ଆଜିର ଖାସ ଖବର
Sat. May 30th, 2026

ଓଡ଼ିଶାରେ ରହିଛି କି ଷୋଡ଼ଶ ମହାଜନପଦର ସମସାମୟିକ ନଗର ସଭ୍ୟତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ସ୍ନାତକୋତ୍ତର ବିଭାଗ ପକ୍ଷରୁ ‘ପ୍ରାଚୀନ ଓଡ଼ିଶାର ସହରୀକରଣର ପୃଷ୍ଠଭୂମି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ପୁନାସ୍ଥିତ ଡେକାନ କଲେଜ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରବୀନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ପ୍ରାଚୀନ ଓଡ଼ିଶାର ସହରୀକରଣର ପୃଷ୍ଠଭୂମି’ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ଷୋଡ଼ଶ ମହାଜନପଦର ସମସାମୟିକ ନଗର ସଭ୍ୟତା ଓଡ଼ିଶାରେ ଥାଇପାରେ ବୋଲି କହିବା ସହିତ ତାମ୍ର ପ୍ରସ୍ତର ଯୁଗଠାରୁ ଆରମ୍ଭ କରି ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ସମେତ ବିଭିନ୍ନ ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଦୃଶ୍ୟପଟ୍ଟ ଉପରେ ଆଲୋଚନା କରିଥିଲେ। ଯେଉଁଭଳି ଭାବରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ ଭାରତର ବିଭିନ୍ନ ପ୍ରାନ୍ତରେ ବିଶେଷ କରି ଉତ୍ତର ଭାରତରେ ଷୋଡ଼ଶ ମହାଜନପଦର ଅଭ୍ୟୁଦୟ ଘଟିଥିଲା, ଯଦିଓ ଓଡ଼ିଶା ପରିପ୍ରେକ୍ଷୀରେ ତାହାର ଲିଖିତ ପ୍ରମାଣ ନ ଥିଲା, କିନ୍ତୁ ପ୍ରତ୍ନତାତ୍ତ୍ୱିକ ଅବଶେଷ ସମୂହରୁ ଅନୁମାନ କରାଯାଇପାରେ ଯେ ସମସାମୟିକ ନଗର ସଭ୍ୟତା ମଧ୍ୟ ଓଡ଼ିଶାରେ ଥାଇପାରେ। ବ୍ରହ୍ମପୁରସ୍ଥିତ ଲାଠୀ, ଗଞ୍ଜାମର ଜଉଗଡ଼଼, ନିରାକାରପୁର ନିକଟସ୍ଥ ତାଳପଡ଼ା, ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼଼, ଯାଜପୁରସ୍ଥିତ ରାଧାନଗର, ବାଲେଶ୍ୱର ସହର ଉପକଣ୍ଠସ୍ଥିତ କଇଁଫୁଲିଆ, ରେମୁଣାସ୍ଥିତ ଦୁର୍ଗାଦେବୀ ଇତ୍ୟାଦି ପ୍ରତିରକ୍ଷା ପ୍ରଣାଳୀ ଭଳି ଅବଶେଷ ଅନ୍ୟ କୌଣସି ପ୍ରାନ୍ତରେ ଦେଖିବାକୁ ମିଳେ ନାହିଁ, ଯେଉଁଠି ପ୍ରାଚୀନ ଓଡ଼ିଶାର ସହରୀକରଣର ପୃଷ୍ଠଭୂମିର ଅଭ୍ୟୁଦୟ ଘଟିଥିବା ଅନୁମାନ କରାଯାଇଥିଲା। ପ୍ରାଚୀନ ଓଡ଼ିଶାର ଏହି ସହରୀ ସଭ୍ୟତାର ଅଭ୍ୟୁଦୟ ହଠାତ ଘଟି ନଥିଲା। ଏହାର ଭିତ୍ତିଭୂମି ପଛରେ ଦକ୍ଷିଣରେ ବାହୁଦା ନଦୀଠାରୁ ଆରମ୍ଭ କରି ଉତ୍ତରରେ ବୁଢ଼ାବଳଙ୍ଗ ନଦୀ ପର୍ଯ୍ୟନ୍ତ ଏକ ଶହରୁ ଊର୍ଦ୍ଧ୍ବ୍ୱର୍ ତାମ୍ର ପ୍ରସ୍ତରଯୁଗର ଗ୍ରାମ୍ୟ ବସତି ସମ୍ଭବତଃ ପ୍ରାଚୀନ ଓଡ଼ିଶା ସହରୀକରଣ ପଟ୍ଟଭୂମିରେ ଅଭ୍ୟୁଦୟର କାରଣ ହୋଇପାରେ। ଏହା ଉପରେ ଆହୁରି ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏହି ଦୃଷ୍ଟିକୋଣରୁ ସେ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ସେମାନଙ୍କର ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସେ ନିଜେ କିଭଳି ଭାବରେ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ନିଜର ଗବେଷଣା ଜାରି ରଖିଛନ୍ତି, ତାହାର ଅଭିଜ୍ଞତା ଓ ବିବରଣୀ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗର ସଂଯୋଜକ ଡ.ଅନାମ ବେହେରା, ସବ୍ୟସାଚୀ ନାୟକ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related Post