ଆଜିର ଖାସ ଖବର
Tue. Jul 28th, 2026

ଇଣ୍ଟରନେଟର ଆଧିପତ୍ୟ

By Dainikasha Jul11,2024

ଭାରତରେ ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଆରମ୍ଭ ସୁଦ୍ଧା ଜନଜୀବନରେ ଇଣ୍ଟରନେଟର ଆଧିପତ୍ୟକୁ କେତେକ ସମୀକ୍ଷକ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ସଂଘଠିତ ରାସାୟନିକ ବିପ୍ଳବ ‘କେମିକାଲ ରେଭୁଲେସନ’ ସହ ତୁଳନା କରିଥାନ୍ତି । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ରାସାୟନିକ ବୈଷୟିକ କୌଶଳ ପ୍ରୟୋଗରେ କୃଷିଠାରୁ ଆରମ୍ଭକରି ବସ୍ତ୍ର, ଆସବାବପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ପ୍ରସ୍ତୁତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା ।

ଉଦାହରଣରେ ପାରମ୍ପରିକ କପା ବଦଳରେ ନାଇଲନ ଓ ପଲିଷ୍ଟାର ବ୍ୟବହାର ଫଳରେ ଯାନ୍ତ୍ରିକ ବୟନ ଶିଳ୍ପରେ ନେତୃତ୍ୱ ନେଇଥିବା ମୁମ୍ୱାଇର ଟେକ୍ସଟାଇଲ ମିଲଗୁଡ଼ିକ ବନ୍ଦ ହୋଇଗଲା । ଏତଦ୍ୱାରା ଉଭୟ କପା ଚାଷୀ ଏବଂ ବୟନ ଶିଳ୍ପରେ ନିୟୋଜିତ ଶ୍ରମିକଗଣ ବୃତ୍ତି ଓ ଆୟ ହରାଇଥିଲେ । ତତ୍କାଳୀନ ଗଣମାଧ୍ୟମରେ ପ୍ରଭୁତ୍ୱ ବିସ୍ତାର କରିଥିବା ମୁଦ୍ରିତ ସମ୍ୱାଦପତ୍ର ଓ ପତ୍ରପତ୍ରିକା ନିମନ୍ତେ ବୟନ ଶିଳ୍ପ ଏକ ପ୍ରମୁଖ ବିଜ୍ଞାପକ ଥିବା ସ୍ଥଳେ ବୟନଶିଳ୍ପରେ ବିଘଟନ ହେତୁ ବିଜ୍ଞାପନ ବ୍ୟୟ କମିଯିବା ଫଳରେ ଗଣମାଧ୍ୟମ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା ।

ରାସାୟନିକ ବିପ୍ଳବରେ କୃଷିକାର୍ଯ୍ୟରେ ବ୍ୟାପକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କୃଷି ଉତ୍ପାଦନ ବଢ଼ାଇ କ୍ଷୁଧା ମୁକ୍ତିରେ ପ୍ରମୁଖ ଭୂମିକା ବହନ କରିଥିଲା । ପ୍ଳାଷ୍ଟିକ ବ୍ୟବହାର କାଠ, କାଚ଼ ଓ ବିଭିନ୍ନ ଧାତୁର ଚାହିଦାକୁ କମାଇଥିବା ସ୍ଥଳେ ସାମଗ୍ରୀଗୁଡ଼ିକର ଉତ୍ପାଦନ ଓ ବିକ୍ରୀଦର ମଧ୍ୟ ଆଶାତୀତ ହ୍ରାସ ଘଟିଥିଲା । ଫଳରେ ବହୁ ସାମଗ୍ରୀ ସାଧାରଣ ଲୋକଙ୍କ କ୍ରୟଶକ୍ତି ମଧ୍ୟରେ ଆସିବା ଫଳରେ ବିକ୍ରୀ ଓ ବ୍ୟବହାର ବୃଦ୍ଧି ପାଇଥିଲା ।

ପ୍ରମୁଖ ଇଣ୍ଟରନେଟ ଉଦ୍ୟୋଗୀ ଅଜିତ ବାଳକ୍ରିଷ୍ଣନ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ଏକ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ରାସାୟନିକ ବିପ୍ଳବ ପ୍ରଭାବରେ ମୁମ୍ୱାଇର ଟେକ୍ସଟାଇଲ ଶିଳ୍ପ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପଚାଶ ବର୍ଷପରେ ଇଣ୍ଟରନେଟର ପ୍ରସାର ଫଳରେ ପାରମ୍ପରିକ ଗଣମାଧ୍ୟମ ଶିଳ୍ପ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଜନସାଧାରଣ କପା ବସ୍ତ୍ର ବଦଳରେ ନାଇଲନ, ପଲିଷ୍ଟାର ବସ୍ତ୍ର ପ୍ରତି ଆକର୍ଶିତ ହେବା ଏବଂ ନୂତନ ଉତ୍ପାଦ ବ୍ୟବହାରଯୋଗ୍ୟ, ଶସ୍ତା ଓ ସୁଲଭ ହୋଇଥିବା ହେତୁ ବସ୍ତ୍ର ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ସୂତ୍ରପାତ ହୋଇଥିଲା । ଗଣମାଧ୍ୟମରେ ଡ଼ିଜିଟାଲ ମଞ୍ଚର ବିକାଶ ପାରମ୍ପରିକ ମଞ୍ଚଗୁଡ଼ିକ କ୍ଷେତ୍ରରେ ତଦ୍ ଅନୁରୂପ ପରିସ୍ଥିତି ସୃଷ୍ଟି କରିଛି ।

ଖ୍ୟାତନାମା ବ୍ୟବସାୟ ପରିଚାଳନା ଗବେଷଣା ସଂସ୍ଥା ‘ମ୍ୟାକ-କିନସେ’ର ଅନୁଶୀଳନ ଉଦ୍ଧାର କରି ବାଳକ୍ରିଷ୍ଣନ ଦର୍ଶାଇଛନ୍ତି ଯେ ଗଣମାଧ୍ୟମ ପରିଧିରେ ଇଣ୍ଟରନେଟର ଅଧିପତ୍ୟ ତିନିଗୋଟି ମୁଖ୍ୟ ପ୍ରବାହର ସୂତ୍ରଧର ସାଜିଛି । ପ୍ରଥମତଃ, ଡିଜିଟାଲାଇଜେସନ ଯୋଗୁଁ ସମ୍ୱାଦପତ୍ର ଓ ପତ୍ରପତ୍ରିକାରେ କାଗଜ ତଥା ଚଳଚ଼ିତ୍ରରେ ଫିଲ୍ମର ବ୍ୟବହାର କମି ଚାଲିଛି । ନିକଟ ଭବିଷ୍ୟତରେ ଏହି ପ୍ରବାହ ପାରମ୍ପରିକ ଗଣମାଧ୍ୟମଗୁଡ଼ିକର ‘ଡିଜିଟାଲ-ଫାଷ୍ଟ’ ନୀତି ଯୋଗୁଁ ବଢ଼ିବ ।

ଦ୍ୱିତୀୟତଃ, ସମ୍ୱାଦପତ୍ରର ବର୍ଗୀକୃତ ବିଜ୍ଞାପନ ‘କ୍ଳାସିଫାଇଡ଼ ଏଡ଼ଭାଟାଇଜମେଣ୍ଟ’ ନିୟମିତ ଆୟର ଉତ୍ସଥିବା ସ୍ଥଳେ ସେଗୁଡ଼ିକ ଡିଜିଟାଲ ମଞ୍ଚକୁ ଅପସାରିତ ହୋଇ ବିବାହ, ନିଯୁକ୍ତି ଇତ୍ୟାଦି କ୍ଷେତ୍ରରେ ସମ୍ୱାଦ ଆଦାନପ୍ରଦାନର ସ୍ୱତନ୍ତ୍ର ବ୍ୟବସାୟରେ ପରିଣତ ହୋଇଛି । ନିକଟ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତା ‘ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ’ ଭଳି ବୈଷୟିକ କୌଶଳ ଉପଯୋଗରେ ସେହି ମଞ୍ଚଗୁଡ଼ିକ ଅଧିକ ବ୍ୟବହାରଯୋଗ୍ୟ ପ୍ରମାଣିତ ହେବ ।

ତୃତୀୟତଃ, ସମ୍ୱାଦପତ୍ର ଓ ଟେଲିଭିଜନ ସେବା ବିତରଣ ଏକାଧିକ ମଧ୍ୟସ୍ଥିଙ୍କ ଦ୍ୱାରା ସମାହିତ ହେଉଥିବା ଏବଂ ଏଥି ନିମନ୍ତେ ଅର୍ଥବ୍ୟୟ ହେଉଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ଉତ୍ସରୁ ଉପଭୋକ୍ତାଙ୍କ ଯାଏଁ ସିଧାସଳଖ ପ୍ରସାରଣର ସୁବିଧା ଉପଲବ୍ଧ । ଏହି ସୁଯୋଗ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ଉତ୍ପାଦନ ଓ ବିତରଣ ବାବଦରେ ଖର୍ଚ୍ଚ କମାଇ ସୃଜନ ‘କଣ୍ଟେଣ୍ଟ’ କ୍ଷେତ୍ରରେ ଅଧିକ ବିନିଯୋଗ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ କରିବ । ଫଳରେ ଗଣମାଧ୍ୟମ ଉତ୍ପାଦଗୁଡ଼ିକର ଗୁଣାତ୍ମକ ବିକାଶ ସମ୍ଭବ ଆଶା କରାଯାଇପାରେ ।

ଅନ୍ୟତମ ଖ୍ୟାତନାମା ଲେଖକ ଓ ନିବେଶକ ରୁଚିର ଶର୍ମ୍ମା  ଏପ୍ରିଲ ୨୦୨୧ରେ ପ୍ରକାଶିତ ଏକ ପ୍ରବନ୍ଧରେ ସୂଚାଇଛନ୍ତି ଯେ ଅତ୍ୟନ୍ତ ଉନ୍ନତ କମ୍ପ୍ୟୁଟିଂ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟରସ୍ତରୀୟ ମୋବାଇଲ ଫୋନ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭ ସୁଦ୍ଧା ବିଶ୍ୱବ୍ୟାପୀ ଅର୍ଦ୍ଧେକ ଜନସଂଖ୍ୟା ପ୍ରାୟ ଚାରି ଶହ କୋଟି ଉପଭୋକ୍ତାଙ୍କ ହାତପାଆନ୍ତାରେ ପହଞ୍ଚି ପାରିଛି । ଏହି ପରିବେଶ ବିକଶିତ ତୁଳନାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଜନଜୀବନରେ ଅଧିକ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳୁଛି । ଯେଉଁ ଅନୁନ୍ନତ ଅଞ୍ଚଳଗୁଡ଼ିକରେ ବିଦ୍ୟାଳୟ, ହସପିଟାଲ ଓ ବ୍ୟାଙ୍କ ନାହିଁ ସେଠାରେ ମୋବାଇଲ ଫୋନ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାରର ତତ୍ କ୍ଷଣାତ ସୁଯୋଗ ସୃଷ୍ଟି କରିପାରୁଛି । ଫଳରେ ଜନସାଧାରଣ ଇଣ୍ଟରନେଟ ସେବା ପ୍ରତି ଆକର୍ଷିତ ହେବା ସ୍ୱାଭାବିକ ।

ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଗଣତିରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶିତ ହୋଇଥାଏ । ଭାରତ ସରକାରଙ୍କ ଇଲକ୍ଟ୍ରୋନିକ୍ସ ଓ ଇନଫରମେସନ ଟେକନୋଲଜି ମନ୍ତ୍ରଣାଳୟ ସୂତ୍ରରୁ ମାର୍ଚ୍ଚ ୨୦୨୧ରେ ସଂଗୃହୀତ ତଥ୍ୟ ଅନୁଯାୟୀ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୫୬ କୋଟି ହିସାବ କରାଯାଉଥିବା ସ୍ଥଳେ ବେସରକାରୀ ଇଣ୍ଟରନେଟ ଗବେଷଣା ସଂସ୍ଥା ‘କାମସ୍କୋର’ର ଡ଼ିସେମ୍ୱର ୨୦୨୦ ତଥ୍ୟ ୬୬ କୋଟି ୨୦ ଲକ୍ଷ ସୂଚ଼ିତ କରିଥାଏ । ବ୍ୟାପକ ସ୍ମାର୍ଟଫୋନ ବ୍ୟବହାର ଓ ଇଣ୍ଟରନେଟ ସଂଯୁକ୍ତି ଦେଶରେ ଅନଲାଇନ ଗଣମାଧ୍ୟମ ମଞ୍ଚଗୁଡ଼ିକ ନିମନ୍ତେ ଉର୍ବର ପରିବେଶ ସୃଷ୍ଟି କରିଛି । ‘କାମସ୍କୋର’ ହିସାବରେ ଡିଜିଟାଲ ମଞ୍ଚରେ ଡ଼ିସେମ୍ୱର ୨୦୨୦ ସୁଦ୍ଧା ଦେଶରେ ୪୫ କୋଟି ୪୦ ଲକ୍ଷ ଉପଭୋକ୍ତା ସମ୍ୱାଦ ଆହରଣ କରିଥାନ୍ତି ଏବଂ ଅକ୍ଟୋବର ୨୦୨୦ ସୁଦ୍ଧା ୩୯ କୋଟି ୨୦ ଲକ୍ଷ ଉପଭୋକ୍ତା ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତି । ଏହି ତଥ୍ୟାବଳୀରୁ ସମ୍ୱାଦ ମଞ୍ଚରେ ବ୍ୟାପକ ପରିବର୍ତ୍ତନର ଆଭାସ ମିଳିଥାଏ ।

ଇଣ୍ଟରନେଟ ବିସ୍ତୃତି ସୋସିଆଲ ମିଡ଼ିଆ ବ୍ୟବହାରରେ ପର୍ଯ୍ୟବସିତ । ଭାରତରେ ‘ହ୍ୱାଟସଆପ’ରେ ୫୩ କୋଟି, ‘ୟୁଟ୍ୟୁବ’ରେ ୪୪ କୋଟି ୮୦ ଲକ୍ଷ, ‘ଫେସବୁକ’ରେ ୪୧ କୋଟି, ‘ଇନଷ୍ଟାଗ୍ରାମ’ରେ ୨୧ କୋଟି ଓ ‘ଟୁଇଟର’ରେ ଏକ କୋଟି ୫୦ ଲକ୍ଷ ଉପଭୋକ୍ତା ସାମିଲ ହୋଇଥିବା ସରକାରୀ ସୂତ୍ରରୁ ସୂଚ଼ିତ । ଏହି ସବୁ ଆପ୍ଲିକେସନଗୁଡ଼ିକ ମୁଖ୍ୟତଃ ମୋବାଇଲ ଫୋନରେ ବ୍ୟବହୃତ ଏବଂ ସମ୍ୱାଦ ସରବରାହ ନିମନ୍ତେ ଉଦ୍ଦିଷ୍ଟ ।

ପାରମ୍ପରିକଭାବେ ଆନ୍ତର୍ଜାତିକ, ଜାତୀୟ ଓ ରାଜ୍ୟସ୍ତରୀୟରୁ ସମ୍ୱାଦପତ୍ର ଓ ଟେଲିଭିଜନ ଆଞ୍ଚଳିକ ବା ଜିଲ୍ଲାସ୍ତରକୁ ସମ୍ୱାଦ ପରିବେଷଣଲାଗି ଓହ୍ଲାଇଥିବା ବେଳେ ସୋସିଆଲ ମିଡ଼ିଆ ନିଜ ପରିବାରବର୍ଗ, ବନ୍ଧୁ ପରିଜନ, ପୂର୍ବ-ପରିଚିତ ତଥା ନିଜେ ବିଶ୍ୱାସ କରୁଥିବା ରାଜନୀତିକ, ସାମାଜିକ ଓ ଧାର୍ମିକ ମତାବଲମ୍ୱୀମାନଙ୍କ ଖବର-ଅନ୍ତର ଏବଂ ପରସ୍ପର ବାର୍ତ୍ତା-ବିନିମୟ ନିମନ୍ତେ ସୁଯୋଗ ଆଣିଦେଇଛି । ଫଳତଃ ସାଧାରଣ ଉପଭୋକ୍ତା କ୍ରମଶଃ ନିଜ ବ୍ୟକ୍ତିଗତ ପରିଧିରେ ସମ୍ୱାଦ ସରବରାହ ପ୍ରତି ଅଧିକ ଧ୍ୟାନ ଦେଇ ପାରମ୍ପରିକ ଗଣମାଧ୍ୟମ ମଞ୍ଚରୁ କେବଳ ପ୍ରଭାବଶାଳୀ ସମ୍ୱାଦପ୍ରତି ଆଗ୍ରହ ପ୍ରକାଶ କରୁଛି । ଏହି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ସମ୍ୱାଦ ପ୍ରଯୋଜନାର ଆଭିମୁଖ୍ୟ ବଦଳାଇବା ଅପରିହାର୍ଯ୍ୟ ହୋଇପଡ଼ିଛି ।

ସାଧାରଣ ଜନଜୀବନରେ ଇଣ୍ଟରନେଟର ଅଧିପତ୍ୟ ଗଣମାଧ୍ୟମରେ ପ୍ରଥମେ ଅନୁଭୂତ ହୋଇଥିଲା । ଦୁଇରୁ ତିନ ଦଶନ୍ଧି ମଧ୍ୟରେ ତାହା ଶକ୍ତିଶାଳୀ ହେବାରେ ଲାଗିଛି । ସମ୍ୱାଦ କର୍ମ୍ମୀଗଣ ଡ଼ିଜିଟାଲ ମଞ୍ଚ ସହ ପରିଚିତ ଥିବା ସ୍ଥଳେ ନୂତନ ପରିବେଶରେ କିପରି ଦକ୍ଷତା ପ୍ରଦର୍ଶନ କରିପାରିବେ ତାହା ସମୟର ଆହ୍ୱାନ ।   

Related Post