ଠାନ ଉପରେ ଭରସା ରଖି ଥିବା ଅଗଣିତ ସାମ୍ୱାଦିକ ଓ ସମ୍ୱାଦ କର୍ମୀ ଅନିଶ୍ଚିତ ଭବିଷ୍ୟତର ଶୀକାର ହେବେ ନାହିଁ କି ?
